Latest Odisha News

BREAKING NEWS

Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…

କାଠମାଣ୍ଡୁ: ପଡୋଶୀ ନେପାଳରେ ଜଳ ବିଭୀଷିକା । ନେପାଳରେ ପ୍ରକୃତି ଦେଖାଇଛି ତା’ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶହ ଶହ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ନେପାଳର ରସୁୱା ଜିଲ୍ଲାରେ ବୁଧବାର ଭୋଟେକୋଶୀ ନଦୀରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ୩୮୪ ଜଣ ଯାତ୍ରୀଙ୍କ ଠିକଣା ମିଳୁନଥିବା ନେପାଳ ଟୁରିଜମ୍ ବୋର୍ଡର ପ୍ରାଥମିକ ତାଲିକାରୁ ଜଣାପଡ଼ିଛି। ଏହି ତାଲିକାରେ ୨୯୧ ଜଣ ବିଦେଶୀ ଏବଂ ୯୩ ଜଣ ନେପାଳୀ ନାଗରିକ ଅଛନ୍ତି। ବିଦେଶୀଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଥିବା ବେଳେ ୩୭ ଜଣଙ୍କୁ ଅଣ-ନିବାସୀ ଭାରତୀୟ (NRI) ଭାବେ ତାଲିକାଭୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ଆମେରିକା, ମାଲେସିଆ, ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାର ନାଗରିକ ମଧ୍ୟ ତାଲିକାରେ ଅଛନ୍ତି। ତେବେ ଏହା ପ୍ରାଥମିକ ତାଲିକା, ଚୂଡ଼ାନ୍ତ ନୁହେଁ। ନେପାଳ ଟୁରିଜମ୍ ବୋର୍ଡ ୧୦ଟି ପର୍ଯ୍ୟଟନ ଓ ଟ୍ରାଭେଲ୍ ଏଜେନ୍ସିଠାରୁ ମିଳିଥିବା ସୂଚନା ଆଧାରରେ ତାଲିକା ପ୍ରସ୍ତୁତ କରିଛି। ଟୁରିଷ୍ଟ ପୋଲିସ, ଟ୍ରାଭେଲ୍ ଏଜେନ୍ସି, ଗାଇଡ୍, ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀ ମିଳିତ ଭାବେ ସମସ୍ତଙ୍କ ଠିକଣା ଓ ସୁରକ୍ଷା ସ୍ଥିତି ଯାଞ୍ଚ କରୁଛନ୍ତି। ଅଧିକ ତଥ୍ୟ ଯାଞ୍ଚ ହେବା ପରେ ନିଖୋଜ ଯାତ୍ରୀଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହେବ।

 

ପ୍ରାଥମିକ ସୂଚନା ଅନୁସାରେ, ବନ୍ୟାରେ ପ୍ରାୟ ୧,୦୦୦ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି। ତେବେ ଏହି ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ଭାବେ ନିଶ୍ଚିତ ହୋଇନାହିଁ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଥିବାରୁ ମୃତାହତ ଓ ନିଖୋଜଙ୍କ ପ୍ରକୃତ ସଂଖ୍ୟା ପରେ ସ୍ପଷ୍ଟ ହେବ।

ବୁଧବାର ସକାଳ ପ୍ରାୟ ୯ଟା ସମୟରେ ରସୁୱା ଜିଲ୍ଲାରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା। ପ୍ରବଳ ଜଳସ୍ରୋତରେ ନଦୀକୂଳରେ ଥିବା ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା। ଗାଁ ସହିତ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ମଧ୍ୟ ବନ୍ୟାଜଳରେ ଧୋଇଯାଇଥିବା ଖବର ମିଳିଛି। ବିପଦକୁ ଦେଖି ନଦୀକୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା।

ବିପର୍ଯ୍ୟୟ ପରେ ନେପାଳ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ପ୍ରଭାବିତ ବୁସି ଓ ତୁସୁ ଅଞ୍ଚଳରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୧୫ଟି ହେଲିକପ୍ଟର ମୁତୟନ କରାଯାଇଛି। ଏଥିରୁ ୭ଟି ହେଲିକପ୍ଟର ନେପାଳ ସେନାର ହୋଇଥିବା ବେଳେ ଅନ୍ୟଗୁଡ଼ିକୁ ବିଭିନ୍ନ ସଂସ୍ଥା ପକ୍ଷରୁ ମୁତୟନ କରାଯାଇଛି। ଆହତ ଓ ଉଦ୍ଧାର ହୋଇଥିବା ଲୋକଙ୍କ ଚିକିତ୍ସା ପାଇଁ ମାଚ୍ଛିଲି ପ୍ରଶିକ୍ଷଣ ଶିବିରରେ ଏକ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯାଇଛି।

ରସୁୱା ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ସ୍ୟାଫ୍ରୁବେସୀ ଓ ତିମୁରେ ଏହି ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ତିବ୍ବତ ସୀମା ନିକଟରେ ଥିବା ଏହି ଅଞ୍ଚଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଘର, ଗାଁ ଓ ପ୍ରକଳ୍ପ ସ୍ଥଳୀ ବନ୍ୟାଜଳରେ ଭାସିଯାଇଥିବା ଜଣାପଡ଼ିଛି। ଆହୁରି ବନ୍ୟା ଆସିବାର ଆଶଙ୍କା ଥିବାରୁ ଭୋଟେ କୋଶୀ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ନେପାଳ ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଭୋଟେ କୋଶୀ ନଦୀର ଜଳସ୍ତର ହଠାତ୍ ବଢ଼ିଯିବା ଯୋଗୁଁ ଏହି ଆକସ୍ମିକ ବନ୍ୟା ଆସିଥିଲା। ଏହି ନଦୀ ତିବ୍ବତ ପାର୍ଶ୍ୱରୁ ଉତ୍ପତ୍ତି ହୋଇଛି। ଏହି ପରିସ୍ଥିତିକୁ ଦେଖି ତ୍ରିଶୂଳୀ ନଦୀ ଅବବାହିକାରେ ଥିବା ନୁୱାକୋଟ, ଧାଦିଙ୍ଗ, ଚିତୱନ ଓ ଗୋରଖା ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ନେପାଳରେ ହଠାତ୍ ଆସିଥିବା ଏହି ବିନାଶକାରୀ ବନ୍ୟା ପରେ ପ୍ରଧାନମନ୍ତ୍ରୀ ବାଲେନ ଶାହ ଜାତୀୟ ବିପର୍ଯ୍ୟୟ ପରିଚାଳନା ପରିଷଦର ଏକ ଜରୁରୀ ବୈଠକ ଡାକିଛନ୍ତି। ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ, ସେନେଇ ବୈଠକରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଅସିମ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରଭାବିତ ଜିଲ୍ଲାଗୁଡ଼ିକର ମୁଖ୍ୟ ଜିଲ୍ଲା ଅଧିକାରୀମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ଏବଂ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

ନେପାଳର ରସୁୱାରେ ଏହି ପ୍ରକୃତିର କରାଳ ରୂପ ଏବେ ବଡ଼ ମାନବୀୟ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି କରିଛି। ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜୋରଦାର ଭାବେ ଜାରି ରହିଥିବାରୁ ମୃତାହତ ଓ କ୍ଷୟକ୍ଷତିର ପ୍ରକୃତ ଚିତ୍ର ଆଗାମୀ ସମୟରେ ସ୍ପଷ୍ଟ ହେବ।

Comments are closed.