Latest Odisha News

BREAKING NEWS

ଖଣି ଦୁର୍ନୀତିର ଖୋଳତାଡ ପାଇଁ ଗଠନ ହେଲା ୮ ଜଣିଆ ଏସଆଇଟି

ଭୁବନେଶ୍ୱର: ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍‍ସ ପକ୍ଷରୁ ୮ ଜଣିଆ SIT ଗଠନ କରାଯାଇଛି।

ଭିଜିଲାନ୍ସ ଆଇଜି ସଞ୍ଜୟ କୌଶଲଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି। ସୁନ୍ଦରଗଡ଼ କୋଇଡା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ଛାନଭିନ୍‌ ହେବ। ପ୍ରାଥମିକ ତଦନ୍ତରେ ୨ ଅଞ୍ଚଳରେ ଥିବା ଖଣି ସଂସ୍ଥାର କାଗଜପତ୍ର ଯାଞ୍ଚ ହେବ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନ୍‍ରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି। ଯାହାର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗ୍ରାମରେ, ୩ଟି ରତ୍ନସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗ୍ରାମରେ ଅବସ୍ଥିତ। ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି। ଏଥିସହିତ ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି ।

Comments are closed.