Latest Odisha News

ଦୁଲୁକୁଛି ପ୍ରଚାର ମଇଦାନ, ଜମୁଛି ବେଣୁଧରଙ୍କ କ୍ୟାମ୍ପେନ

ବାଲେଶ୍ୱର: ପାଖେଇ ଆସିଲାଣି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ । ଏଥିପାଇଁ ଜମୁଛି ପ୍ରଚାର । ଦୁଲୁକୁଛି ପ୍ରଚାର ମଇଦାନ । ନେତା ମନ୍ତ୍ରୀଙ୍କ ସ୍ୱରରେ କମ୍ପୁଛି ବାଲେଶ୍ୱର-ତିର୍ତ୍ତୋଲ । ନେତାଠାରୁ ଆରମ୍ଭ କରି ଷ୍ଟାର କ୍ୟାମ୍ପେନରଙ୍କ ଲାଗିଛି ଭିଡ । ଅନେକ ହେଭିୱେଟ୍ ନେତାଙ୍କ ମଧ୍ୟ ଚାଲିଛି ଜୋରସୋରରେ ପ୍ରଚାର । ପ୍ରଚାର ସରିବାକୁ ଆଉ ୪ ଦିନ ବାକି ରହିଛି । ଏହାରି ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଛି ମଇଦାନରେ ଘମାଘୋଟ ଲଢ଼େଇ ।

ଏଥର କରୋନା କଟକଣା  ମଧ୍ୟରେ ନିର୍ବାଚନ ହେଉଛି ।  ପ୍ରଚାର ପାଇଁ ସବୁ ଦଳର ନେତା ଏଠାରେ ଡେରା ପକାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବେଣୁଧର ନାୟକ ପ୍ରଚାରକୁ ଜୋରଦାର କରିଛନ୍ତି ।  ସମର୍ଥକଙ୍କ ସହ ସେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ପ୍ରଥମେ ସାଇକେଲ, ତା’ପରେ ଅଟୋ, କାଲି ଜିମ୍ ଆଉ ଆଜି ଘୋଡା ଗାଡି ତଥା ରଥରେ ବସି ପ୍ରଚାର କରୁଛନ୍ତି ବେଣୁ ମଉସା । ତାଙ୍କ ସହ ଅଛନ୍ତି ଯାତ୍ରା କଳାକାର ତଥା ଅଭିନେତ୍ରୀ ରାଣୀ ପଣ୍ଡା। ସେ ବେଣୁଧର ବାରିକଙ୍କ ପାଇଁ ଆଜି ଲଗାତର ଦ୍ୱିତୀୟ ଦିନରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ।

ସେପଟେ ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସକାଳୁ ସକାଳୁ ବାଲେଶ୍ୱରରେ  ଦଳୀୟ ପ୍ରାର୍ଥୀ ମାନଓ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ।  ସେହିଭଳି ବିଜେଡି ମଧ୍ୟ ବାଇକ ରାଲି କରିଛି । ବିଧାୟକ ତଥା  ଅଭିନେତା ଆକାଶ ଦାସ ନାୟକ ଏହି ପ୍ରଚାରର ସାମିଲ ହୋଇଥିଲେ ।

 

Comments are closed.