Latest Odisha News

BREAKING NEWS

ଟେନସନରେ ବନ ବିଭାଗ; କୋଡିଏ ଦିନରେ ୮ ବାଘଙ୍କ ଗଲାଣି ଜୀବନ

ମହାରାଷ୍ଟ୍ର: ଚଳିତ ବର୍ଷ ଜାନୁଆରୀ ମାସର ପ୍ରଥମ ୨୦ ଦିନରେ ଭାରତରେ ୧୪ଟି ବାଘର ମୃତ୍ୟୁ ଘଟିଛି । ଚିନ୍ତାର ବିଷୟ ହେଲା, କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆଠଟି ବାଘର ମୃତ୍ୟୁ ହୋଇଛି । ଏବେ ମହାରାଷ୍ଟ୍ରରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗର ଚିନ୍ତା ବଢି ଯାଇଛି ।

ସୂଚନାମୁତାବକ, ପଶ୍ଚିମ ମହାରାଷ୍ଟ୍ରର ସହ୍ୟାଦ୍ରି ବ୍ୟାଘ୍ର ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମାତ୍ର ବିଦର୍ଭ ଅଞ୍ଚଳରେ ବାଘ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଏବେ ବନ ବିଭାଗ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାଜ୍ୟ ଜଙ୍ଗଲ ବିଭାଗର ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ମୃତ୍ୟୁ ସଂରକ୍ଷିତ ଅଞ୍ଚଳ ବାହାରେ ଘଟିଛି। ମୃତ୍ୟୁର କାରଣ ହେଲା ଶିକାର, ଦୁର୍ଘଟଣା ଏବଂ ସଂକ୍ରାମକ ରୋଗ ।

ଚନ୍ଦା ଫୋର୍ଟ-ଗନ୍ଦିଆ ରେଳଲାଇନ ଚନ୍ଦ୍ରପୁର, ଗଡ଼ଚିରୋଲି ଓ ଗନ୍ଦିଆ ଜିଲ୍ଲାର ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଯାଇଛି । ମହାରାଷ୍ଟ୍ରର ସିନ୍ଦେଓ୍ଵାହି ଜଙ୍ଗଲରେ ଚନ୍ଦା ଫୋର୍ଟ-ଗନ୍ଦିଆ ରେଳଲାଇନରେ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ, ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ଏକ ୧୮ ମାସ ବାଘୁଣୀର ମୃତ୍ୟୁ ଘଟିଛି । ରକ୍ସାଉଲ ଏକ୍ସପ୍ରେସ୍ ଧକ୍କାରେ ବାଘୁଣୀ ଟ୍ରାକ୍‌ରୁ ଖସି ପଡିଥିଲା । ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେଠାରେ ବାଘୁଣୀର ମୃତ୍ୟୁ ଘଟିଥିଲା ।

ଜାନୁଆରୀ ଛଅରେ ଭଣ୍ଡାରା ଜିଲ୍ଲାରେ ଏକ ବାଘୁଣୀକୁ ବିଦ୍ୟୁତ ଆଘାତ ଦେଇ ମାରି ଦିଆଯାଇଥିଲା । ବନ ବିଭାଗ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରଖିଛି। ସେହିପରି ଜାନୁଆରୀ ସାତରେ, ୟବତମାଲରେ ଏକ ବାଘୁଣୀର ମୃତଦେହ ମିଳିଥିଲା । ମୃତ ବାଘୁଣୀର  ଦୁଇଟି ମୁଖ୍ୟ ଦାନ୍ତ ନଥିଲା ।  ସେହିପରି ଜାନୁଆରୀ ୧୪ରେ ଗୋନ୍ଦିଆ ଜିଲ୍ଲାରେ ଏକ ବାଘର ମୃତ୍ୟୁ ସଂକ୍ରାମକ ରୋଗ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି।

Comments are closed.