Latest Odisha News

BREAKING NEWS

ମହିଳାଙ୍କ ଲାଗି ୩୩ % ସ୍ଥାନ ସଂରକ୍ଷଣ: ବିଜେଡ଼ି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକୁ ଭେଟିବ

ଭୁବନେଶ୍ୱର: ମହିଳା ମାନଙ୍କ ଲାଗି ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ଜାତୀୟ ଏବଂ ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବାକୁ ବିଜେଡ଼ି ପକ୍ଷରୁ ବୁଧବାର ଦିନ ନିଷ୍ପତ୍ତି ନିଆଯାଇଛି ।

ନବୀନ ନିବାସଠାରେ ବୁଧବାର ଦିନ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦଳର ସମସ୍ତ ଉପ-ସଭାପତି ତଥା ଦଳର ସମସ୍ତ ସାଧାରଣ ସମ୍ପାଦକଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ବିଜେଡ଼ି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଏହି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ୭ଟି ଜାତୀୟ ଏବଂ ୧୫ଟି ଆଞ୍ଚଳିକ ଦଳ ଗୁଡ଼ିକୁ ଭେଟିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

“ଏହି ନିଷ୍ପତ୍ତି ଅନୁଯାୟୀ, ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅନନ୍ତ ଦାସ ଏବଂ ଅରବିନ୍ଦ ଢାଲି ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ର ନେତୃବର୍ଗଙ୍କୁ ଭେଟିବେ, ସେହିପରି ଶଶିଭୂଷଣ ବେହେରା, ଏ ୟୁ ସିଂହଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବହୁଜନ ସମାଜ ପାର୍ଟିର (ବିଏସପି) ନେତୃବୃନ୍ଦଙ୍କୁ ଭେଟିବେ । ସେହିପରି ଭାବେ ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ, ଭତୃହରି ମହତାବ ଏବଂ ସରୋଜିନୀ ହେମ୍ପ୍ରମ୍ ବିଜେପି ନେତାମାନଙ୍କୁ ଭେଟିବେ । ଦଳ ପକ୍ଷରୁ କଳିକେଶ ନାରାୟଣ ସିଂହଦେଓ, କୁଳମଣି ସାମଲ ଓ ରୀତା ତରେଇ ସିପିଆଇ ଓ ସିପିଏମ ନେତାମାନଙ୍କୁ ଭେଟିବେ । ଏହାଛଡ଼ା ତଥାଗତ ଶତପଥୀ, ବେଦପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର ଏବଂ ପ୍ରସନ୍ନ ପାଟ୍ଟଶାଣୀ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିବେ । ସେହିପରି ବଦ୍ରିନାରାୟଣ ପାତ୍ର, ଅରୁଣ ପଟ୍ଟନାୟକ ଏପଂ ଶକୁନ୍ତଳା ଲାଗୁରୀ ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି)ର ନେତୃବୃନ୍ଦଙ୍କୁ ଭେଟିବେ,” ବୋଲି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଗତ ନଭେମ୍ବର ୨୦ ତାରିଖ ଦିନ ସର୍ବସମ୍ମତିକ୍ରମେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ଲାଗି ଅନୁରୋଧ କରି ଏନେଇ ଏକ ପ୍ରସ୍ତାବ ଗୃହରେ ଉପସ୍ଥାପିତ ହୋଇ ବିଧାନସଭାରେ ପାରିତ ମଧ୍ୟ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ଡ଼ିସେମ୍ବର ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ ।

ପ୍ରକାଶଥାଉକି, ମହିଳା ସଶକ୍ତିକରଣ ଲାଗି ୯୦ ଦଶକରେ ପ୍ରବାଦ ପୁରୁଷ ତଥା ପ୍ରବୀଣ ରାଜନେତା ବିଜୁ ପଟ୍ଟନାୟକ ଦେଶରେ ପ୍ରଥମଥର ପାଇଁ ପଞ୍ଚାୟତ ଓ ପୌରପାଳିକାଗୁଡ଼ିକରେ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲେ । ଏହାଛଡ଼ା ଉଭୟ ପୁରୁଷ ଓ ମହିଳାଙ୍କ ମଜୁରୀ ସମାନ କରିବା ସହିତ ଲିଙ୍ଗ ସମାନତା ଓ ଶ୍ରମର ସମ୍ମାନକୁ ସେ ବଜାୟ ରଖିଥିଲେ ।

Leave A Reply

Your email address will not be published.