Latest Odisha News

BREAKING NEWS

ସାଧାରଣତନ୍ତ୍ର: ତଥାପି ବି ଯିବାକୁ ଅଛି ଅନେକ ଦୂର…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର

ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ସାଧାରଣତନ୍ତ୍ର । ଏହା ଆମ ପାଇଁ ଯେତିକି ଗୌରବର ବିଷୟ, ସେତିକି ଆହ୍ୱାନର ବିଷୟ ବି । ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହେଉଛି, ଏହା ହରଣ ହୋଇଯିବାର ଭୟ ଅଛି ଓ ଏହାର ଆଢ଼ୁଆଳରେ ଏକଛତ୍ରବାଦ ମୁଣ୍ଡ ଟେକିପାରେ । ତେଣୁ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ସମ୍ମୁଖରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ତାହାର ଗଣତନ୍ତ୍ରକୁ ବଂଚେଇ ରଖିବା । ସୁବାଷ୍ ବୋଷ୍ କହୁଥିଲେ, ସ୍ୱାଧୀନତା ପାଇବା ସହଜ, କିନ୍ତୁ ଏହାକୁ ଧରି ରଖିବା କଷ୍ଟକର । ଠିକ୍ ସେହିପରି ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା କରିବା ଓ ଏଥିପାଇଁ ବିଶ୍ୱ ଦରବାରରେ ବାଃ ବାଃ ନେବା ସହଜ, କିନ୍ତୁ ଏହାକୁ ବଂଚେଇ ରଖିବା ଓ ଧିରେ ଧିରେ ପରିପକ୍ୱତାର ସହିତ ଆଗକୁ ବଢ଼ିବା ବାସ୍ତବିକ କଷ୍ଟସାଧ୍ୟ । ସତୁରୀତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଆହ୍ୱାନ ଆମ ସମ୍ମୁଖରେ ଉଭା ହୋଇଛି ।

Adobe ImageReady

ସାଧାରଣତନ୍ତ୍ର ଦିବସକୁ କେବଳ ଗୋଟିଏ ଛୁଟି ଦିନ ବା ସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତୋଳନର ଦିନ ଭାବେ ଦେଖିଲେ ଆମେ ଅସଲ ସାଧାରଣତନ୍ତ୍ର ଠାରୁ ଅନେକ ଦୂରକୁ ଚାଲିଯିବା । ଗୋଟିଏ ସାଧାରଣତନ୍ତ୍ରରେ ସବୁଠୁ ଅଧିକ ଦାୟିତ୍ୱ ଓ କର୍ତବ୍ୟ ଥାଏ ସେ ଦେଶର ଜନସାଧାରଣଙ୍କର । ଜନସାଧାରଣ ମାନେ ହିଁ ସାଧାରଣତନ୍ତ୍ରକୁ ବଂଚେଇ ରଖି ଠିକ୍ ଦିଗରେ ନେଇ ପାରିବେ । କାରଣ ନେତା ମାନେ ତ ସବୁବେଳେ ଲୋକଙ୍କ ଠାରୁ କ୍ଷମତା ଓ ନିଷ୍ପତି ନେବାର ଅଧିକାର ଛଡ଼େଇ ନେବା ପାଇଁ ଚାହାନ୍ତି, ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି! କିନ୍ତୁ ଜନତା ଯଦି ସାଧାରଣତନ୍ତ୍ରର ମହତ୍ୱକୁ ବୁଝି ତା ସପକ୍ଷରେ ସ୍ୱର ଉତୋଳନ କରି ନିଜ ଅଧିକାରକୁ ନିଜେ ଜାହିର କରିବା ପାଇଁ ନଚାହିଁବେ, ତାହେଲେ ସାଧାରଣତନ୍ତ୍ର କେବଳ ନାଁ’କୁୁ ମାତ୍ର ରହିବ । ତା ଆଢ଼ୁଆଳରେ ଏକ ଛଦ୍ମ ଏକଛତ୍ରବାଦ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

