Latest Odisha News

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦେଇ ବିଶ୍ବାସ ଭାଜନ ହେବା ସହିତ ତଦନୁଯାୟୀ ଟଙ୍କା ମଧ୍ୟ ଦେଉଥିଲେ ।

ପ୍ରଥମେ ଯେତେବେଳେ ଲୋକମାନେ ଅଳ୍ପ ପଇସା ଲଗାଉଥିଲେ, ସେତେବେଳେ ସେମାନେ ପୀଡ଼ିତ/ପୀଡ଼ିତା ମାନଙ୍କୁ ମୂଳ ପଇସା ସହିତ କିଛି କମିଶନ ମିଶାଇ ସେମାନଙ୍କ ଅକାଉଣ୍ଟକୁ ଦେଉଥିଲେ । ଏହିପରି ଭାବରେ ବିଶ୍ବାସ ଜନ୍ମାଇଲା ପରେ, ଅଧିକ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ପୀଡ଼ିତ/ ପୀଡ଼ିତା ଟଙ୍କା ଦେଇସାରିଲା ପରେ ଯେତେବେଳେ ଟଙ୍କା ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ସେମାନେ ପୁନର୍ବାର ଅଧିକ ଟଙ୍କା ବିନିଯୋଗ କଲା ପରେ ପ୍ରତ୍ୟାହାର କରିବାର ଆଶ୍ଵାସନା ଦେଉଥିଲେ, କିନ୍ତୁ ବାସ୍ତବରେ ସେ ଟଙ୍କା ପ୍ରତ୍ୟାହାର ହେଇପାରୁ ନଥିଲା ।

ଏହିପରି ଭାବେ ସେମାନେ କମିଶନ, ଜିଏସଟି ଆଦି ବିଭିନ୍ନ ପ୍ରକାରର ବାହାନା ଦେଖାଇ ପୀଡ଼ିତଙ୍କ ଠାରୁ ସର୍ବମୋଟ ୧୪, ୫୩,୦୪୩ ଟଙ୍କା ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଠକି ନେଇଥିଲେ । ଘଟଣାର ଅଭିଯୋଗ ପରେ, ସାଇବର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତ ଥିବା ନିମ୍ନୋକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଭିଯୁକ୍ତଙ୍କର ବିଭିନ୍ନ ବ୍ଯାଙ୍କରେ ଥିବା ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ସେମାନେ ଏହି ଅପରାଧ ଲାଗି ବ୍ୟବହାର କରିଥିବା ସିମ୍ ଗୁଡ଼ିକୁ ମଧ୍ୟ ଜବତ କରାଯାଇଛି । ଠକ ମାନଙ୍କ ଆକାଉଣ୍ଟରେ ଥିବା ମୋଟ ୬,୩୨,୮୦୦ ଟଙ୍କାକୁ ମଧ୍ୟ ଫ୍ରିଜ କରାଯାଇଛି । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାଲେଶ୍ୱରର ୫ ଜଣ ରହିଥିବା ବେଳେ ସମ୍ବଲପୁରର ୨ ଜଣ ଓ ସୁନ୍ଦରଗଡ଼ର ଜଣେ ଅଛନ୍ତି ।

Leave A Reply

Your email address will not be published.