Latest Odisha News

BREAKING NEWS

ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !

ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା ।

  • ରାଜ୍ୟ ବିଜେପି ନେତା ଅରାଜି

କୁହାଯାଉଛି ରାଜ୍ୟ ବିଜେପି ନେତା ମେଂଟ ରାସ୍ତାର ମୁଖ୍ୟ କଂଟା । ୧୫ବର୍ଷର ବିରୋଧ ପରେ ବିଜେଡି ସହ ହାତ ମିଳାଇବାକୁ ରାଜ୍ୟ ଗେରୁଆ ନେତା କୁନ୍ଥ କୁନ୍ଥ । କିଛି ନେତାଙ୍କର ତ ବିଜେଡି ସହ ବ୍ୟକ୍ତିଗତ ବିବାଦ ବି ରହିଛି । କେନ୍ଦ୍ର ବିଜେପି ନେତା ବିଜେଡିକୁ ଏନଡିଏରେ ସ୍ୱାଗତ କରିବାକୁ ଯେତେ ବ୍ୟଗ୍ର, ରାଜ୍ୟ ନେତା ସେତେ ଅରାଜି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତ ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ଏକା ଲଢିବାର ବୟାନ ବି ଦେଇ ସାରିଛନ୍ତି ।

  • ଛିଣ୍ଡୁନି ସିଟ୍ ଭାଗବଣ୍ଟା

ସିଟ୍ ଭାଗବଂଟା ଅଙ୍କ ବି ଦୁଇ ଦଳ ଭିତରେ ଛିଣ୍ଡୁନି । ବିଜେଡି ଲୋକସଭା ସିଟ୍ ବିଜେପି ଦାବି ମୁତାବକ ଦେବାକୁ ରାଜି । ହେଲେ ୨୦୧୯ରେ ଜିତିଥିବା ୧୧୨ ବିଧାନସଭା ଆସନ ଲଢିବାକୁ ଆଗ୍ରହୀ । ଏମିତି ହେଲେ ବିଜେପିକୁ ମାତ୍ର ୩୫ଆସନ ମିଳିବ । ଏତିକି ଆସନରେ ଲଢିବା ଅଫରକୁ  ଗ୍ରହଣ କରିପାରୁନି ରାଜ୍ୟ ବିଜେପି । ଏହାପରେ ବି କେଉଁ ସିଟ୍ କାହା ଖାତାକୁ ଯିବ, ତାକୁ ନେଇ ବୁଝାମଣା କଷ୍ଟ । ସର୍ଭେ ରିପୋର୍ଟ ଦେଖାଇ ବିଜୟ ସମ୍ଭାବନାର ଗୋଲାପୀ ଚିତ୍ର ଦର୍ଶାଉଛନ୍ତି ଉଭୟ ଦଳ ।

  • ଗ୍ରାଉଣ୍ଡ ରିପୋର୍ଟ ନେଗେଟିଭ୍‌

ତେବେ ବିଜେଡି-ବିଜେପି ମେଂଟକୁ ନେଇ ଗ୍ରାଉଣ୍ଡରେ ରିପୋର୍ଟ ନେଗେଟିଭ୍ । ତେଣୁ ଭାବି ଚିନ୍ତି ମେଂଟ ରାସ୍ତାରେ ପାଦ ରଖିବାକୁ ଚାହୁଁଛନ୍ତି ଦୁଇ ଦଳ । ଦଳ ଭିତରେ ବିଦ୍ରୋହ ଆଶଙ୍କା, ଭୋଟରଙ୍କ ଅସନ୍ତୋଷକୁ ଆଖିରେ ରଖି ମେଂଟ ଲାଭ କ୍ଷତିର ହିସାବ କରୁଛନ୍ତି ।

ବିଜେପିର କ୍ଷତି କଂଗ୍ରେସର ଲାଭ

ବିଜେଡିର ଆଂଟି ଇନକମ୍ବାନ୍ସିରୁ ବିଜେପିକୁ ଆଗାମୀ ନିର୍ବାଚନରେ ଲାଭ ମିଳିବ ବୋଲି ରାଜ୍ୟ ବିଜେପି ନେତା ଭାବୁଛନ୍ତି । ତେବେ ବିଜେଡି ସହ ମେଂଟ ହେଲେ ଲାଭଠୁ କ୍ଷତି ବଳିଯିବ । ପୁଣି ଏହି କ୍ଷତିର ସିଧାସଳଖ ଲାଭ କଂଗ୍ରେସ ପାଇବ ।

  • ରାଜ୍ୟପାଳଙ୍କ ରିପୋର୍ଟ

ରାଜ୍ୟପାଳ ରଘୁବର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଇଥିବା ରିପୋର୍ଟ ବି ମେଂଟ ରାସ୍ତାରେ ବାଧା ହୋଇଥିବା କୁହାଯାଉଛି । ସାରା ରାଜ୍ୟ ଗସ୍ତ କରିଥିବା ରଘୁବର ଦାସ ବିଜେପିର ଟପ୍ ନେତାଙ୍କ ସହ ରାଜ୍ୟ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

  • ସରକାର, ସମର୍ଥନ ଓ ମନ୍ତ୍ରୀପଦ

ସରକାର ଗଠନ ରୂପରେଖକୁ ନେଇ ବି ରହିଛି କେଁ । ଯଦି ଆଗାମୀ ନିର୍ବାଚନରେ କେନ୍ଦ୍ରରେ ଏନଡିଏ କ୍ଷମତାକୁ ଆସେ ବିଜେଡି ସମର୍ଥନ ଦେବ ହେଲେ ସରକାରରେ ସାମିଲ ନହେବାକୁ ଅଫର ଦେଇଥିବା ଚର୍ଚ୍ଚା ହେଉଛି । ସମାନ ଫର୍ମୂଲା ରାଜ୍ୟରେ ଲାଗୁ ହେଲେ ବିଜେପି ନବୀନ ସରକାରକୁ ସମର୍ଥନ ତ ଦେବ ହେଲେ ମନ୍ତ୍ରୀ ପଦ ପାଇବନି । ଏଭଳି ଡିଲକୁ ନାପସନ୍ଦ କରିଛନ୍ତି ରାଜ୍ୟ ବିଜେପି ନେତା । ଏମିତି ହେଲେ ନା ସେମାନେ କ୍ଷମତା ପାଇବେ ନା ବିରୋଧ କରିପାରିବେ । ଏସବୁ କାରଣ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି ଉପରେ ନଜର ରହିଛି ।

Comments are closed.