Latest Odisha News

ଅଷ୍ଟମ ବେତନ କମିଶନ: ବନ୍ଦ ହେବ କି ଓଲ୍ଡ ପେନସନ ସ୍କିମ୍ ?

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ରାଜଧାନୀ ଦିଲ୍ଲୀରେ ରାଜନୈତିକ ପାଣିପାଗ ସରଗରମ ଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଅଷ୍ଟମ ବେତମ କମିଶନ ଲାଗୁ କରିବାର କେତେକ ମୁଖ୍ୟ କାରଣ ଚର୍ଚ୍ଚାକୁ ଆସିଛି। ହେଲେ ଓଲ୍ଡ ପେନସନ ସ୍କିମ୍ (ଓପିଏସ) ପାଇଁ ଏହା ବଡ ସନ୍ଦେଶ ମଧ୍ୟ ହୋଇପାରେ।

ଓଲ୍ଡ ପେନସନ ସ୍କିମ୍ କ’ଣ ?
୨୦୦୪ ବା ଏହା ପୂର୍ବରୁ ଚାକିରି କରିଥିବା କର୍ମଚାରୀଙ୍କୁ ଅବସର ପରେ ସରକାର ପେନସନ ଦେଉଥିଲେ। ସରକାରୀ ଭାଷାରେ ଏହାକୁ ଓଲ୍ଡ ପେନସନ ସ୍କିମ୍ (ଓପିଏସ) କୁହାଯାଉଛି। ଏଥିରେ ଅବସର ହେବାକୁ ଥିବା କର୍ମଚାରୀଙ୍କୁ ସେମାନଙ୍କ ଅବସର ସମୟର ଦରମା ବା  ଶେଷ ଦରମାର ଅଧା ପେନସନ ଆକାରରେ ଦିଆଯାଉଥିଲା। ଏହି ସ୍କିମରେ କର୍ମଚାରୀଙ୍କ ଅବସର ପରେ ମୃତ୍ୟୁ ହେଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ପେନସନ ରାଶି ଦିଆଯାଉଥିଲା। କିନ୍ତୁ ଏହାକୁ ବନ୍ଦ କରି ନ୍ୟୁ ପେନସନ ସ୍କିମ୍ ବା ୟୁନିଫାଏଡ ପେନସନ ସ୍କିମ୍ ଲାଗୁ କରିଛନ୍ତି ମୋଦୀ ସରକାର।

ପ୍ରକାଶଯୋଗ୍ୟ, ୨୦୨୨ ରେ ପ୍ରଥମେ ଓଲ୍ଡ ପେନସନ ସ୍କିମକୁ ନେଇ ନାରାବାଜି ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ନିର୍ବାଚନରେ ସମାଜବାଡି ପାର୍ଟି ଏହାକୁ ବଡ ମୁଦ୍ଦା କରିଥିଲା। ସେହିପରି ୨୦୨୨ ମସିହା ହିମାଚଳ ନିର୍ବାଚନରେ କଂଗ୍ରେସ ଓପିଏସ ଲାଗୁ କରିବାର ପ୍ରତିଶ୍ରୁତି ଦେଇଥିଲା। ଏହାକୁ ମୁଦ୍ଦା କରି ସେଠାରେ ଜିତିଥିଲା କଂଗ୍ରେସ। ପରେ କଂଗ୍ରେସ ସରକାର ହିମାଚଳରେ ଓପିଏସ ଲାଗୁ କରିଥିଲେ। ୨୦୨୩ ମସିହାରେ କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ଏହାକୁ ପ୍ରସଙ୍ଗ କରାଯାଇଥିଲା। ଏହାବ୍ୟତୀତ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ମଧ୍ୟ ଓପିଏସକୁ ନିର୍ବାଚନୀ ଅସ୍ତ୍ର କରାଯାଇଥିଲା। ୨୦୨୪ ଲୋକସଭା ନିର୍ବାଚନ ସମୟରେ ଓପିଏସ ପାଇଁ କଂଗ୍ରେସ ଏକ କମିଟି ମଧ୍ୟ ଗଠନ କରିଥିଲା।

କେନ୍ଦ୍ର ସରକାର ଲୋକସଭା ନିର୍ବାଚନର ପରେ ପରେ ୟୁନିଫାଏଡ ପେନସନ ସ୍କିମ୍ ବ୍ୟବସ୍ଥା ଆଣିଥିଲେ। ଏହା ଓପିଏସ ଭଳି କାର୍ଯ୍ୟ କରିବ ବୋଲି ସରକାର କହିଥିଲେ ମଧ୍ୟ ମଧ୍ୟ ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର ଭଳି ରାଜ୍ୟରେ କର୍ମଚାରୀ ସଂଗଠନଗୁଡିକ ଏହାର ଜୋର ବିରୋଧ କରିଥିଲେ। ଯଦି ୟୁପିଏସରେ ଓପିଏସ ଭଳି ସମାନତା ରହିଛି ତେବେ ତାହା ସରକାର କାହିଁକି ଲାଗୁ କରୁନାହାନ୍ତି ବୋଲି ସେମାନେ କହିଥିଲେ।

ଏହାରି ମଧ୍ୟରେ ସରକାର ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି। ଏହି କମିଶନ ଆଣିବା ସହ ସରକାର ସମ୍ପୂର୍ଣ୍ଣ ଭାବରେ ଓଲ୍ଡ ପେନସନ ସ୍କିମକୁ ବନ୍ଦ କରି ପାରନ୍ତି ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୩୩ ଲକ୍ଷ ସରକାରୀ କର୍ମଚାରୀ ରହିଛନ୍ତି। ଏହିପରି ୫୨ ଲକ୍ଷ କେନ୍ଦ୍ରୀୟ ପେନସନଧାରକ ବି ରହିଛନ୍ତି। ଅନ୍ୟପଟେ ୬୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ରହିଛନ୍ତି। ନିର୍ବାଚନୀ ରାଜ୍ୟ ଦିଲ୍ଲୀରେ ସରକାରୀ କର୍ମଚାରୀ ଓ ପେନସନଧାରୀ ସଂଖ୍ୟା ପ୍ରାୟ ୯ ଲକ୍ଷ ରହିଥିବା ବେଳେ ଏମାନେ ଦିଲ୍ଲୀର ପ୍ରାୟ ୨୦ ଆସନର ଭୋଟର ବୋଲି ଜାଣିବାକୁ ମିଳିଛି। ସରକାରଙ୍କ ନୀତିଗତ ନିଷ୍ପତ୍ତି ଓ ପ୍ରଚାର ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ବଡ ଭୂମିକା ରହିଥାଏ। ଏମାନଙ୍କୁ ଖୁସି କରିବାକୁ ସରକାର ଏପରି ବଡ ପ୍ଲାନ କରିଥିବା ଚର୍ଚ୍ଚା ହେଉଛି।

Comments are closed.