Latest Odisha News

BREAKING NEWS

ପୁରୀ ପୋଲିସର ବଡ଼ ସଫଳତା: ୭୫ ଜଣ ନିଖୋଜ ନାବାଳିକା/ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର

ପୁରୀ: ଜିଲ୍ଲାରେ ନିଖୋଜ ବ୍ୟକ୍ତିମାନଙ୍କୁ ସନ୍ଧାନ କରି ତାଙ୍କୁ ସୁରକ୍ଷିତ ଭାବରେ ପରିବାର ସହିତ ମିଶାଇବା ପାଇଁ ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ ରହିଛି। ୨୦୨୬ ମସିହାରେ ପୁରୀ ଜିଲ୍ଲାର ବିଭିନ୍ନ ପୋଲିସ ଥାନା ଦ୍ୱାରା ଚାଲିଥିବା ତଦନ୍ତ ଓ ସନ୍ଧାନ ଅଭିଯାନର ଫଳସ୍ୱରୂପ ମୋଟ ୭୫ ଜଣ ନିଖୋଜ ନାବାଳିକା/ ପ୍ରାପ୍ତବୟସ୍କଙ୍କୁ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ଅଭିଯାନରେ ପୋଲିସ ଦଳର ସତର୍କ ତଦନ୍ତ, ପ୍ରଯୁକ୍ତିର ବ୍ୟବହାର ଏବଂ ବିଭିନ୍ନ ରାଜ୍ୟର ପୋଲିସ ସହ ଯୋଗାଯୋଗ ଫଳରେ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜି ପାଇଯାଇଥିଲା।

ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅପ୍ରାପ୍ତ, ବୟସ୍କ, ଛାତ୍ରଛାତ୍ରୀ ଓ ପ୍ରାପ୍ତବୟସ୍କ ପୁରୁଷ-ମହିଳା ମଧ୍ୟ ରହିଛନ୍ତି। ଏହି ବର୍ଷ ଉଦ୍ଧାର ହୋଇଥିବା ନାବାଳିକା ଛାତ୍ରଛାତ୍ରୀ / କନ୍ୟା ୨୯ ଜଣ ପ୍ରାପ୍ତବୟସ୍କ ପୁରୁଷ / ମହିଳା ୪୬ ଜଣ ଏହା ସହ ମୋଟ ଉଦ୍ଧାର ୭୫ ଜଣ। ପୁରୀ ପୋଲିସର ବିଭିନ୍ନ ଥାନାର ଅଧିକାରୀମାନେ ଓ କର୍ମଚାରୀମାନେ ନିଖୋଜ ବ୍ୟକ୍ତିମାନଙ୍କ ଖୋଜଖବର ପାଇଁ ନିରନ୍ତର ତଦନ୍ତ କରିଥିଲେ। ଅନେକ କେସ୍‌ରେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟର ପୋଲିସ ସହ ସମନ୍ୱୟ ସ୍ଥାପନ କରାଯାଇ ଏହି ଅଭିଯାନକୁ ସଫଳ କରାଯାଇଛି। ପୋଲିସର ସମୟୋପଯୋଗୀ ପଦକ୍ଷେପ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ନିଖୋଜ ବ୍ୟକ୍ତିମାନେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇ ପୁନର୍ବାର ତାଙ୍କ ପରିବାରଙ୍କ ନିକଟକୁ ପହଞ୍ଚି ପାରିଛନ୍ତି।

ନିଖୋଜ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଘଟଣାରେ ଶିଶୁମାନେ ଘରୁ ଅସନ୍ତୋଷ ବା ଭ୍ରମରେ ବାହାରିଯାଇଥିବା ବେଳେ, କେତେକ କେସ୍‌ରେ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ଚାକିରି, କାମ କିମ୍ବା ବ୍ୟକ୍ତିଗତ କାରଣରେ ଘରୁ ଚାଲିଯାଇଥିବା ଦେଖାଯାଇଛି। ଏହି ପରି ସମସ୍ତ ଘଟଣାରେ ପୋଲିସ ତତ୍‌କ୍ଷଣାତ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ସନ୍ଧାନ ଚଲାଇଥିଲା। ପୁରୀ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ ଯଦି କୌଣସି ବ୍ୟକ୍ତି ନିଖୋଜ ହେବା ସମ୍ବନ୍ଧରେ ସୂଚନା ମିଳେ କିମ୍ବା କୌଣସି ସନ୍ଦିଗ୍ଧ ଘଟଣା ଦେଖାଯାଏ, ତେବେ ତତ୍‌କ୍ଷଣାତ୍ ନିକଟସ୍ଥ ପୋଲିସ ଥାନାକୁ ଜଣାନ୍ତୁ। ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଏହିପରି ଅଭିଯାନକୁ ସଫଳ କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ସନ୍ଧାନ କରିବା ଓ ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ସମାନ ଭାବରେ ସଚେତନ ରହିବ। କୌଣସି ସୂଚନା ମିଳିଲେ ତତ୍‌କ୍ଷଣାତ୍ ଜରୁରୀ ସହାୟତା ନମ୍ବର ୧୧୨ କୁ ଫୋନ କରନ୍ତୁ।

Leave A Reply

Your email address will not be published.