Latest Odisha News

BREAKING NEWS

ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ; ମିଳିବ ଏମିତି ସୁବିଧା

ପୁରୀ: ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ । ବଡଦାଣ୍ଡରେ କରାଯିବ ବ୍ୟବସ୍ଥା । ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଗଡିବ  ୮୫ଟି ବିଦ୍ୟୁତ ବା ବ୍ୟାଟେରୀ ଚାଳିତ ଯାନ  । ଏହା ଭିତରେ ରହିଛି ୩୫ଟି ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ ମିନି ବସ ଓ ୫୦ଟି ବ୍ୟାଟେରି ଚାଳିତ ଯାନ । ସେତିକି ନୁହେଁ, ଆଗକୁ ପୁରୀରେ ଭୁବନେଶ୍ୱର ପରି ଇଲେକ୍ଟ୍ରିକ ମୋ ବସ୍ ମଧ୍ୟ ଚଳାଚଳ କରିବ ।

ଏହି ଗାଡି ପାର୍କିଂ ସ୍ଥାନରୁ ଭକ୍ତଙ୍କୁ ଆଣି ସିଧା ଛାଡିବ ଶ୍ରୀମନ୍ଦିର ଯିବା ପାଇଁ ହୋଇଥିବା ଭକ୍ତଙ୍କ ଧାଡି ପାଖରେ । ଏହି ୮୫ଟି ଗାଡି ସେତୁ ଓ ନିର୍ମାଣ ନିଗମ ଲିମିଟେଡ କିଣିବାକୁ ଯାଉଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ମିନି ବସରେ ୨୫ ଜଣ ଯାତ୍ରୀ ବସି ପାରିବେ । ବସର ଲମ୍ବ ୨୫ ଫୁଟରୁ ୩୦ ଫୁଟ ମଧ୍ୟରେ । ସେହିପରି ବ୍ୟାଟେରୀ ଚାଳିତ ଅନ୍ୟ ଗାଡିର ଲମ୍ବ ୧୫ ଫୁଟ ରହିଛି । ଐତିହ୍ୟ ସହର ପୁରୀର ବିକାଶ ତଥା ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକ୍ରମ କରାଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବା ପରେ ପୁରୀ ମନ୍ଦିରର ରୂପରେଖ ଏକ ନୂଆ ଅନୁଭୂତି ଆଣିଦେବ । ଏହାକୁ ଅଧିକ ଆକର୍ଷଣୀୟ କରବା ପାଇଁ  ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ଲାଗି ଏସବୁ ବ୍ୟବସ୍ଥା କରାଯାଉଛି ।

 

Leave A Reply

Your email address will not be published.