Latest Odisha News

BREAKING NEWS

ଆଦିବାସୀ ମେଳା-୨୦୨୩ ମେଳାର ସପ୍ତମ ଦିବସ

ଜନଜାତି ନୃତ୍ୟ ଦର୍ଶକଙ୍କ ମନମୋହିଲା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଆଜି ସପ୍ତମ ଦିବସରେ ପହଞ୍ଚିଛି ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ, କଳାବସ୍ତୁ ବିଭାଗର ଜନଜାତି ଅଳଙ୍କାର ଷ୍ଟଲ, କାଠ ତିଆରି ସୁନ୍ଦର କାରୁକାର୍ଯ୍ୟ, ଆଦିବାସୀ ହାଟର ମହୁ, ହଳଦୀ, ଝାଡ଼ୁ, ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ, ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ସୁନ୍ଦର ଓ ଆକର୍ଷଣୀୟ ମଡେଲ ସମେତ ଅନ୍ୟାନ୍ୟ ଷ୍ଟଲଗୁଡ଼ିକରେ ବିକ୍ରିବଟା ସହିତ ଲୋକମାନଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ମେଳାରେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଜନଜାତି ଶିଳ୍ପୀ ଓ କାରିଗରଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ସନ୍ଧ୍ୟାରେ ଅନୁଷ୍ଠିତ ଜନଜାତି ନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ମାଦଳ, ଧୁମ୍‌ସା ବାଦ୍ୟଯନ୍ତ୍ରର ତାଳେ ତାଳେ ସୁନ୍ଦରଗଡ଼ ଅଞ୍ଚଳର ଅନନ୍ୟ ସଂସ୍କୃତି ସମ୍ପନ୍ନ ଜନଜାତି ମୁଣ୍ଡାରିଙ୍କ ମୁଣ୍ଡାରୀ ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା । କୁଟିଆ କନ୍ଧଙ୍କ ଢାପ ନୃତ୍ୟରେ ଦର୍ଶକମାନେ ଆମୋଦିତ ହୋଇଥିଲେ । ସେହିଭଳି ସୁନ୍ଦରଗଡ଼ର କିଷାନ ନୃତ୍ୟ, ରାୟଗଡ଼ାର ଡଙ୍ଗରିଆ କନ୍ଧ ନୃତ୍ୟ, ଚମ୍ପୁଆର କୋହ୍ଲ ନୃତ୍ୟ, ରାୟଗଡ଼ାର କାଠି ନୃତ୍ୟ ସହିତ ବୁଗୁଡ଼ାକୁଦରର ଭୂୟାଁ ଜନଜାତିଙ୍କ ଚାଙ୍ଗୁ ବାଦ୍ୟଯନ୍ତ୍ରରେ ନୃତ୍ୟ ଅତ୍ୟନ୍ତ ମନୋରମ ହୋଇଥିଲା। ମେଳା ବୁଲିବା ଅବସରରେ ବିଭିନ୍ନ ଜନଜାତିଙ୍କ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ । ଏହି ମେଳା ଆଗାମୀ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Leave A Reply

Your email address will not be published.