Latest Odisha News

BREAKING NEWS

୩୪ ବର୍ଷ ପରେ ଆତ୍ମସମର୍ପଣ କଲେ ଜେଲ୍ରୁ ଖସିଯାଇଥିବା କଏଦି

ଥିରୁବନ୍ତପୁରମ୍: କେରଳର କନ୍ନୁର ଜିଲ୍ଲାରୁ ଏକ ରୋଚକମୟ ଖବର ସାମ୍ନାକୁ ଆସିଛି। ୩୪ ବର୍ଷ ପୂର୍ବେ ଜେଲ୍ରୁ ଫେରାର ହୋଇଯାଇଥିବା ଜଣେ କଏଦି ଏବେ ନିଜେ ଆସି ଆତ୍ମସମର୍ପଣ କରିଛି । ଏହି କାହାଣୀ ହେଉଛି ଭାସ୍କରନ୍ ନାମକ ଜଣେ କଏଦୀଙ୍କର, ଯିଏକି ୩୪ ବର୍ଷ ପୂର୍ବେ ପାରୋଲରେ ଜେଲରୁ ବାହାରିଥିଲେ କିନ୍ତୁ ଆଉ ଫେରି ନଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାସ୍କରନ୍ ୩୪ ବର୍ଷ ପରେ ଏବେ ନିଜେ ହଠାତ୍ ଜେଲକୁ ଫେରିଆସି ତା’ର ବାକି ଥିବା ଦଣ୍ଡ ଶେଷ କରିବାକୁ ଚାହୁଁଛି ବୋଲି ପୋଲିସକୁ କହିଛି । ତେବେ ଏକଥା ଶୁଣି ଆପଣ ଏହା କୌଣସି ଚଳଚ୍ଚିତ୍ରର କାହାଣୀ ବୋଲି ଭାବୁଥିବେ । କିନ୍ତୁ ଏହା ହେଉଛି ସତ୍ୟ ଘଟଣା ।

ସୂଚନା ଅନୁସାରେ, ଭାସ୍କରନ୍ କନ୍ନୁର ଜିଲ୍ଲାର ବାସିନ୍ଦା। ୧୯୮୦ ମସିହାରେ ତାଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ଏବଂ ସେ ଜେଲରେ ରହି ଦଣ୍ଡ ଭୋଗୁଥିଲେ। ୧୯୮୯ ରେ, ତାଙ୍କୁ କିଛି ଦିନ ପାଇଁ ପାରୋଲରେ ମୁକ୍ତ କରାଯାଇଥିଲା । କିନ୍ତୁ ପାରୋଲ ଅବଧି ଶେଷ ହେବା ପରେ ସେ ଜେଲକୁ ଆଉ ଫେରିନଥିଲେ । ଏପରିକି ତାଙ୍କୁ ପଳାତକ ମଧ୍ୟ ଘୋଷିତ କରାଯାଇଥିଲା। ଯେତେବେଳେ ଭାସ୍କରନ ଜେଲକୁ ଫେରି ନଥିଲେ, ଜେଲ ପ୍ରଶାସନ ଏବଂ ପୋଲିସ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ । ମାତ୍ର ତାଙ୍କର ପତ୍ତା ମିଳିନଥିଲା । ସମୟ ଗଡିବା ସହ ସେ ହୁଏତ ମୃତ୍ୟୂ ବରଣ କରିଛନ୍ତି ବୋଲି ସମସ୍ତେ ମାନି ନେଲେ । ଅନେକ ଦିନ ପରେ ଶେଷରେ ପ୍ରଶାସନ ତାଙ୍କ ଫାଇଲ୍ ବନ୍ଦ କରିଦେଇଥିଲେ ।

ମାତ୍ର ୩୪ ବର୍ଷ ପରେ, ଅର୍ଥାତ୍ ୨୦୨୩ ମସିହାରେ ଭାସ୍କରନ୍ ହଠାତ୍ ଜେଲକୁ ଫେରି ଅଧିକାରୀମାନଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଅବଶିଷ୍ଟ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଏହି ଅଦ୍ଭୁତ ଆଚରଣ ଦେଖି ଜେଲ ପ୍ରଶାସନ ଏବଂ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଭାସ୍କରନ୍ ତାଙ୍କର ନିଖୋଜ ହେବାର ୩୪ ବର୍ଷ ବିଷୟରେ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ସେ ଏହି ୩୪ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ । ସେ କୌଣସି ବଡ ସହର ନୁହେଁ ବରଂ ଛୋଟ ଛୋଟ ଗାଁରେ ଲୁଚି ରହିଥିଲେ । ଏହି ସମୟ ମଧ୍ୟରେ ସେ ନିଜର ପରିଚୟ ବଦଳାଇ ଅଜ୍ଞାତରେ ଜୀବନ ବିତାଇଥିଲେ । ଏପରିକି ସେ କାହା ସହିତ ଅଧିକ କଥାବାର୍ତ୍ତା ମଧ୍ୟ କରୁନଥିଲେ । ନିଜକୁ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲେ । କିନ୍ତୁ ଏତେ ବର୍ଷ ପରେ, ସେ ହୃଦୟଙ୍ଗମ କଲେ ଯେ ଆଇନରୁ ରକ୍ଷା ପାଇବା ଆଉ ସମ୍ଭବ ନୁହେଁ ତେଣୁ ସେ ପୁନର୍ବାର ଜେଲକୁ ଆସି ଆତ୍ମସମର୍ପଣ କରିଥିଲେ।

Comments are closed.