ଗଂଜାମ: ଜୀବନ କ’ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର ମାନସ ସାହୁଙ୍କ ପୁଅ ଅଜୟର ବାସ୍ତବ କାହାଣୀ ।
ସପ୍ତମ ଶ୍ରଣୀରେ ପାଠ ପଢୁଥିବା ଅଜୟ ଗତ ଦୁଇବର୍ଷ ଧରି ହୃଦରୋଗରେ ପୀଡିତ । ଦିନମଜୁରିଆ ମାନସଙ୍କ ପାଇଁ ଅଜୟଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସ୍ୱର୍ଗକୁ ନିଶୁଣୀ ପକାଇବା ସଦୃଶ । ଅର୍ଥାଭାବ ସାଜିଛି ଅଜୟଙ୍କ ଚିକିତ୍ସାରେ ବାଧକ । ଘରର ଏକମାତ୍ର ରୋଜଗାରର ସ୍ରୋତ ମାନସ ସାହୁ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବି ଏତେଟା ଭଲ ନାହିଁ ।
କାମ କରୁଥିବାବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା । ଫଳରେ ସେ ବି ଏବେ କାମକୁ ଯାଇପାରୁନାହାନ୍ତି । ଅନ୍ୟପଟେ ମାନସଙ୍କ ସାନପୁଅ ବି ମାନସିକ ଭାବେ ଅନଗ୍ରସର । ସଂଚିତ ଥିବା ସମସ୍ତ ଅର୍ଥ ବି ସରିଯାଇଛି । ଉପାୟ ଓ ଅର୍ଥଶୂନ୍ୟ ମାନସ ଗାଁ ସରପଂଚଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପାଇଁ ଗୁହାରି କରିଛନ୍ତି ।
ଯେଉଁ ବୟସରେ ଅଜୟ ସ୍କୁଲ ଯାଇ ପାଠ ପଢିବା ଓ ଖେଳକୁଦ କରିବା କଥା । ସେହି ବୟସରେ ସେ ଏବେ ଖଟ ଉପରେ ପଡିରହି ବିନା ଚିକିତ୍ସାରେ ରୋଗ ସହ ଜୁଝୁଛନ୍ତି । ସରକାରୀ ହେଉ କି ବେସରକାରୀ । ଏବେ ଏହି ପରିବାରକୁ କେବଳ ସହାୟତା ହିଁ ଦୁର୍ଦ୍ଦିନରୁ ରକ୍ଷା କରିପାରିବ ।
Comments are closed.