Latest Odisha News

BREAKING NEWS

୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?

ନୂଆଦିଲ୍ଲୀ: ଆଣ୍ଟାର୍କଟିକାର ଯେଉଁ ଦ୍ୱୀପରେ  ଦିନେ ଦୁନିଆର ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନୀ ଥିଲା, ସେଠାରେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମୁଦ୍ରର ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଖାଦ୍ୟର ଅନ୍ୱେଷଣ ଏହି ପେଙ୍ଗୁଇନ୍‌ମାନଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ପାଲଟିଛି ।  ୨୦୧୧ ରୁ ୨୦୨୫ ମଧ୍ୟରେ ଜାଭୋଡୋଭସ୍କି ଦ୍ୱୀପରେ ଚିନ୍‌ଷ୍ଟ୍ରାପ୍ ପେଙ୍ଗୁଇନ୍‌ଙ୍କ  ସଂଖ୍ୟା ୬୩ ପ୍ରତିଶତ କମିଯାଇଛି । ବୈଜ୍ଞାନିକଙ୍କ ମତରେ, ଏହି ସମୟ ମଧ୍ୟରେ ସେମାନଙ୍କ ଆନୁମାନିକ ଜନସଂଖ୍ୟା ପ୍ରାୟ ୧୦.୯ ଲକ୍ଷରୁ ଖସି ଆସି ୪.୦୨ ଲକ୍ଷରେ ପହଞ୍ଚିଛି । ଅର୍ଥାତ୍ ୬.୮ ଲକ୍ଷରୁ ଅଧିକ ପେଙ୍ଗୁଇନ୍ କମିଯାଇଛନ୍ତି । ଜର୍ନାଲ କରେଣ୍ଟ ବାୟୋଲୋଜିରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ରର ପାଣି ଗରମ ହେବା କାରଣରୁ ପେଙ୍ଗୁଇନ୍‌ଙ୍କ ମୁଖ୍ୟ ଖାଦ୍ୟ କ୍ରିଲ (ସମୁଦ୍ରରେ ମିଳୁଥିବା କ୍ଷୁଦ୍ର ଜୀବ)ର ଉପଲବ୍ଧତା ପ୍ରଭାବିତ ହେଉଛି । ଖାଦ୍ୟ ଅନ୍ୱେଷଣରେ ସେମାନଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡୁଛି ।

ଦକ୍ଷିଣ ସାଣ୍ଡୱିଚ୍ ଦ୍ୱୀପପୁଞ୍ଜର ଅଂଶବିଶେଷ ଜାଭୋଡୋଭସ୍କି ଦ୍ୱୀପ ଏବେ ବିଶ୍ୱର ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନୀର ମାନ୍ୟତା ହରାଇଛି । ବର୍ତ୍ତମାନ ଆଣ୍ଟାର୍କଟିକାର ରସ୍ ସାଗରରେ ଥିବା କେପ୍ ଆଡାରେକୁ ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନୀ ଭାବେ ଗ୍ରହଣ କରାଯାଉଛି । ବୈଜ୍ଞାନିକମାନେ ଡ୍ରୋନ୍, ସାଟେଲାଇଟ୍ ଡେଟା ଏବଂ ଟ୍ରାକିଂ ଡିଭାଇସ୍ ମାଧ୍ୟମରେ ଏହି ଅଧ୍ୟୟନ କରିଛନ୍ତି । ଦକ୍ଷିଣ ସାଣ୍ଡୱିଚ୍ ଦ୍ୱୀପପୁଞ୍ଜରେ ଦୁନିଆର ଚିନ୍‌ଷ୍ଟ୍ରାପ୍ ପେଙ୍ଗୁଇନ୍‌ଙ୍କ ଏକ ବଡ଼ ଅଂଶ ବାସ କରନ୍ତି ।  ଯଦି ଜଳବାୟୁ ଏମିତି ପରିବର୍ତ୍ତନ ହେଉଥାଏ, ତେବେ ଏହି ପ୍ରଜାତିର  ସ୍ଥିତି ଆଗକୁ ଆହୁରି ସଙ୍କଟାପନ୍ନ ହୋଇପାରେ ।

Leave A Reply

Your email address will not be published.