Latest Odisha News

BREAKING NEWS

ସମ୍ବଲପୁର ବିଏସଇ ଅଫିସ ଅଗ୍ନିକାଣ୍ଡ ଘଟଣା: ମ୍ୟାଟ୍ରିକ୍ ପରିକ୍ଷାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ

ସମ୍ବଲପୁର: ସମ୍ବଲପୁର ବିଏସଇ ଅଫିସରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷାରେ କୌଣସିି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ବୋଲି କଟକ ମୁଖ୍ୟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣା ପରେ ରବିବାର ଦିନ ବିଏସଇ କର୍ତ୍ତୃପକ୍ଷ ସମ୍ବଲପୁରର ଶାଖା ଅଫିସରେ କ୍ଷୟକ୍ଷତି ଆକଳନ କରିବା ସହିତ ପରିଦର୍ଶନ କରିଛନ୍ତି ।

ରାଜ୍ୟ ଶିକ୍ଷା ବିଭାଗର ଉପ ଶାସନ ସଚିବ ସୂର୍ଯ୍ୟମଣୀ ମାଝୀଙ୍କ ଠାରୁ ଏହି ଅଗ୍ନିକାଣ୍ଡ ଘଟଣାରେ କ୍ଷୟକ୍ଷତି ହୋଇଥିବା ଆସବାବ ପତ୍ର ସହିତ ସମ୍ପତ୍ତିର ପ୍ରାଥମିକ ରିପୋର୍ଟ ପାଇବା ପରେ କଟକ ବିଏସଇ ମୁଖ୍ୟ କାର୍ଯ୍ୟାଳୟରୁ ବିଏସଇର ସହ-ସମ୍ପାଦକ ବଳରାମ ହୋତାଙ୍କ ନେତୃତ୍ୱରେ ଅନ୍ୟ ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତା ଯଥା ସହ-ସମ୍ପାଦକ ଅମର ବେହେରା ଏବଂ କନିଷ୍ଠ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରା ସମ୍ବଲପୁରସ୍ଥିତ ବିଏସଇ ଶାଖା କାର୍ଯ୍ୟାଳୟରେ ପହଞ୍ଚି ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଥିଲେ ।

ଏହି ପରିଦର୍ଶନ ସମୟରେ, ଏହି ଟିମ୍ ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡରେ ପୋଡ଼ିଯାଇଥିବା ସମସ୍ତ ଆସବାବ ପତ୍ର ସହିତ, ଟେବୁଲ, ଚେୟାର, ସିଲିଂ ଫ୍ୟାନ ଏବଂ ମୁଖ୍ୟ କୋଠରୀରେ କ୍ଷତି ହୋଇଥିବା ସମସ୍ତ ଜିନିଷ ଗୁଡ଼ିକର ଆକଳନ ପ୍ରସ୍ତୁତ କରିଥିଲେ । ତେବେ ଏହି ପରିଦର୍ଶନ ସମୟରେ ଏହି ଟିମ୍ ମଧ୍ୟ ଆସନ୍ତା ବର୍ଷ ମ୍ୟାଟ୍ରିକ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂରଣ ହୋଇଥିବା ଅନେକ ଅଧାପୋଡ଼ା ଫର୍ମ ଭର୍ତ୍ତି ହୋଇଥିବା ଏକ ଫାଇଲ୍ ମଧ୍ୟ ଦେଖିବାକୁ ପାଇଥିଲେ ।

“ଆମେ ଏହି ଅଗ୍ନୀକାଣ୍ଡ ଘଟିଥିବା ବିଏସଇ ଶାଖା କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ ସମସ୍ତ କ୍ଷତି ହୋଇଥିବା ଆସବାବ ପତ୍ର ସହିତ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଅଧାପୋଡ଼ା ଫର୍ମ ପୂରଣ ଫାଇଲ୍ ମଧ୍ୟ ଦେଖିବାକୁ ପାଇଥିଲୁ । ସେହି ଫର୍ମ ଗୁଡ଼ିକରେ ଯେହେତୁ ଫର୍ମ ପୂରଣ କରିଥିବା ସମସ୍ତ ପରିକ୍ଷାର୍ଥୀଙ୍କ ନାମ ଅକ୍ଷତ ଅବସ୍ଥାରେ ରହିଛି ତେଣୁ ସେମାନେ ପରିକ୍ଷା ଦେବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ,” ବୋଲି ଗରମାଧ୍ୟମକୁ କହିଛନ୍ତି, ବିଏସଇ ସହ-ସମ୍ପାଦକ ବଳରାମ ହୋତା ।

ଏପରିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ରହିଥିବା ପୁସ୍ତକ ଗୁଡ଼ିକ ମଧ୍ୟ ଅକ୍ଷତ ଅବସ୍ଥାରେ ରହିଛି ।

“ଏହି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟକୁ ଆମେ ରାଜ୍ୟ ଶିକ୍ଷା ବିଭାଗ ଶାସନ ସଚିବଙ୍କୁ ଆସନ୍ତା ୨୬ ତାରିଖରେ ପ୍ରଦାନ କରିବୁ,”ବୋଲି କହିଛନ୍ତି ବିଏସଇ ସହ-ସମ୍ପାଦକ ଶ୍ରୀଯୁକ୍ତ ହୋତା ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଡ଼ିସେମ୍ବର ୧୯ ତାରିଖରେ ସମ୍ବଲପୁରସ୍ଥିତ ବିଏସଇ ଶାଖା କାର୍ଯ୍ୟାଳୟଠାରେ ଅଗ୍ନୀକାଣ୍ଡ ଘଟିଥିଲା । କେତେଜଣ ଦୁର୍ବୃତ୍ତ ଦିନ ୨ଟା ସମୟରେ ଏହି ଅଫିସକୁ ଆସି ଶାଖା କାର୍ଯ୍ୟାଳୟ ମଧ୍ୟରେ କର୍ମଚାରୀଙ୍କୁ କାହିଁକି ଅଫିସ ଖୋଲା ରହିଛି କହି ଅଫିସ ଆସବାବ ପତ୍ରରେ ନିଆଁ ଲଗାଇଦେଇଥିଲେ । ଚାହୁଁ ଚାହୁଁ ସମଗ୍ର ଅଫିସରେ ନିଆଁ ଲାଗି ଜିନିଷପତ୍ର ପୋଡ଼ି ଯାଇଥିଲା । ଏହି ଘଟଣା ଘଟାଇବା ପରେ ଦୁର୍ବୃ୍ତ୍ତମାନେ ବାହାରେ ରହିଥିବା ୨ଟି ମୋଟରସାଇକେଲରେ ନିଆଁ ଲଗାଇଦେଇଥିଲେ ।

ଘଟଣା ସମ୍ପର୍କରେ ଖବରପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.