Latest Odisha News

BREAKING NEWS

ପୁରୀ ଓ କଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।

ଆନ୍ତର୍ଜାତିକ ସ୍ତରରେ ଏକ ଗୃରୁତ୍ଵପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ଏହା ପୁରୀର ଗୁରୁତ୍ଵ ବୃଦ୍ଧି କରିବ। ପ୍ରତି ସପ୍ତାହରେ ପୁରୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ । ଅପରାହ୍ଣରେ ପାଣ୍ଡିଆନ୍ କଟକ ଯାଇ ପ୍ରଥମେ ଖାନ୍ ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଥିଲେ ଏବଂ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ । ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ଯାଇଛି ।

ସୂଚନାଯୋଗ୍ୟ, ୧୫ ଏକର ପରିମିତ ଅଞ୍ଚଳରେ ନିର୍ମାଣାଧୀନ ଏହି ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ରେ ଶୁଭ ଦେଇଥିଲେ । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ୧୮୦ଟି ବସ୍ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରା ଯାଉଛି । ଏହାଦ୍ୱାରା କଟକ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଆନ୍ତଃ ରାଜ୍ୟ ବସ୍ ଚଳାଚଳରେ ସୁବିଧା ଆସିବ ।

ଏହା ପରେ ପାଣ୍ଡିଆନ ମା କଟକ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ଆଦି କାମ ବୁଲି ଦେଖିଥିଲେ । ସମୀକ୍ଷାରୁ ଜଣା ଯାଇଛି, ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ରୂପାନ୍ତର କାର୍ଯ୍ୟ ଶେଷ ହେବ । ଚଣ୍ଡୀ ମନ୍ଦିର ରୂପାନ୍ତର ପାଇଁ ଚାଳିଶ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ନୂଆ ବର୍ଷରେ ଚଣ୍ଡୀ ମନ୍ଦିରର ରୂପାନ୍ତର କାମ ଭକ୍ତଙ୍କ ସେବାରେ ଲୋକାର୍ପିତ ହେବ ।

ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ସିଏମସି କମିଶନର  ନିଖିଲ ପବନ କଲ୍ୟାଣ, କଟକ ଡିସିପି ପିନାକ ମିଶ୍ର ଓ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.