() ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦୀପାବଳି ଶୁଭେଚ୍ଛାକୁ ନେଇ ବିବାଦ । ଆରମ୍ଭ ହୋଇଥିବା ଏ ବିବାଦ ଥମିବାର ନାଁ ନେଉନି ବରଂ ରାଜନୈତିକ ମୁଦ୍ଦା ହେଲାଣି । ଦୀପାବଳିକୁ ଇଦ୍ କହି ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଖଡଗେ, କଣ କଂଗ୍ରେସର ଡିଏନଏ ଏମିତି ବୋଲି ପ୍ରଶ୍ନ କରିଛି ବିଜେପି । ସବୁ ହିନ୍ଦୁଙ୍କ ଭାବାବେଗକୁ ଏହି ବୟାନ କୁଠାରଘାତ କରୁଛି ବୋଲି ବିଜେପି କହିଛି । ବିଜେପି ଲଗାତର କଂଗ୍ରେସ ଉପରେ ବର୍ଷିଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ ସୋମବାର ସାମ୍ବାଦିକ ସମ୍ମିଳନୀ କରି ସିଧା ଖଡଗେଙ୍କୁ ନିଶାନା କରିଛନ୍ତି । ଦେଶ ଦୀପାବଳିର ଶୁଭକାମନା ଜଣାଉଥିବା ବେଳେ ଖଡଗେ କିଛି ଅଲଗା ହିଁ କରୁଥିଲେ । ସବୁଠୁ ପୁରୁଣା ଧର୍ମ ଓ ସଂସ୍କୃତି ହେଉଛି ହିନ୍ଦୁ ଧର୍ମ ଓ ପରମ୍ପରା । ଏହି ମହାନ ଧର୍ମ ସଂସ୍କୃତି ଓ ପରମ୍ପରାର ଟେକ ସାରା ବିଶ୍ୱରେ ରହିଛି । କିନ୍ତୁ ହିନ୍ଦୁ ଧର୍ମର ପବିତ୍ର ପର୍ବ ଦୀପାବଳି ପାଇଁ ଶୁଭେଚ୍ଛା ଦେବା ବେଳେ ଏତେ କଷ୍ଟ କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି ଗୌରବ ।
ଖଡଗେ କହିଥିବା ‘ଖୁସିର ଇଦ୍’ ବୟାନ ଉପରେ ଆପତ୍ତି ଉଠାଇଛି ବିଜେପି । ଯଦି ଦୀପାବଳିରେ ଇଦ୍ର ଶୁଭେଚ୍ଛା ଦେଉଛନ୍ତି ତେବେ ଇଦ୍ରେ ଖୁସିର ଦୀପାବଳି ବୋଲି କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଗୌରବ । ସେପଟେ ଅଯୋଧ୍ୟା ରାମ ମନ୍ଦିର ସବୁ ହିନ୍ଦୁମାନଙ୍କ ଗୌରବର ପ୍ରତୀକ ହୋଇଥିବା ବେଳେ ଗାନ୍ଧୀ ପରିବାର ଏଯାଏ ରାମ ମନ୍ଦିର ଯାଇନଥିବାକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କଲେ ଗୌରବ । କଂଗ୍ରେସର ଅପରିପକ୍ୱ ନେତା ରାହୁଲ ଗାନ୍ଧିଙ୍କ ପରାମର୍ଶଦାତା ହିଁ ଏପରି କହିପାରିବେ ବୋଲି ଖଡଗେଙ୍କୁ ସିଧା ବାଣ ମାରିଛନ୍ତି ବିଜେପି ମୁଖପାତ୍ର ଗୌରବ ।
