Latest Odisha News

BREAKING NEWS

କେନ୍ଦ୍ର ପକ୍ଷରୁ ତିିତଲି କ୍ଷୟକ୍ଷତି ଲାଗି ‘ଏନଡ଼ିଆରଏଫ’ରୁ ୧୦୨୩ କୋଟି ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ‘ତିତଲି’ ଯୋଗୁ ହୋଇଥିବା କ୍ଷୟକ୍ଷତିର ସହାୟତା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ରାଶିର ମଞ୍ଜୁର କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡ଼ିଆରଏଫ)ରୁ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର ହୋଇଛି ।

ଏନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ଏହି ଅତିରିକ୍ତ ସହାୟତା ରାଶି ମଞ୍ଜୁରୀ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଟ୍ୱିଟ୍ଟ କରି ଧନ୍ୟବାଦ ଅର୍ପଣ କରିଛନ୍ତି ।

ଗତ କିଛିଦିନ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ତିତଲି ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ମରାମତି କାର୍ଯ୍ୟ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ଲାଗି ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହା ଖୁବ ଶିଘ୍ର ମଞ୍ଜୁର କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଡ଼ିସେମ୍ବର ୧୩ ତାରିଖରେ ପତ୍ର ଦ୍ୱାରା ଜଣାଇଥିଲେ । ଏହି ପତ୍ରରେ ନବୀନ ଉଲ୍ଲେଖ କରିଥିଲେ, “ଅକ୍ଟୋବର ୨୦୧୮ ରେ ହୋଇଥିବା ବାତ୍ୟା ତିତଲି, ଏହା ସହିତ ବନ୍ୟା ଏବଂ ମାଟି ଧସିବା ଯୋଗୁଁ ଓଡ଼ିଶାର ୧୭ ଜିଲ୍ଲାର ୧୨୮ଟି ବ୍ଲକରେ ୬୦.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ” ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ବାତ୍ୟା, ବନ୍ୟା ଏବଂ ମାଟି ଧସିବା ଯୋଗୁଁ ୭୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡ଼ିଶାର ୧୭ଟି ଜିଲ୍ଲାର ସମୁଦାୟ ୬୦.୩୧ ବ୍ୟକ୍ତି ପ୍ରଭାବିତ ହୋଇଥିଲେ ।

କେନ୍ଦ୍ର ସରକାରଙ୍କ ଏହି କମିଟି ମଧ୍ୟ ତ୍ରିପୁରା ଲାଗି ୨୬୮.୬୩ କୋଟି ଟଙ୍କା ରାଶି ମଞ୍ଜୁର କରିଛନ୍ତି ।

Leave A Reply

Your email address will not be published.