Latest Odisha News

BREAKING NEWS

କନ୍ଧମାଳରେ ପାରଦ ୭ ଡ଼ିଗ୍ରୀକୁ ଖସିଲା, ସମଗ୍ର ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଶୀତର ଲହରୀ ପ୍ରଭାବ ବିସ୍ତାର କରିଥିବା ବେଳେ ଦକ୍ଷିଣ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଦିନ ପାରଦ ୭ ଡ଼ିଗ୍ରୀ ପହଞ୍ଚିଛି । ତେବେ ଦାରିଙ୍ଗିବାଡ଼ିରେ ପାରଦ ୫ ଡ଼ିଗ୍ରୀକୁ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ଏକ ସତର୍କ ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର କନ୍ଧମାଳରେ ତାପମାତ୍ରା ହ୍ରାସ ପାଇ ୭ ଡ଼ିଗ୍ରୀରେ ପହଞ୍ଚିଥିବା ବେଳେ ‘ଓଡ଼ିଶାର କାଶ୍ମୀର’ କୁହାଯାଉଥିବା ଦାରିଙ୍ଗିବାଡ଼ିରେ ତାପମାତ୍ରା ସର୍ବନିମ୍ନ ୮.୫ ଡ଼ିଗ୍ରିରେ ପହଞ୍ଚିଛି ।

ତେବେ ଓଡ଼ିଶାର ଯେଉଁ ୪ଟି ଜିଲ୍ଲାରେ ତାପମାତ୍ରା ସର୍ବନିମ୍ନ ୧୦ ଡ଼ିଗ୍ରୀରେ ପହଞ୍ଚିଛି ସେହି ଜିଲ୍ଲା ଗୁଡ଼ିକ ହେଲା ଯଥାକ୍ରମେ, ଅନୁଗୁଳ (୧୦), ସୁନ୍ଦରଗଡ଼ (୧୦), ସମ୍ବଲପୁର (୧୦.୪) ଏବଂ ସୋନପୁର (୧୦.୪) ଡ଼ିଗ୍ରୀରେ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି । ସେହିପରି ରାଜ୍ୟର ୧୧ଟି ସ୍ଥାନରେ ୧୩ ଡ଼ିଗ୍ରୀ ବା ତାଠାରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି । କଟକରେ ତାପମାତ୍ରା ହ୍ରାସ ପାଇ ୧୨.୪ ଡ଼ିଗ୍ରୀରେ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୩ ଡ଼ିଗ୍ରୀରେ ପହଞ୍ଚିଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର କେତେକ ଉତ୍ତର-ପଶ୍ଚିମ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୩ ଡ଼ିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.