ଆଜି ଏକ ଗଣତାନ୍ତ୍ରିକ ଦେଶର ନାଗରିକ ଭାବେ ଆମେ ଅନେକ ସୁବିଧା ସୁଯୋଗ ପାଉଛେ । ଆମ ନିଜର ବ୍ୟକ୍ତିତ୍ୱ ଓ ଆମ ସମାଜର ବିକାଶ ଦିଗରେ ଆମ ସାଧାରଣତନ୍ତ୍ରର ଅନେକ ଅବଦାନ ଅଛି । ଯଦି ଆମେ ଏକଛତ୍ରବାଦୀ ବା ସାମନ୍ତବାଦୀ ଶାସନରେ ଥାଆନ୍ତେ, ତେବେ ଦେଶ ଭାବେ ଆଜି ଆମେ ଯେତିକି ଆଗକୁ ବଢ଼ିଛେ ବା ନିଜ ବ୍ୟକ୍ତିଗତ ସ୍ତରରେ ଆମେ ଯେତିକି ଉନ୍ନତି କରିଛେ, କଦାପି ବି ସେତିକି କରିପାରିନଥାନ୍ତେ । ଏହି ଆଗକୁ ବଢ଼ିବାଟାକୁ କେବଳ ବସ୍ତୁବାଦୀ ବିକାଶର ଧାରାରେ ନଦେଖି ସାମାଜିକ ଜୀବନର ପରିପ୍ରେକ୍ଷୀରେ ବି ଦେଖିହେବ । ଆଜି ଆମ ସାମାଜିକ ଜୀବନ ଯେତିକି ବି ଜୀବନ୍ତ ତଥା ଚଳମାନ ଅଛି, ତାହାର କେତେକ କାରଣ ମଧ୍ୟରୁ ଆମ ସାଧାରଣତନ୍ତ୍ର ଗୋଟିଏ । ଆମେ ଆଜି ସ୍ୱାଧୀନ ଭାବେ ମତବ୍ୟକ୍ତ କରିପାରୁଛେ, ନିଜେ ନିଜର ସରକାର ତିଆରି କରୁଛେ, ଆଇନ୍ ନିର୍ମାଣରେ ବି ମତବ୍ୟକ୍ତ କରିପାରୁଛେ, ସେଥିପାଇଁ ଆମ ସାଧାରଣତନ୍ତ୍ର ବ୍ୟବସ୍ଥା ହିଁ ଦାୟୀ । ସୂଚନା ଅଧିକାର ଆଇନ୍‌, ଶିକ୍ଷା ଅଧିକାର ଆଇନ୍ ଓ ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏ. ଆଇନ୍ ଆଦି ଅନେକ ଲୋକାଭିମୂଖୀ ଆଇନ୍ ପାର୍ଲିଆମେଂଟ୍‌ରେ ପାସ୍ ହେବା ପୂର୍ବରୁ ପ୍ରଥମେ ଲୋକମାନଙ୍କ ଦ୍ୱାରା ରାଜରାସ୍ତାରେ ଦାବୀ ଉଠିଥିଲା । ଏଥିପାଇଁ ଅନେକ ଲୋକ ଦୀର୍ଘ ଦିନ ହେବ ସଂଗ୍ରାମ କରିଥିଲେ । ଏବଂ ଫଳ ସ୍ୱରୁପ ଏହି ସବୁ ଆଇନ୍ ଆଜି ବଳବତର ଅଛି ଓ ଏହାର ସୁବିଧା ଲୋକମାନେ ପାଉଛନ୍ତି । ଏହା ସଂଭବ ହୋଇଛି କେବଳ ଆମ ସାଧାରଣତନ୍ତ୍ର ପାଇଁ । ଯଦିଓ ଆହୁରି ଅନେକ ସଂଘର୍ଷ ସରକାରଙ୍କ ବଧୀରା କର୍ଣ୍ଣପଟଳକୁ ସ୍ପର୍ଷ କରିପାରୁନାହିଁ ଓ କେତେକ ସଂଘର୍ଷକୁ ସରକାର ଭିନ୍ନ ଉପାୟରେ ଦମନ ବି କରିଦେଉଛନ୍ତି, କିନ୍ତୁ ତଥାପି ବି ସଂଘର୍ଷ ବଂଚି ରହିଛି । ତାହାର କାରଣ କେବଳ ଆମ ସାଧାରଣତନ୍ତ୍ର । ଆଜି ସାରା ଦେଶରେ ସରକାରଙ୍କ ନିଷ୍ପତି ବିରୋଧରେ ଜୋର୍‌ଦାର୍ ଜନଆନ୍ଦୋଳନ ଜାରି ରହିଛି । ଅନେକ କ୍ଷେତ୍ରରେ ସରକାର ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ମନୋଭାବ ନେଇ ଆନ୍ଦୋଳନକୁ ଅସତ୍ ଉପାୟରେ ଦମନ ବି କରିବାକୁ ଚେଷ୍ଟା କରୁଛନ୍ତି । ପୋଲିସ୍ ବାହିନୀ ଓ ଗୁଣ୍ଡାଙ୍କ ସହଯୋଗ ବି ନିଆଯାଉଛି । ତଥାପି ବି କୁହାଯାଇପାରେ ସାରା ଦେଶରେ ଆନ୍ଦୋଳନର ଯେଉଁ ସ୍ୱର ଉଠିଛି, ତାହା କ’ଣ ବିନା ସାଧାରଣତନ୍ତ୍ରରେ ସମ୍ଭବ ହୋଇପାରିଥାନ୍ତା କି? ଆମେ ବିଶ୍ୱର ଏକାଧୀକ ଏକଛତ୍ରବାଦ ତଥା ଫାସିବାଦୀ ରାଷ୍ଟ୍ର ମାନଙ୍କୁ ଦେଖିଛେ, ଯେଉଁଠି ଶାସନତନ୍ତ୍ର ବିରୋଧରେ ପ୍ରତିବାଦ ଅର୍ଥ ମୃତ୍ୟୁ । ଯଦିଓ ଆମ ସାଧାରଣତନ୍ତ୍ରର ମର୍ଯ୍ୟାଦା ଧିରେ ଧିରେ ହାନୀ ହେଉଛି, କିନ୍ତୁ ଏହା ଭୁଷୁଡ଼ି ପଡ଼ିବା ଭଳି ପରିସ୍ଥିତି ପହଂଚିନି କି ନିକଟ ଭବିଷ୍ୟତରେ ପହଂଚିବ ବି ନାହିଁ । କାରଣ ଆମ ସାଧାରଣତନ୍ତ୍ର ଆମକୁ ସେତିକି ଶକ୍ତିଶାଳୀ କରିଛେ, ଯେମିତି କି ତା ଉପରକୁ ବିପଦ ଆସିଲେ ଆମେ ମେଳି ବାନ୍ଧି ତାକୁ ଉଦ୍ଧାର କରିପାରିବା ।

