Latest Odisha News

BREAKING NEWS

ଗ୍ରାହକଙ୍କୁ କନ୍ଦାଉଛି ବର୍ଦ୍ଧିତ ପିଆଜ ଦର…

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼। ବର୍ଦ୍ଧିତ ପିଆଜ ଦର ପାଇଁ ଏବେ ଚିନ୍ତାରେ ଖାଉଟି। ପ୍ରଥମେ ପନିପରିବା ଆଉ ଏବେ ପିଆଜ ବଜାରରେ ନିଆଁ। ଧୀରେଧିରେ ହାଣ୍ଡିଶାଳରୁ ଉଭାନ ହୋଇ ଗଲାଣି ପିଆଜ । ଅର୍ଦ୍ଧଶତକ ପରେ ଏବେ ଶତକ ଆଡକୁ ମୁହାଁଉଛି ପିଆଜ ଦର। ବଜାରରେ ପିଆଜ ଦର ଆଜି ୯୦ ଟଙ୍କାରେ ପହଞ୍ଚିଛି। ଫଳରେ ଖାଉଟିଙ୍କ ପାଇଁ ଏହା ଚିନ୍ତାର କାରଣ ପଲଟିଛି।

କରୋନାର ଏହି ସଙ୍କଟ ସମୟରେ ବର୍ଦ୍ଧିତ ପିଆଜ ଦର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ। ପଖାଳ କଂସାର ସାଥି କୁହାଯାଉଥିବା ପିଆଜ ଦର ଏବେ ଆକାଶ ଛୁଆଁ। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନୀରେ ମଧ୍ୟ ପିଆଜ ଦର ସମାନ ୮୦ ରୁ ୯୦ ଟଙ୍କା ରହିଛି। ରାଜଧାନୀ ସମେତ କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ପ୍ରାୟ ସବୁ ଜିଲ୍ଲାରେ ସମାନ ଅବସ୍ଥା ରହିଥିବା ସୂଚନା ମିଳିଛି।

ତେବେ ବର୍ଦ୍ଧିତ ପିଆଜ ଦର ନେଇ ସାଧାରଣ ଖାଉଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ପିଆଜ ଦର ନିୟନ୍ତ୍ରଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଧାରଣ ଲୋକେ।

ପିଆଜ ମୂଲ୍ୟରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ ପିଆଜ ବିହନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ, “ଗ୍ରାହକମାନଙ୍କ ପାଇଁ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ମୋଦୀ ସରକାର ପିଆଜ ବିହନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।”

 

Leave A Reply

Your email address will not be published.