Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମାନସିକ ସ୍ୱାସ୍ଥ୍ୟ ଉପରେ ଅନଲାଇନ ସେମିନାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ ଉପରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ରବିବାର ଦିନ ଏକ ସେମିନାର ଆୟୋଜନ ହୋଇଛି। ଏଥିରେ ୧୧ ଟି ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଦକ୍ଷିଣ ଏସିଆ ଏବଂ ଗଲ୍ଫ, ୟୁରୋପ ଏବଂ ଭୂମଧ୍ୟସାଗର, ମଧ୍ୟ ପୂର୍ବ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଏବଂ ପୂର୍ବ ଏସିଆର ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ସେମିନାରରେ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରାଯାଇଥିଲା । ଯାହା ଆଧୁନିକ ସମୟର ଏକ ଜ୍ୱଳନ୍ତ ସମସ୍ୟା, ବିଶେଷକରି ଏହି କୋଭିଡ ମହାମାରୀ ସମୟରେ ।

ଏଥିରେ ସାମିଲ ଥିବା ଅଷ୍ଟ୍ରେଲିଆ, ଓମାନ, ୟୁଏଇ, ପାକିସ୍ତାନ, ତାଞ୍ଜାନିଆ, ଉଗାଣ୍ଡା, କେନିଆ, ଜାପାନ, ବ୍ରିଟେନ ଏବଂ ଭାରତ ଭଳି ଦେଶର ଛାତ୍ରଛାତ୍ରୀ ମାନେ ବାରଜାସ୍ ନାମକ ୧୨ ଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ଏବଂ ପ୍ରତ୍ୟେକଙ୍କୁ କହିବା ପାଇଁ ଏକ ଥିମ୍ ପ୍ରଦାନ କରାଯାଇଥିଲା ।

ଏହି ଥିମ୍ ଗୁଡିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ କେନ୍ଦ୍ରିତ ହୋଇଥିବା ବେଳେ ଶରୀର ପ୍ରତିଛବି, OCD, ଗାଳିଗୁଲଜ, ଆତ୍ମ ସମ୍ମାନ, PTSD, ADHD, ଲିଙ୍ଗ ବିବିଧତା, କୋଭିଡ ୧୯, ଉଦାସୀନତା, ଜାତିଗତ ସମସ୍ୟା ତଥା ବିଷାଦ ଭଳି ସମସ୍ୟା ଅନ୍ତର୍ଭୁକ୍ତ ଥିଲା।

ଏହି ଅନଲାଇନ୍ ସେମିନାରରେ ଅନ୍ତର୍ଭୁକ୍ତ ସମସ୍ତ ତଥ୍ୟକୁ, ଏକ ଇ-ବୁକରେ ରଖାଯିବ ସହ ସମସ୍ତ ଅଂଶଗ୍ରହଣକାରୀ ବିଦ୍ୟାଳୟ ଗୁଡିକ ମଧ୍ୟରେ ସେୟାର କରାଯିବ । ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ମନସ୍ତତ୍ତ୍ୱବିତ୍ ଡ଼ଃ ହରିଶ ଶେଟ୍ଟୀ ପୃଥିବୀର କୋଣଅନୁକୋଣରୁ ଛାତ୍ରଛାତ୍ରୀଙ୍କୁ ଏହି ସେମିନାରରେ ଯୋଗ ଦେଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ।

ପରିଶେଷରେ ମୁଖ୍ୟ ବକ୍ତାଙ୍କୁ ଧନ୍ୟବାଦ ଦେବା ସହ, ‘ହାପିନେସ ଆଟ୍ ହୋମ’ ଉପରେ ଏକ ବାର୍ତ୍ତା ପ୍ରଦାନ କରିଥିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଡ଼ଃ. ବିଜୟ କୁମାର ସାହୁ।

Leave A Reply

Your email address will not be published.