ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଏଥିରେ କରୁଣ ନାୟାରଙ୍କୁ ସୁଯୋଗ ମିଳିଛି । ୮ ବର୍ଷ ପରେ କରୁଣ ଜାତୀୟ ଦଳକୁ ଫେରିଛନ୍ତି । କିଛି ଦିନ ତଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ କ୍ରିକେଟ ମୋତେ ଆଉ ଥରେ ସୁଯୋଗ ଦିଅ ବୋଲି ଲେଖିଥିଲେ । ୨୦୧୭ରେ କରୁଣ ଶେଷ ଥର ପାଇଁ ଭାରତ ପକ୍ଷରୁ ଟେଷ୍ଟ ଖେଳିଥିଲେ । ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ କରୁଣ ତ୍ରିଶତକ ମାରି ରାତାରାତି ଚର୍ଚ୍ଚାକୁ ଆସିଥିଲେ । ମାତ୍ର ଏହା ପରେ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା । କିଛି ଦିନ ପରେ ତାଙ୍କୁ ଜାତୀୟ ଦଳରୁ ବାଦ ଦିଆଯାଇଥିଲା ।
ସେବେଠାରୁ ସେ ବାରମ୍ବାର ଚେଷ୍ଟା କରି ମଧ୍ୟ ଦଳକୁ ଫେରି ପାରି ନ ଥିଲେ । ସେ ହାର ମାନି ନ ଥିଲେ । ୨୦୧୭ରେ ସେ ନର୍ଥାମ୍ପଟନଶାୟର ପକ୍ଷରୁ ଖେଳିଥିଲେ । ୮୩ ଆଭରେଜରେ କରୁଣ ୨୪୯ ରନ କରିଥିଲେ । ଚାମ୍ପିୟନ ସରେ ବିପକ୍ଷରେ ମଧ୍ୟ ସେ ଶତକ ହାସଲ କରିଥିଲେ । ଏହାର ବର୍ଷକ ପରେ ସେ ୭ ମ୍ୟାଚରେ ୪୮୭ ରନ କରିଥିଲେ । ଜାତୀୟ ଦଳକୁ ଫେରିବା ପାଇଁ ଏହା କିନ୍ତୁ ଯଥେଷ୍ଟ ନ ଥିଲା । ତାଙ୍କ ଆତ୍ମବିଶ୍ୱାସ କିନ୍ତୁ ଫେରିଥିଲା । କର୍ଣ୍ଣାଟକ ଟିମ ଛାଡି ସେ ବିଦର୍ଭ ପକ୍ଷରୁ ଖେଳିବା ପାଇଁ ନିଷ୍ପତି ନେଇଥିଲେ । କରୁଣ ବିଦର୍ଭ ପକ୍ଷରୁ ୧୦ ମ୍ୟାଚରୁ ୨ଟି ଶତକ ଓ ୩ ଅର୍ଦ୍ଧଶତକ ସହାୟତାରେ ୬୯୦ ରନ କରିଥିଲେ ।
୨୦୨୪ରେ ୪ ଶତକ ସହ ୮୬୩ ରନ ହାସଲ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ୭ ମ୍ୟାଚରୁ ୫ରେ ଶତକ ମାରିଥିଲେ । ନାୟାର ପ୍ରଭାବୀ ପ୍ରଦର୍ଶନ ବଳରେ ବିଦର୍ଭ ରଣଜୀ ଚାମ୍ପିୟନ ହୋଇଥିଲା । ଭିଭିଏସ ଲକ୍ଷ୍ମଣଙ୍କ ପରେ ନାୟାର ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଲକ୍ଷ୍ମଣଙ୍କ କ୍ୟାରିୟର ଯେପରି ନୂଆ ମୋଡ ନେଇଥିଲା କରୁଣ ଟେଷ୍ଟ କ୍ୟାରିୟର ଉଜ୍ଜ୍ୱଳମୟ ହେବ ବୋଲି ଆଶା କରାଯାଉଛି ।
Comments are closed.