Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
ଭୁବନେଶ୍ବର:ଏସିଆ ରଗବି ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଭାରତୀୟ ସିନିୟର ପୁରୁଷ ଓ ମହିଳା ଦଳ ଘୋଷଣା । ଚୀନର ସୁଝୋଠାରେ ପ୍ରଥମ ରାଉଣ୍ଡ ହେବ ଏବଂ ଶେଷ ରାଉଣ୍ଡ ଅକ୍ଟୋବରରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ଏହି ସିରିଜ୍ ଆଇଚି-ନାଗୋୟା ୨୦୨୬ ଏସୀୟ ଖେଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏସିଆ ରଗ୍ବୀ ଏମିରେଟ୍ସ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଘୋଷଣା ହୋଇଥିବା ଭାରତୀୟ ସିନିୟର ପୁରୁଷ ଓ ମହିଳା ଦଳରେ ଓଡ଼ିଶାର ୬ ଜଣ ପ୍ରତିଭାବାନ ଖେଳାଳି ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଭାରତୀୟ ସିନିୟର ପୁରୁଷ ଦଳରେ ଓଡ଼ିଶାର ତାରକା ଖେଳାଳି ଆସିସ ସବର ଏବଂ ଗଣେଶ ମାଝୀ ସ୍ଥାନ ପାଇଥିବା ବେଳେ ମହିଳା ଦଳରେ ଓଡ଼ିଶାର ଡୁମୁଣୀ ମାରାଣ୍ଡିଙ୍କୁ ଭାରତୀୟ ଦଳର ଉପ-ଅଧିନାୟିକା ଭାବେ ଏକ ବଡ଼ ଦାୟିତ୍ୱ ମିଳିଛି । ତାଙ୍କ ସହ ଓଡ଼ିଶାର ଅନ୍ୟ ତିନି ପ୍ରମୁଖ ମହିଳା ଖେଳାଳି ମାମା ନାଏକ, ନିର୍ମାଲ୍ୟା ରାଉତ ଓ ସନ୍ଧ୍ୟାରାଣୀ ଟୁଡୁ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଦଳଗୁଡ଼ିକ ଅଗଷ୍ଟ ୨୬ରେ ସୁଝୋ ଯାତ୍ରା କରି ଏବଂ ଅଗଷ୍ଟ ୩୧ରେ ଫେରିବେ। ଦ୍ୱିତୀୟ ତଥା ଶେଷ ରାଉଣ୍ଡ ଅକ୍ଟୋବର ୧୭-୧୮ରେ ଶ୍ରୀଲଙ୍କାର କଲମ୍ବୋରେ ହେବ। ଯେଉଁଠାରେ ୨୦୨୬ ଚାମ୍ପିଅନ୍ ଘୋଷିତ ହେବେ। ସମସ୍ତ ମ୍ୟାଚ୍ ଏସିଆ ରଗବିର ୟୁଟ୍ୟୁବ୍ ଚ୍ୟାନେଲ୍ ଓ ରଗବି ପାସ୍ ଟିଭିରେ ଲାଇଭ୍ ପ୍ରସାରିତ ହେବ।
ପୁରୁଷ ଦଳ ୨୦୨୫ରେ ଏସିଆ ରଗବି ଏମିରେଟସ୍ ସେଭେନ୍ସ ଟ୍ରଫିରୁ ପ୍ରମୋସନ୍ ପାଇ ଏହି ସିରିଜ୍ରେ ପ୍ରବେଶ କରିଛନ୍ତି। ଦଳ ପୁଲ୍ ‘ଏ’ ରେ ଜାପାନ, ୟୁଏଇ ଓ ସିଙ୍ଗାପୁର ସହିତ ରହିଛନ୍ତି । ସେହିପରି ମହିଳା ଦଳ ଗତ ବର୍ଷ ୧୦ମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନତି କରି ଦ୍ୱିତୀୟ କ୍ରମାଗତ ସିଜିନ ପାଇଁ ସିରିଜ୍ରେ ସ୍ଥାନ ବଜାୟ ରଖିଛନ୍ତି। ମହିଳା ଦଳ ପୁଲ୍ ‘ଡି’ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ, ୟୁଏଇ ଓ ଇରାନ ସହିତ ରହିଛନ୍ତି।
ରଗବି ଇଣ୍ଡିଆର ପ୍ରେସିଡେଣ୍ଟ ରାହୁଲ ବୋସ୍ କହିଛନ୍ତି, “ଏସିଆ ରଗବି ଏମିରେଟସ୍ ସେଭେନ୍ସ ସିରିଜ୍ ଆମର ଉଭୟ ଦଳ ପାଇଁ ଏସିଆର ଶୀର୍ଷ ଦେଶମାନଙ୍କ ମଧ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ମହିଳା ଦଳ ଗତ ବର୍ଷଠାରୁ ମଜବୁତ ଭିତ୍ତି ତିଆରି କରିଛନ୍ତି ଏବଂ ପୁରୁଷ ଦଳର ପ୍ରମୋସନ୍ ଏକ ନୂଆ ଅଧ୍ୟାୟ ଖୋଲିଛି। ଆମେ ଉଭୟ ଦଳ ଆତ୍ମବିଶ୍ୱାସ ଓ ଗର୍ବର ସହିତ ସୁଝୋରେ ପ୍ରତିଯୋଗିତା କରିବେ ବୋଲି ଆଶା କରୁଛୁ।”