ଆଜି ଆମ ସାଧାରଣତନ୍ତ୍ରକୁ ରକ୍ଷା କରିବାର ଆହ୍ୱାନ ଆମ ଦରଜା ପାଖରେ । ଏଥିପାଇଁ ଆମ ସାଧାରଣ ଲୋକମାନଙ୍କୁ ଆଗକୁ ଆସିବାକୁ ହେବ । ଆମ ସାଧାରଣତନ୍ତ୍ର ଧିରେ ଧିରେ ଯେତେ ପରିପକ୍ୱ ହେଉଛି, ସେହି ହିସାବରେ ଏହାକୁ ହରଣ କରିବା ପାଇଁ ବି କିଛି ଗୋଷ୍ଠୀ ଚତୁରତାର ସହିତ ଲାଗିପଡ଼ିଛନ୍ତି । ଏ ବେଳେ କେବଳ ସାଧାରଣତନ୍ତ୍ର ଦିବସ ପାଳନ କରି କାମ ସାରିଦେଲେ ଚଳିବ ନାହିଁ । ଆମକୁ ଅତ୍ୟନ୍ତ ସତର୍କତାର ସହିତ ଶାନ୍ତିପୂର୍ଣ୍ଣ ସଂଘର୍ଷ ପୂର୍ବକ ଆମ ଗଣତନ୍ତ୍ରର ମର୍ଯ୍ୟାଦାକୁ ରକ୍ଷା କରିବାକୁ ହେବ । ସଂପ୍ରତି ଆମ ଦେଶରେ ନିର୍ବାଚନ ଧିରେ ଧିରେ ପଇସା ବାଲାଙ୍କ ଖେଳରେ ପରିଣତ ହେଲାଣି । ଲୋକଙ୍କୁ ବିଭିନ୍ନ ଉପାୟରେ ବଶ କରି ଟଙ୍କା ଲୋଭରେ ହେଉ ବା ପ୍ରଚାରରେ ଅଥୟ କରି ବା ମିଛି ଖବର ପ୍ରସାରିତ କରି ଲୋକଙ୍କ ଭୋଟ୍‌କୁ କରାୟତ କରାଯାଉଛି । ଏହା ଗଣତନ୍ତ୍ରକୁ ଦୁର୍ବଳ କରିବାର ପ୍ରଥମ ପଦକ୍ଷେପ । ଧିରେ ଧିରେ ଲୋକମାନେ ନିର୍ବାଚନର ମହତ୍ୱକୁ ଅତି ସାଧାରଣ ଭାବେ ଗ୍ରହଣ କଲେଣି । ଏହାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରୁପେ ଗଣନା କରାଯାଉନାହିଁ । ସେହିପରି ରାଜନୈତିକ ଦଳ ଓ ନେତାମାନେ ବି ଭାବିଲେଣି ଯେ, ଲୋକଙ୍କୁ ଯେନତେନ ପ୍ରକାରେ ପରିଚାଳନା କରି ତାଙ୍କା ଭୋଟ୍ ହାତେଇ ହେବ । ଏହା ଗଣତନ୍ତ୍ର ପ୍ରତି ଏକ ବିପଦ ଘଂଟି । ଯାହା ବହୁତ ପୂର୍ବରୁ ବାଜି ସାରିଲାଣି । ଏହି ଧାରାକୁ ପ୍ରଥମେ ଲୋକମାନଙ୍କୁ ଭାଙ୍ଗିବାକୁ ପଡ଼ିବ । ଏତଦ୍‌ବ୍ୟତୀତ ଆମେ ଦେଖୁଛେ ଯେ, ନିର୍ବାଚିତ ପ୍ରତିନିଧି ମାନେ କିପରି ଦିନ ଦି ପହରେ କିଣା ବିକା ହେଉଛନ୍ତି! ସଂପ୍ରତି ହୋଇଥିବା ଏକାଧିକ ରାଜ୍ୟର ନିର୍ବାଚନରୁ ଆମେ ଏହା ଦେଖିଲେ । କର୍ଣ୍ଣାଟକ, ହରିୟାଣା, ମହାରାଷ୍ଟ୍ର ପରି ରାଜ୍ୟରେ ଏହି କିଣାବିକା ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିଲା । ଟଙ୍କା ଓ କ୍ଷମତା ଲୋଭ ଦେଖାଇ କେଉଁଠି ସରକାର ଭଙ୍ଗାଯାଉଛି ତ କେଉଁଠି ସରକାର ଗଢ଼ା ଯାଉଛି । ତାହେଲେ ସାଧାରଣ ଲୋକମାନଙ୍କର ଭୋଟ୍‌ର ମୂଲ୍ୟ ରହିଲା କେଉଁଠି? ଏସବୁ ପ୍ରକ୍ରିୟାରେ ସବୁଠୁ ଅଧିକ ଲାଂଛିତ ହେଉଛି ଆମ ସାଧାରଣତନ୍ତ୍ର । ଗୋଟିଏ ଗଣତାନ୍ତ୍ରିକ ଦେଶରେ ଲୋକମାନଙ୍କର ମତ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ପାଇବା କଥା । କିନ୍ତୁ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଥିବାର ଆମେ ଦେଖୁଛେ । ହଜାର ହଜାର ଲୋକ ନିଜ ଭିଟାମାଟି ଓ ଜୀବନ ଜୀବିକା ଛାଡ଼ିବାକୁ ନଛୋଡ଼ ବନ୍ଧା ହୋଇ ଆନ୍ଦୋଳନକୁ ଓହ୍ଲାଉଥିଲେ ବି ସରକାର ଜବରଦସ୍ତି କଂପାନୀଙ୍କ ସ୍ୱାର୍ଥ ପାଇଁ ଓ ମିଛ ବିକାଶର ନାଁ’ରେ ଲୋକମାନଙ୍କୁ ବିସ୍ଥାପିତ କରି ତାଙ୍କ ମାଟି ଉପରେ କଂପାନୀ ପ୍ରତିଷ୍ଠା କରୁଛନ୍ତି । ପ୍ରକାରାନ୍ତରେ ଲୋକମାନେ ତଳିତଳାନ୍ତ ହେଉଥିବା ବେଳେ କଂପାନୀ ହିଁ ଲାଭବାନ ହେଉଛି । ଏ ବେଳେ ସାଧାରଣତନ୍ତ୍ର ଓ ଲୋକମତର ମୂଲ୍ୟ ଯାଉଛି କୁଆଡ଼େ? ଆହୁରି ଅନେକ ପ୍ରସଙ୍ଗ ଅଛି ଯେଉଁଠି ବାସ୍ତବିକ ଭାବେ ଗଣତନ୍ତ୍ରକୁ ରୁପ ଦେବାର ଅଛି, ଯାହା କେବଳ କାଗଜ ପତ୍ରରେ ରହିଯାଉଛି । ଧିରେ ଧିରେ ଆମ ଦେଶରେ ପ୍ରତିବାଦ କରିବାକୁ ଦେଶଦ୍ରୋହର ରୁପ ଦିଆଯାଉଛି । ନିର୍ଦ୍ଦିଷ୍ଟ ସରକାରକୁ ବା ସରକାରଙ୍କ ନୀତିୁ ବିରୋଧ କରିବା ଅର୍ଥକୁ ଅତ୍ୟନ୍ତ ଚତୁରତାର ସହିତ ଦେଶକୁ ବିରୋଧ ଭାବେ ଚିତ୍ରଣ କରାଯାଉଛି । ଏହା ଅତ୍ୟନ୍ତ ଖରାପ ପରମ୍ପରା । ଏହା ପ୍ରତିବାଦର ସଂସ୍କୃତିକୁ ସର୍ବନାଶ କରିଦେବ । ଗୋଟିଏ ଗଣତନ୍ତ୍ରରେ ପ୍ରତିବାଦର ସଂସ୍କୃତି ମରିଗଲେ ତାହା ଏକଛତ୍ରବାଦ ହେବାକୁ ବେଶୀ ଡେରି ଲାଗିବ ନାହିିଁ ।

