Latest Odisha News

BREAKING NEWS

ଧରାପଡିଲେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ, ୭୫ଲକ୍ଷର ଗଞ୍ଜେଇ ଜବତ କଲା ଏସଟିଏଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବେଶ ତତ୍ପର ହୋଇ ପଡିଥିଲେ l ସଦର ଏସଡିପିଓଙ୍କ ନେତୃତ୍ୱରେ ଆଇଆଇସି ଓ ଏସଟିଏଫ କର୍ମଚାରୀ ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଏକ କଣ୍ଟେନର ଉପରେ ଚଢାଉ କରିଥିଲେ l

କଣ୍ଟେନରରୁ ଜରି ବସ୍ତାରେ ପ୍ୟାକେଟିଂ କରାଯାଇଥିବା ୭ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିଲେ l ତେବେ ପୋଲିସ ଗଞ୍ଜେଇ ବୋଝେଇ କଣ୍ଟେନର ଜବତ କରିବା ସହିତ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଛତିଶଗଡ଼ ପ୍ରଦେଶର ଶୈଳେଶ କୁମାର ମିଶ୍ର ଓ ଉତ୍ତର ପ୍ରଦେଶର ଉମାଶଙ୍କର ପାଣ୍ଡେ l ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଉଭୟ ଗଞ୍ଜେଇ ମାଫିଆ ଉକ୍ତ ଗଞ୍ଜେଇକୁ ବରଗଡ ଜିଲ୍ଲା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ କରୁଥିବା କହିଛି ପୋଲିସ ।

ତେବେ ଏହି କଣ୍ଟେନରରେ ଏକ ସ୍ୱତନ୍ତ୍ର କ୍ୟାବିନ ତିଆରି କରି ପୋଲିସ ଆଖିରେ ଧୂଳି ଦେଇ ଏହି ଚୋରା ଚାଲାଣ କରାଯାଉଥିଲା l ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଗଂଜେଇ ବେପାରୀଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ତାର ପୋଲିସ ଅନୁସନ୍ଧାନ କରୁଥିବା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ । ସେହିପରି ଜବତ ହୋଇଥିବା ଗାଡିର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

 

Leave A Reply

Your email address will not be published.