Latest Odisha News

BREAKING NEWS

ଘୂର୍ଣ୍ଣିଝଡ଼ ‘ପିଥାଇ’ ଛୁଇଁଲା ଆନ୍ଧ୍ର ସ୍ଥଳଭାଗ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପିଥାଇ’ । ଏହି ସାମୁଦ୍ରିକ ଝଡ଼ କ୍ରମେ ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳ କାକିନାଡ଼ାରୁ ୬୦ କିମି ଦୂର ଏବଂ ପୁଡୁଚେରୀ ଦକ୍ଷିଣରେ ଥିବା ୩୫ କିମି ଦୂର ୟାନମ ସ୍ଥଳଭାଗରେ ପହଞ୍ଚିଛି ।

ସୋମବାର ଅପରାହ୍ନ ୧୨.୩୦ ସମୟରେ ‘ପିଥାଇ’ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କାର୍ଟେନିକୋନାଠାରେ ସ୍ଥଳଭାଗ ଛୁଇଁଛି ।

ଭାରତୀୟ ପାଣିପାଗ ସୋମବାର ଅପରାହ୍ନରେ ଏସମ୍ପର୍କରେ ପ୍ରକାଶ କରିଥିବା ସତର୍କ ସୂଚନାନୁଯାୟୀ, ଏହା ଆନ୍ଧ୍ରର କାକିନାଡ଼ା ଏବଂ ୟାନମ ଉପକୂଳ ଛୁଇଁବାର ପ୍ରାୟ ୨ରୁ ୩ ଘଣ୍ଟା ଧରି ଅନୁଭୁତ ହେବାପରେ କ୍ରମେ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ଏହି ସମୟରେ ସେହି ସେହି ଅଞ୍ଚଳର ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ଘଣ୍ଟା ପ୍ରତି ୭୦ ରୁ ୯୦ କିମି ବେଗରେ ପବନ ବହିବା ସହିତ ଏହା ୧୦୦ କିମି ବେଗରେ ବହିବାର ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଭାଗ ।

‘ଏଏନଆଇ’ ନ୍ୟୁଜ୍ ଏଜେନ୍ସି ସୂତ୍ରର ସୂଚନାନୁଯାୟୀ, ଏହା ସ୍ଥଳଭାଗ ଛୁଇଁବା ସହିତ ଆନ୍ଧ୍ରର ବିଶାଖାପଟ୍ଟନମ ଏବଂ ନରସିପଟ୍ଟନମ୍ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହି ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିବା ସହିତ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ଜାରି ରହିଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତା ଅବରୋଧ କରିଥିବା ଉପୁଡ଼ି ପଡ଼ିଥିବା ବିରାଟ ଗଛ ଗୁଡ଼ିକୁ ରାସ୍ତାରୁ ପରିଷ୍କାର କରାଯାଉଛି । ଏହାର ପ୍ରଭାବରେ ସମଗ୍ର କୋନସିମା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିିଛି ।

‘ପିଥାଇ’ ପ୍ରଭାବ ଯୋଗୁଁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି । ଏହାଫଳରେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଏବଂ ପୁରୀ ଜିଲ୍ଲାମାନଙ୍କରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୧୭ ଓ ୧୮ ତାରିଖ ୨ ଦିନ ଧରି ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ ଏବଂ ଯାଜପୁର ପ୍ରଭୃତି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ବିଶ୍ୱବିଦ୍ୟାଳୟସ୍ଥିତ ପରିବେଶ ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଏହି ଘୂର୍ଣ୍ଣିଝଡ଼ ଅତିକ୍ରମ କରିବା ସମୟରେ ଦକ୍ଷିଣ ଓଡ଼ିଶାରେ ୫୦ ରୁ ୭୦ କିମି ବେଗରେ ପବନ ବହିବା ସହିତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ନିର୍ଦ୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ।

ଏହି ସମୟ ମଧ୍ୟରେ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଅଧିକାଂଶ ସ୍ଥାନର ପାଗ କୋହଲା ରହିବ ବୋଲି ପାଣିପାଗ ବିଶାରଦ ଡ଼ଃ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.