Latest Odisha News

BREAKING NEWS

ବୈଜୟନ୍ତ, ଥରୁରଙ୍କ ସମେତ ୭ ସାଂସଦଙ୍କୁ ବିଜେପି ଦେଲା ବଡ଼ ଦାୟିତ୍ଵ, କରିବେ ପାକିସ୍ତାନର ପର୍ଦ୍ଦାଫାଶ 

ନୂଆଦିଲ୍ଲୀ: ବିଦେଶ ଯିବେ ଭାରତ ସାଂସଦ। ଅନ୍ୟ ଦେଶ ଆଗରେ ପାକିସ୍ତାନର ମୁଖା ଖୋଲିବେ। ଏଥିପାଇଁ କେନ୍ଦ୍ର ସରକାର ସବୁ ଦଳର ୭ ସାଂସଦଙ୍କୁ ଚୟନ କରିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ବିଦେଶରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ବୋଲି ସାଂସଦମାନଙ୍କ ନାମ ଘୋଷଣା କରିଛି। ଏହି ମାମଲାରେ ମୋଦି ସରକାର କଂଗ୍ରେସ ନେତା ଶଶି ଥରୁରଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଥରୁର ଏବେ ଆମେରିକାରେ ଭାରତର ପକ୍ଷ ଉପସ୍ଥାପନ କରିବେ ଏବଂ ପାକିସ୍ତାନର ପର୍ଦ୍ଦାଫାସ କରିବେ। ସେହିପରି ଓଡ଼ିଶାରୁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏଥିରେ ସାମିଲ ରହିଛନ୍ତି। ସେ ପୂର୍ବ ୟୁରୋପରେ ଭାରତର ପକ୍ଷ ଉପସ୍ଥାପନା କରିବେ। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ଏବଂ ବିଜେଡି ସାଂସଦ ସସ୍ମିତ୍ ପାତ୍ରଙ୍କ ନାଁ ମଧ୍ୟ ଏଥିରେ ସାମିଲ ରହିଛି ।

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମେତ ଆହୁରି ଅନେକ ଦଳର ସାଂସଦ ମଧ୍ୟ ଏଥିରେ ସାମିଲ ରହିଛନ୍ତି। ଏହି ନେତାମାନେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଭାରତର ମତ ଉପସ୍ଥାପନ କରିବା ପାଇଁ ବିଦେଶ ଯିବେ। ୭ ଜଣ ସାଂସଦ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ। ସେମାନଙ୍କ ମଧ୍ୟରେ:

ଶଶି ଥରୁର(କଂଗ୍ରେସ) – ଯୁକ୍ତରାଷ୍ଟ୍ର ଆମେରିକା

ବୈଜୟନ୍ତ ପଣ୍ଡା(ବିଜେପି) – ପୂର୍ବ ୟୁରୋପ

କନିମୋଇ କରୁଣାନିଧି(ଡିଏମକେ) – ରୁଷିଆ

ସଞ୍ଜୟ କୁମାର ଝା(ଜେଡିୟୁ) – ଦକ୍ଷିଣ ପୂର୍ବ ଏସିଆ

ରବି ଶଙ୍କର ପ୍ରସାଦ(ବିଜେପି) – ମଧ୍ୟ ପୂର୍ବ

ସୁପ୍ରିୟା ସୁଲେ(ଏନସିପି) – ପଶ୍ଚିମ ଏସିଆ

ଶ୍ରୀକାନ୍ତ ସିନ୍ଦେ(ଶିବସେନା) – ଆଫ୍ରିକୀୟ ଦେଶ

ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇ, ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ଏକ କଡ଼ା ବାର୍ତ୍ତା ଦେଇଛି। ଏହି ନିର୍ଣ୍ଣାୟକ ପଦକ୍ଷେପକୁ କେବଳ ଜନସାଧାରଣଙ୍କଠାରୁ ନୁହେଁ ବରଂ ବିରୋଧୀ ଦଳଗୁଡ଼ିକଠାରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଦେଶର ରାଜନୈତିକ ଦଳଗୁଡ଼ିକର ବିଚାରଧାରା ଭିନ୍ନ ହୋଇପାରେ, କିନ୍ତୁ ଯେତେବେଳେ ଦେଶର ସୁରକ୍ଷା ଏବଂ ଆତଙ୍କବାଦ ବିରୁଦ୍ଧରେ ଏକତାର କଥା ଆସିଲା, ସେତେବେଳେ ସମଗ୍ର ରାଜନୈତିକ ନେତୃତ୍ୱ ଗୋଟିଏ ସ୍ୱରରେ ଠିଆ ହୋଇଥିବା ଦେଖାଦେଇଥିଲା । ଯାହା ଭାରତର ସଫଳତାକୁ ସାରା ଦେଶ ଦେଖିଲା ।

ଏବେ ଭାରତର ଏହି ରାଜନୈତିକ ଏକତା ସାରା ବିଶ୍ୱରେ ଦୃଶ୍ୟମାନ ହେବାକୁ ଯାଉଛି। ସୂତ୍ର ଅନୁସାରେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଅପରେସନ ସିନ୍ଦୂର ଉପରେ ଭାରତର ମତ ଉପସ୍ଥାପନ କରିବା ପାଇଁ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ୮ଟି ଭିନ୍ନ ଭିନ୍ନ ଦେଶକୁ ପଠାଯିବ। ଏହି ପ୍ରୟାସ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି, ଯାହା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ମିଳିତ ଭାବରେ ଯୋଜନାକୁ ଚୂଡ଼ାନ୍ତ କରିଛି।

