Latest Odisha News

ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଲାଗି ସୂଚନା; ଆସନ୍ତା ବର୍ଷ ୭୦୧ଟି କଲେଜରେ ୭୨ଟି ଛୁଟି ବାଧ୍ୟତାମୂଳକ !

ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟରେ ଥିବା ୭୦୧ଟି ଡିଗ୍ରୀ କଲେଜ ଲାଗି ୭୨ଟି କମନ୍ ଛୁଟି ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଛୁଟି ବାଦ୍ ବର୍ଷକୁ ରବିବାର ଏବଂ ଅନ୍ୟକିଛି ଇଛାଧିନ କୋଟାର ଛୁଟି ରହିଛି । ତେଣୁ ଏହି ଛୁଟିକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବା ସହ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ୨୦୨୧ ଜାନୁଆରୀ ୨ୟ ସପ୍ତାହ ସୁଦ୍ଧା ସବୁ କୋର୍ସ ଶେଷ ହେବ ସେଥିଲାଗି କଲେଜର ଅଧ୍ୟକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଛୁଟିକୁ ନେଇ ଶ୍ରେଣୀ ପାଠପଢ଼ାରେ ଯେପରି ସମସ୍ୟା ନରହେ ସେଥିଲାଗି ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୭୦୨ଟି ଡିଗ୍ରୀ କଲେଜ ରହିଛି । ସେଥିରୁ ୧୩୨ଟି ବ୍ଲକଗ୍ରାଣ୍ଟ ଡିଗ୍ରୀ କଲେଜ, ୨୯ଟି ସ୍ୱୟଂଶାସିତ ଡିଗ୍ରୀ କଲେଜ, ୨୦ଟି ସେଲ୍ଫଫାଇନାନ୍ସ ଡିଗ୍ରୀ କଲେଜ, ୫୩ଟି ସରକାରୀ ଡିଗ୍ରୀ କଲେଜ, ୧୪୯ଟି ଅନୁଦାନପ୍ରାପ୍ତ ଏବଂ ୩୧୮ଟି ଅଣଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ଆସନ୍ତା ବର୍ଷ ଲାଗି ଯେଉଁ କମନ୍ ଛୁଟି ବାଧ୍ୟତାମୂଳକ କରାଯାଇଛି ସେଥିରେ ରବିବାରକୁ ବାଦ ଦିଆଯାଇଛି ।

ତେବେ ଜାନୁଆରୀରେ ୪ଟି ଛୁଟି ଥିବା ବେଳେ ଫ୍ରେବୃଆରୀରେ ୧ଟି, ମାର୍ଚ୍ଚରେ ୩ଟି, ଏପ୍ରିଲରେ ୫ଟି, ମେ’ ଏବଂ ଜୁନରେ ଖରାଦିନ ଛୁଟିକୁ ମିଶାଇ ୩୩ଟି, ଜୁଲାଇରେ ୧ଟି, ଅଗଷ୍ଟରେ ୬ଟି, ସେପ୍ଟେମ୍ବରରେ ୧ଟି, ଅକ୍ଟୋବରରେ ଦୁର୍ଗାପୂଜା ଛୁଟିକୁ ମିଶାଇ ୧୦ଟି, ନଭେମ୍ବରରେ ୩ଟି, ଡିସେମ୍ବରରେ ୨ଟି ଏବଂ ସଂରକ୍ଷଣ ଛୁଟି ୨ଟି ରହିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସଂସ୍କାର ଆଣିବାକୁ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଉଦ୍ୟମ କରୁଛନ୍ତି । ଛୁଟି ପାଇଁ ଯେପରି ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିଲାଗି ଅଧ୍ୟକ୍ଷ ନଜର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.