Latest Odisha News

BREAKING NEWS

ଅହମ୍ମଦାବାଦ ଅସ୍ପିଟାଲରେ ଚିକିତ୍ସାଧିନ ପିଲାମାନଙ୍କୁ ଭେଟିଲେ ନବୀନ

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସାଧିନ ଥିବା ଓଡ଼ିଆ ପିଲାମାନଙ୍କୁ ଭେଟିଛନ୍ତି ।

ଏହି ହସ୍ପିଟାଲରେ ପାଖାପାଖି ୧୫୦ ଜଣ ପିଲା ହୃଦରୋଗ ଲାଗି ବିନା ଖର୍ଚ୍ଚରେ ଚିକିତ୍ସିତ ହେଉଛନ୍ତି । ଏହି ହସ୍ପିଟାଲ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ ଜଣ ପିଲାମାନଙ୍କୁ ଡ଼ିସଚାର୍ଜ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ସେ ଡ଼ାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ଚିକିତ୍ସାଧିନ ଥିବା କୁନି କୁନି ପିଲାମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

ଓଡ଼ିଶାର ହୃଦରୋଗରେ ଆକ୍ରାନ୍ତ ପିଲାଙ୍କ ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ଓଡ଼ିଶା ସରକାର ଓ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ସରକାର ଏଥିଲାଗି ଚିକିତ୍ସା ସହାୟତା ଯୋଗାଇଦେବେ ।

ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ ଅବସରରେ ସୁରଟ ପରିଦର୍ଶନରେ ଯିବା ସହିତ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ‘ଓଡ଼ିଶା ମହୋତ୍ସବ’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

“ପ୍ରାୟ ୭ ଲକ୍ଷରୁ ଅଧିକ ଓଡ଼ିଆ ଭାଷାଭାଷୀ ସୁରଟ ତଥା ଗୁଜରାଟରେ ଅବସ୍ଥାନ କରୁଛନ୍ତି, ସେମାନେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଦୂତ ସ୍ୱରୂପ ।” ବୋଲି ଟ୍ୱିଟ୍ଟ୍ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଓ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ତଥା ବ୍ରହ୍ମପୁର ଓ ସୁରଟ ମଧ୍ୟରେ ରେଳ ଚଳାଚଳ ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ କେନ୍ଦ୍ର ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିଥିଲେ ।

ସୁରଟ ଓ ବ୍ରହ୍ମପୁର ମଧ୍ୟରେ ସିଧାସଳଖ ରେଳ ଚଳାଚଳ ହୋଇପାରିଲେ ଲକ୍ଷାଧିକ ଯାତ୍ରୀମାନଙ୍କର ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.