ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ଚୂଡ଼ାନ୍ତ ହୋଇପାରିଲା ନାହିଁ ଡିଜାଇନ୍ । ଆସନ୍ତାକାଲି ସକାଳେ ୧୭ ଜଣିଆ ତତ୍ୱବାଧାରକ ଟିମ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ଯାଇ ଡିଜାଇନ ଦେଖିବେ।ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ।ସେହି ବୈଠକରେ ରୂପା ଛାଉଣୀ ଡିଜାଇନ୍ ଚୂଡାନ୍ତ ହୋଇପାରେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଉଛନ୍ତି।କାଠ ଫ୍ରେମ ଓ ଡିଜାଇନ ସହ ରୂପା ଛାଉଣୀ ଡିଜାଇନ ଚୂଡ଼ାନ୍ତ ପରେ ଏଏସଆଇକୁ ପ୍ରସ୍ତାବ ଦିଆଯିବ।
ଏଏସଆଇ ଦିଲ୍ଲୀ ଡିଜିଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ୮ ଟି ଦ୍ୱାରା ରୂପା ଛାଉଣୀ କରାଯିବ।ତେବେ ଉତ୍କଳୀୟ ଓ ଶ୍ରୀଜଗନ୍ନାଥ କଳାଶୈଳୀ ଓ ସ୍ଥାପତ୍ୟକୁ ପ୍ରାଧାନ୍ୟତା ଦିଆଯାଉଥିବାରୁ ରୂପା ଛାଉଣୀ କାର୍ଯ୍ୟ ବିଳମ୍ବ ହୋଇପାରେ।ଅନେକଗୁଡ଼ିଏ ଡ଼ିଜାଇନ ଉପସ୍ଥାପିତ କରାଯାଇଥିଲେ ହେଁ ୨ଟି ଡ଼ିଜାଇନ ଗ୍ରହଣୀୟ ହୋଇଛି।ତେବେ ସର୍ବସମ୍ମତ ଭାବେ ଏହି ଦୁଇଟି ଡ଼ିଜାଇନ ମଧ୍ୟ ଚୂଡାନ୍ତ ହୋଇନାହିଁ।ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ଵିତୀୟ ବୈଠକରେ ଏଏସଆଇ ସୁପେରିଟେଡ଼ଣ୍ଟ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,ଏଏସଆଇ ପ୍ରତିନିଧି ଉପସ୍ଥିତ ଥିଲେ।