ଏହି ଭଳି ଏକ ସନ୍ଧିକ୍ଷଣରେ ଆମେ ଉପସ୍ଥିତ ହୋଇଛେ । ଏ ବେଳେ ସବୁଠାରୁ ଅଧିକ ଦାୟିତ୍ୱ ଜନଗଣଙ୍କର । ସାଧାରଣତନ୍ତ୍ରର ସୁରକ୍ଷା ପାଇଁ ସାଧାରଣ ଲୋକମାନେ ସଂକଳ୍ପବଦ୍ଧ ଭାବେ ଆଗକୁ ବାହାରିବା ଅତ୍ୟନ୍ତ ଜରୁରୀ । ତା’ ନହେଲେ ଆମ କଷ୍ଟ ଲବ୍‌ଧ ସ୍ୱାଧୀନତା ଓ ସାଧାରଣତନ୍ତ୍ର ବେଶୀ ଦିନ ତିଷ୍ଠି ପାରିବ ନାହିିଁ । ଯଦି ବି ତିଷ୍ଠିବ ତାହା କେବଳ କାଗଜ କଲମରେ ହିଁ ସିମୀତ ହୋଇଯିବ । ତେଣୁ ଏହି ସାଧାରଣତନ୍ତ୍ର ଦିବସରେ ତାହାର ସୁରକ୍ଷା ପାଇଁ ଆମେ ମିଳିମିଶି ସଂକଳ୍ପବଦ୍ଧ ହେବା ଉଚିତ୍ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪
Leave A Reply

Your email address will not be published.