Latest Odisha News

ହେମଗିରିରେ ଲୋକାର୍ପିତ ହେଲା ସାର୍ବଜନୀନ ପାଠାଗାର

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ବହିପଢ଼’ଅଭିଯାନ ଅଧୀନରେ ହେମଗିରି ବ୍ଲକର କମଲଗାଠାରେ ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହି ଗ୍ରାମୀଣ ପାଠାଗାରକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ଉଦଘାଟନ କରିଛନ୍ତି।

ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ହେମଗିରି ବିଡିଓ ଶ୍ରୀଯୁକ୍ତ ଜଗଦ୍ଦୀଶ ଚନ୍ଦ୍ର ମହାନନ୍ଦ, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡିଆ ପ୍ରମୁଖ ଉପସ୍ଥିତ ଥିଲେ। ବହି ପଢ଼ିବା ପ୍ରତି ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ପାଠାଗାରରେ ବିଭିନ୍ନ ଗପ ଓ ଗୀତ ବହି, କମିକ୍ସ, ବିଶିଷ୍ଟ ଲେଖକ ଲେଖିକାଙ୍କ ଦ୍ୱାରା ଲିଖିତ ବହି ସ୍ଥାନ ପାଇଛି। ଏଠାରେ ବସି ବହି ପଢ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଏହି ପାଠାଗାରରେ ଅଧିକରୁ ଅଧିକ ବହି ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ପାଠାଗାରରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଆସି ବହି ପଢ଼ି ପାରିବେ।

‘ସୁନ୍ଦରଗଡ଼ ବହିପଢ଼’ ଅଭିଯାନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବ୍ଲିକ ଲାଇବ୍ରେରୀ ବା ସାର୍ବଜନୀନ ପାଠାଗାର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।

Comments are closed.