Latest Odisha News

BREAKING NEWS

ଅସହାୟ ବୃଦ୍ଧାଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଭଙ୍ଗା ଛପର କୁଡ଼ିଆରେ କଟୁଛି ଜୀବନ

ଜଗତସିଂହପୁର: ଏ ମୁହଁକୁ ଦେଖିଲେ ଯେମିତି ଦୁଃଖର ପାହାଡ଼ରୁ ଲୁହର ଝରଣା ବହି ଯାଉଥିବା ପରି ଲାଗୁଛି । ବୟସର ଅପରାହ୍ନରେ ଦୁଃଖ ଯନ୍ତ୍ରଣା ଦାଉରେ ଲୁହକୁ ଅଟକେଇବାକୁ ସତେ ଯେମିତି ଅସମର୍ଥ ପାଲଟି ଯାଇଛି ଆଖି । ବୟସ ଛୁଇଁଲାଣି ୭୨ । ନିଜର ବୋଲି କେହି ନାହାଁନ୍ତି । ଦୁଇ ବର୍ଷ ତଳେ ଚାଲିଯାଇଥିଲେ ସ୍ୱାମୀ । ଭଙ୍ଗା ଦଦରା ଛପର କୁଡ଼ିଆରେ ପଡ଼ି ରହିଛନ୍ତି ଏହି ଅସହାୟ ବୃଦ୍ଧା । କାହା ହାତ ଟେକା ମୁଠାଏ ତୋରାଣୀରେ ବଞ୍ଚୁଛି ଏ ଜୀବନ…ଏତକ ନମିଳିଲେ ଉପାସରେ କଟୁଛି ଦିନ ଭତ୍ତା ଟିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସେ । ହେଲେ କେହି ଶୁଣୁ ନାହାଁନ୍ତି ଦୁଃଖ । ଏହି ବୃଦ୍ଧାଙ୍କ ପାଇଁ ସରକାରୀ ଆବାସ ବି ପାଲଟିଛି ସାତ ସପନ ।

ଆମେ କହୁଛୁ, ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ଗାଁର ୭୨ ବର୍ଷୀୟ ଅସହାୟ ବୃଦ୍ଧା ଛଇ ଦେଇଙ୍କ କଥା । ଗତ ଦୁଇ ବର୍ଷ ତଳେ ସ୍ୱାମୀ କୃଷ୍ଣଚନ୍ଦ୍ର ସାମଲ ଛାଡ଼ି ଚାଲି ଯାଇଥିଲେ ଆରପାରିକୁ ।  ଆଉ ବୃଦ୍ଧାଙ୍କର କୌଣସି ସନ୍ତାନ ସନ୍ତତି ନାହାଁନ୍ତି । ଚାରିଖଣ୍ଡ ବାଉଁଶ ଉପରେ ବରଡ଼ା ତାଟି ଛପରକୁ ନେଇ କୁଡ଼ିଆ ହଠାତ୍‌ ଏହି କୁଡ଼ଆକୁ ଦେଖିଲେ ସେଥିରେ ମଣିଷ କେହି ରହୁଛି ବୋଲି ଆପଣ ସହଜରେ ବିଶ୍ୱାସ କରିପାରିବେନି । ଛଇ ଦେଇ ଶୀତ ଓ ଖରାରେ ଏଇଠି ସିନା ଦିନ କାଟିଥା’ନ୍ତି ହେଲେ ବର୍ଷାଦିନେ ତାଙ୍କ ଦୁଃଖ ବଢ଼ିଯାଏ ।

ତିନି ତିନି ଥର ଭତ୍ତାଟିଏ ପାଇଁ ଆବେଦନ କଲେଣି ଛଇ ଦେଇ । ହେଲେ ତାହା ମିଳିବା ସମ୍ଭବ ହୋଇ ପାରିନାହିଁ । ସରକାରୀ ଆବାସ ବି ପାଲଟିଛି ଅପହଞ୍ଚ । ସରକାର ପ୍ରଶାସନିକ ଅଧିକାରୀଙ୍କୁ ସରକାର ମୋଟା ଅଙ୍କର ଦରମା ସାଙ୍ଗକୁ, ସରକାରୀ ଗାଡି, ବଙ୍ଗଳା ଆଦି ସବୁ ସୁବିଧା ଯୋଗାଇ ଦେଇଛନ୍ତି । ହେଲେ ଏଭଳି ଦୁଃଖୀଙ୍କ ପାଖରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଦୁଃଖ ବୁଝିବାରେ କ’ଣ ଅସୁବିଧା ରହୁଛି ବୋଲି ପ୍ରଶ୍ନ କରିଛନ୍ତି ବୃଦ୍ଧା ? ଟିକେ ଶୁଣନ୍ତୁ କେମିତି ନିଜର ଦୁଃଖ ବଖାଣୁଛନ୍ତି ଏହି ବୃଦ୍ଧା ଛଇଦେଇ ।

ଛଇଙ୍କର ଏଭଳି ପ୍ରଶ୍ନ କରିବା ସ୍ୱାଭାବିକ୍‌ ଅଟେ । କାରଣ ଏହି ବୃଦ୍ଧାଙ୍କର ଦୁଃଖ ସହି ନପାରି ସାଇ ପଡିଶା ତଥା ଗ୍ରାମବାସୀ ମାନେ ଅନେକ ଥର ସାହାଯ୍ୟର ହାତ ବଢ଼ାଇ ଆସିଛନ୍ତି ।ହେଲେ ପ୍ରଶାସନ ତରଫରୁ ବୃଦ୍ଧାଙ୍କୁ କୌଣସି ସୁବିଧା ମିଳିପାରି ନାହିଁ । ଗ୍ରାମବାସୀ ମାନେ ମଧ୍ୟ ଏହି ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅନେକ ଥର ପ୍ରଶାସନଙ୍କ ପାଖରେ ନିବେଦନ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ  ।

ଏ ଦୃଶ୍ୟକୁ ଦେଖିବା ପରେ ଯଦି ଏହି ଅସହାୟ ବୃଦ୍ଧାଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ତାଙ୍କୁ ସହାୟତାର ହାତ ବଢ଼ାଇବେ ତେବେ ଏହି ବୃଦ୍ଧାଙ୍କ ଦୂର ହୋଇପାରନ୍ତା ।

Leave A Reply

Your email address will not be published.