Latest Odisha News

କେଦାରନାଥ ଧାମର କିମ୍ବଦନ୍ତୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।

କିମ୍ବଦନ୍ତୀ:

କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା । ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡ଼ିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।

ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି  କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ ।

ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ ।  ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ ପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।

କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ ଅକ୍ଷୟ ତୃତୀୟା ଦିନ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ଵାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ଵଳିତ ଥାଏ ।

Leave A Reply

Your email address will not be published.