Latest Odisha News

ସୋଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଉତ୍ସବରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ସୋଆର ୧୧ଟି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କୁଳାଧିପତି ପ୍ରଫେସର ପ୍ରଧାନ ଯୁବବର୍ଗଙ୍କ ପାଇଁ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ତାଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଦେଶକୁ ସ୍ୱାଧୀନ କରିଥିଲେ । ପରବର୍ତୀ ସମୟରେ ଏହା ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଣତ ହୋଇଥିଲା । ତେଣୁ ଏହି ମହାନ ପରମ୍ପରାକୁ ଆଗେଇ ନେବାର ଦାୟିତ୍ୱ ଯୁବବର୍ଗଙ୍କ ହାତରେ ରହିଛି ବୋଲି ପ୍ରଫେସର ପ୍ରଧାନ କହିଥିଲେ ।

ସୋଆ ବିଶ୍ୱବିଦ୍ୟାଳୟର ଶିକ୍ଷା ପ୍ରଦାନ ପ୍ରଣାଳୀ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଉନ୍ନତି କରିବା ପାଇଁ ବେଶ ସହାୟକ ହେବ ବୋଲି ପ୍ରଫେସର ପ୍ରଧାନ କହିଥିଲେ । ସେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ବେଶ ଭାଗ୍ୟବାନ କାରଣ ସେମାନେ ଏଭଳି ରାଜ୍ୟରେ ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁଠାରେ ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଜନନାୟକ ଜନ୍ମ ଗ୍ରହଣ କରିଛନ୍ତି । ଏଭଳି ବ୍ୟକ୍ତିବିଶେଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ର୍ରୋ ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ, କୁଳପତି ପ୍ରଫେସର ଆର୍‌.କେ. ଚୌହାନ୍‌, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କ ସମେତ ସୋଆର ସମସ୍ତ ଡିନ୍ ଉପସ୍ଥିତ ଥିଲେ ।

ଆୟୋଜିତ ପରେଡରେ ଭାଗ ନେଇଥିବା ସୋଆର ୧୧ଟି ଅନୁଷ୍ଠାନ ମଧ୍ୟରେ ପ୍ରତିଯୋଗିତା ହୋଇ ଏଥିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ପ୍ରଥମ, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ଦ୍ୱିତୀୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟ୍ ଷ୍ଟଡିଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲା । ଏହି ଅବସରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପ୍ରଫେସର ପ୍ରଧାନ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.