Latest Odisha News

BREAKING NEWS

ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଜାଳିଦେଲେ ଜେସିବି ମେସିନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ତଥା ଛତିଶଗଡ଼ ସୀମାନ୍ତରେ ଥିବା ପାତ୍ରପୁଟ ଗ୍ରାମରେ ସଶସ୍ତ୍ର ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏକ ଜେସିବି ମେସିନକୁ ନିଆଁରେ ପୋଡ଼ି ଜାଳିଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୨୦ରୁ ୨୫ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ରାତିରେ ପାତ୍ରପୁଟରେ ପହଞ୍ଚିଥିଲେ । ବଣ୍ଡାଘାଟ ନିକଟସ୍ଥ ଗୋଇଗୁଡ଼ା-ଭୁଜିଗୁଡ଼ା ନିର୍ମାଣାଧିନ ରାସ୍ତା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏକ ଜେସିବି ମେସିନକୁ ସେମାନେ ନିଆଁ ଲଗାଇ ଜାଳି ଦେଇଛନ୍ତି । ମାଓବାଦୀମାନେ ଜେସିବି ମେସିନଟିକୁ ସମ୍ପୂର୍ଣ୍ଣ ରୂପେ ପୋଡ଼ି ଦେଇଥିବା ସହିତ ସେଠାରେ ଥିବା ଅନେକ ରାସ୍ତା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟ କିଛି ଯନ୍ତ୍ରପାତି ଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ଏଥିରେ ମାଓବାଦୀଙ୍କ ସଂଶ୍ଳିଷ୍ଟ ଏବଂ ଏହା ଏକ ଉପଦ୍ରୁତ ଅଞ୍ଚଳ ହୋଇଥିବା ହେତୁ ସଠିକ୍ କେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେହି ସ୍ଥାନ ନିରୁପଣ ନିମନ୍ତେ ପୋଲିସ ପକ୍ଷରୁ ଛାନଭିନ୍ନ ଚାଲିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବଣ୍ଡାଘାଟରେ ମାଓବାଦୀମାନେ ରାସ୍ତା ନିର୍ମାଣକାର୍ଯ୍ୟକୁ ଘୋର ବିରୋଧ କରିଆସୁଥିଲେ ଏବଂ କିଛିଦିନ ପୂର୍ବରୁ ଏସମ୍ପର୍କୀତ କିଛି ମାଓବାଦୀ ପୋଷ୍ଟର ଲଗାଇଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.