ପ୍ରଥମ ପର୍ଯ୍ୟାୟରେ, ୮ ଟି ଗୋଷ୍ଠୀ ଗଠନ କରାଯାଇଛି, ପ୍ରତ୍ୟେକ ଗୋଷ୍ଠୀ ଏକ ଭିନ୍ନ ଦେଶ ପରିଦର୍ଶନ କରିବେ। ଏହି ଗୋଷ୍ଠୀଗୁଡ଼ିକରେ ସମସ୍ତ ଦଳର ସାଂସଦମାନଙ୍କୁ ସାମିଲ କରାଯାଉଛି, ଯାହା ଦ୍ୱାରା ଏହା ସ୍ପଷ୍ଟ ହୋଇଯାଏ ଯେ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ କେବଳ ସରକାରଙ୍କ ନୁହେଁ ବରଂ ସମଗ୍ର ଦେଶର ।

ପ୍ରତ୍ୟେକ ପ୍ରତିନିଧିମଣ୍ଡଳୀରେ ପ୍ରାୟ ୬ଜଣ ସାଂସଦ ରହିବେ ଏବଂ ସମସ୍ତ ରାଜନୈତିକ ଦଳର ଫ୍ଲୋର ନେତାମାନେ ଏଥିରେ ନେତୃତ୍ୱ ଭୂମିକା ଗ୍ରହଣ କରିବେ। ଏହି ସାଂସଦମାନଙ୍କର ଲକ୍ଷ୍ୟ ହେବ ଯେ ପାକିସ୍ତାନରେ ପୋଷଣ କରାଯାଇଥିବା ଆତଙ୍କବାଦୀ ଢାଞ୍ଚା କିପରି ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିଛି ଏବଂ ଏହାର ଜବାବରେ ଭାରତ କିପରି ସଂଯମ ଏବଂ ଦୃଢ଼ତାର ସହିତ ପ୍ରତିକ୍ରିୟା ଦେଇଛି ତାହା ଅନ୍ତର୍ଜାତୀୟ ମଞ୍ଚରେ ସ୍ପଷ୍ଟ କରିବା ।

ଏହି ୮ ଟି ପ୍ରତିନିଧିମଣ୍ଡଳର ଉଦ୍ଦେଶ୍ୟ ହେବ ଯେ ବିଦେଶୀ ସରକାର, ଥିଙ୍କଟ୍ୟାଙ୍କ୍, ମିଡିଆ ପ୍ରତିଷ୍ଠାନ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ କହିବା ଯେ ଭାରତ କାହିଁକି ଏବଂ କିପରି ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେଲା। ଏଥିସହିତ ଏହା ବି ସ୍ପଷ୍ଟ କରିବେ ଯେ ଭାରତ କୌଣସି ଦେଶର ସାର୍ବଭୌମତ୍ୱ ଉଲ୍ଲଂଘନ କରିନାହିଁ ବରଂ ଏହାର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଠିଆ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ସାଂସଦର ମଣ୍ଡଳୀମାନେ, ମେ ୨୨ ପରେ, ବିଦେଶ ଗସ୍ତରେ ଯିବା ଆରମ୍ଭ କରିବେ। ବିଦେଶ ଯାଉଥିବା ପ୍ରତିନିଧି ଦଳରେ ପ୍ରାୟ ୪୩/୪୫ ଜଣ ସାଂସଦଙ୍କ ନାମ ସାମିଲ କରାଯିବ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ପ୍ରେମ ଚାନ୍ଦ ଗୁପ୍ତା(ଆରଜେଡି), ସଞ୍ଜୟ ଝା(ଜେଡିୟୁ) – ଜାପାନ, ରବି ଶଙ୍କର ପ୍ରସାଦ, ବିଜେପି – ମଧ୍ୟପ୍ରାଚ୍ୟ, ବୈଜୟନ୍ତ ପଣ୍ଡା- ବିଜେପି, ଅନୁରାଗ ଠାକୁର – ବିଜେପି, ବ୍ରଜ ଲାଲ- ବିଜେପି, ତେଜସ୍ୱୀ ସୂର୍ଯ୍ୟ- ବିଜେପି, ଅପରାଜିତା ଷଡ଼ଙ୍ଗୀ- ବିଜେପି, ରାଜୀବ ପ୍ରତାପ ରୁଡି- ବିଜେପି, ଡି ପୁରଣ୍ଡେଶ୍ୱରୀ – ବିଜେପି, ଶ୍ରୀକାନ୍ତ ସିନ୍ଦେ- ଶିବସେନା, ସୁପ୍ରିୟା ସୁଲେ – ଏନସିପି (ଶରଦ ପାୱାର), ସସ୍ମିତ ପାତ୍ର – ବିଜେଡି, ସମିକ ଭଟ୍ଟାଚାର୍ଯ୍ୟ- ବିଜେପି, ମନୀଷ ତିୱାରୀ – କଂଗ୍ରେସ, ଶଶି ଥରୁର – କଂଗ୍ରେସ, ଅମର ସିଂହ- କଂଗ୍ରେସ, ପ୍ରିୟଙ୍କା ଚତୁର୍ବେଦୀ – ଶିବସେନା ଉଦ୍ଧବ, ଜନ୍ ବିଟ୍ସ- ସିପିଆଇ ଏମ୍, ଅସଉଦ୍ଦିନ ଓୱେସି – ଏଆଇଏମଆଇଏମ, ପ୍ରମୁଖ ଏହି ମିଶନରେ ସାମିଲ ହୋଇଛନ୍ତି ।

Comments are closed.