Latest Odisha News

ପ୍ରାଥମିକ ସ୍କୁଲର ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ଏକକାଳୀନ ବଦଳି

ଭୁବନେଶ୍ବର: ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି କଲେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲର ଏହି ଶିକ୍ଷକ ମାନଙ୍କୁ ଏକକାଳୀନ ବଦଳି କରାଯାଇଛି ।

ନିଜର ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ ଏହି ଶିକ୍ଷକମାନେ ଆବେଦନ କରିଥିଲେ । ଏହାକୁ ବିଚାର କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନୂଆ ଜିଲ୍ଲାରେ ସେମାନେ କେଉଁଠି ନିଯୁକ୍ତି ପାଇବେ ତାହା ସମ୍ପୃକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରାବଧାନ ଆଧାରରେ ସ୍ଥିରୀକୃତ ହେବ ।

ଗଣଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଏହି ଶିକ୍ଷକମାନେ ଯେଉଁ ନୂଆ ଜିଲ୍ଲାକୁ ବଦଳି ହୋଇଯିବେ ସେଠାରେ ନିଜ କ୍ୟାଡ଼ରରେ ସବୁଠୁ କନିଷ୍ଠ ଭାବେ ପରିଗଣିତ ହେବେ ତଥା ସେମାନେ ନିଜର ବରିଷ୍ଠତା ହରାଇବେ ।

ଏହା ବ୍ୟତୀତ ତାଙ୍କୁ ସମ୍ପୃକ୍ତ ଜିଲ୍ଲାରେ ଗ୍ରେଡେସନ୍ ତାଲିକାର ସର୍ବନିମ୍ନରେ ରହିବାକୁ ପଡ଼ିବ । ଉଭୟ ଆସିଷ୍ଟାଣ୍ଟ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ସର୍ଭିସ ରେକର୍ଡକୁ ସେମାନେ ଯୋଗ ଦେବା ପରେ ତୁରନ୍ତ ନୂଆ ଜିଲ୍ଲାକୁ ପଠାଯିବ । କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ନିଜର ଚାକିରୀ କାଳ ମଧ୍ୟରେ ଥରେ ‘ଦମ୍ପତି ଟ୍ରାନ୍ସଫର’ ପାଇଁ ଯୋଗ୍ୟ ହେବେ । ଯଦି କୌଣସି କନିଷ୍ଠ ଶିକ୍ଷକଙ୍କ ବଦଳି ହୋଇଥିବ ତା’ହେଲେ ସେ ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ ଲେଭଲ-୫ କ୍ୟାଡ଼ରରେ ନିୟମିତ ଶିକ୍ଷକ ହେବାପରେ ସେହି ବଦଳି ସଂକ୍ରାନ୍ତ ତଥ୍ୟ ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିବ ।

ଏହି ବଦଳି ପାଇଁ ସମ୍ପୃକ୍ତ ଶିକ୍ଷକମାନଙ୍କୁ କୌଣସି ଟିଏ ଅବା ଡିଏ ମିଳିବ ନାହିଁ । ବଦଳି ପରେ ଅବସର ପର୍ଯ୍ୟନ୍ତ ଦୀର୍ଘକାଳୀନ ଛୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ହେବ ନାହିଁ ବୋଲି ନିର୍ଦ୍ଦେଶନାମାନରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.