Latest Odisha News

କୁଆଡେ ଗଲା ଆମ କବିତାରେ କୃଷକର ସଙ୍ଗୀତ?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଆଜି ଯେତେବେଳେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି, ସେତେବେଳେ ମୁଁ ମୋ ସାହିତ୍ୟ ପରମ୍ପରାରେ ଚାଷୀମାନଙ୍କର ସ୍ଵର ଖୋଜିବା ପାଇଁ ଚେଷ୍ଟା କରୁଛିଓଡିଆ ସାହିତ୍ୟର ସୌଭାଗ୍ୟ ହେଉଛି, ଏ ମାଟିର ପ୍ରଥମ ମହାକବି ନିଜକୁ ମାଟିର କବି ଓ “ଚଷାପୁଅ” ବୋଲି ସ୍ଵୀକାର କରିଛନ୍ତି। ସାରଳା ଦାସ ଆମ କୃଷକ ପରମ୍ପରାର ପ୍ରଥମ ଓ ସର୍ବଶ୍ରେଷ୍ଠ ସିଦ୍ଧକବି। ସାରଳା ଦାସଙ୍କ ପରେ, କୃଷକ ଓ ପାଇକଙ୍କ କଥା, ଏତେ ବ୍ୟାପକ ଭାବରେ ଆଉ କେହି ଲେଖିନାହାନ୍ତି। ଓଡିଶା କୃଷି ପରମ୍ପରାରେ ଯେ କୃଷକ, ସେ ମଧ୍ୟ ସୈନିକ। ଭୂମିରେ ହଳ ଚଳାଇବା ଓ ରଣଭୂମିରେ ଖଣ୍ଡା ଚଳାଇବାର ସମାନ୍ତରାଳ କୌଶଳ ଓଡିଆଙ୍କୁ ଜଣାଥିଲା। ସାରଳା ଦାସଙ୍କ ଯୁଦ୍ଧ ବର୍ଣ୍ଣନାରେ ଓ ସମାଜ ବର୍ଣ୍ଣନାରେ ଓଡିଆ କୃଷକ/ପାଇକର ଜୀବନ୍ତଚିତ୍ର ଆମକୁ ଆଜି ବି ଉଲ୍ଲସିତ କରେ। ସାରଳାଙ୍କ ପରେ ଆମର କୃଷକ କ୍ରମେ କ୍ରମେ ସାହିତ୍ୟରୁ ଦୂରେଇ ଯିବା ଆରମ୍ଭ କଲେସୁଦୀର୍ଘ ଲିଖିତ ସାହିତତ୍ୟ ପରମ୍ପରାରେ ଆମ ଆମ ଲେଖକମାନେ କୃଷି ଓ କୃଷକକୁ ଅଣଦେଖା କରିଚାଲିଲେ।

ବିଂଶ ଶତାବ୍ଦୀରେ ଗଦ୍ୟ ରଚନା ନ ଆସିବା ପର୍ଯ୍ୟନ୍ତ, ଚାଷ ଓ ଚାଷୀ ଆମ ସାହିତ୍ୟରେ କୋଣଠେସା ହୋଇ ପଡି ରହିଥିଲେ। ଗଳ୍ପ ଓ ଉପନ୍ୟାସରେ ଅନେକ ବର୍ଷ ଧରି କୃଷକ ଓ ଶ୍ରମିକ ଆମ ସୃଜନଶୀଳତାର ମଞ୍ଜ ଭାବରେ କାମ କଲେ। “ଛ ମାଣ ଆଠ ଗୁଣ୍ଠ”ରେ ନିଜର ଭୂମିକୁ ବଞ୍ଚାଇବା ଲାଗି ଲାଗି “ସାରିଆ” ଓ “ଭଗିଆ”ଙ୍କର ସଂଘର୍ଷର ଚିତ୍ରକୁ ଫକୀର ମୋହନ ଅମରତ୍ଵ ପ୍ରଦାନ କଲେ। ଓଡିଆ କଥା ସାହିତ୍ୟରେ ବହୁ ଭାବରେ ଓ ବହୁ ବାଗରେ ଆମେ ସାରିଆ ଓ ଭଗିଆଙ୍କୁ ବାରମ୍ବାର ଭେଟି ଆସୁଛୁ। ହେଲେ କବିତାରେ, ଚାଷୀ ଓ ଚାଷର ଚିତ୍ର ଆଜି ମଧ୍ୟ ନଗଣ୍ୟ।

ତେବେ ଚାଷ ଓ ଚାଷୀଙ୍କୁ ନେଇ ଓଡିଆ କବିତାରେ ଦୁଇଟି ବିଶେଷ ରଚନା ରହିଛି, ଯାହା ବିଷୟରେ ଖୁବ ବେଶୀ ଆଲୋଚନା ହୁଏନାହିଁ। ପ୍ରଥମ ଟି ଗଙ୍ଗାଧର ମେହରଙ୍କର “କୃଷକ ସଙ୍ଗୀତ” ଓ ଅନ୍ୟଟି କୁନ୍ତଳା କୁମାରୀ ସାବତଙ୍କର “ଗଡଜାତ କୃଷକ”। ଗଙ୍ଗାଧରଙ୍କ କୃଷକ ସଙ୍ଗୀତ ଉପରେ ଅବଶ୍ୟ କିଛି କିଛି ଆଲୋଚନା ରହିଛି। ଗଙ୍ଗାଧରଙ୍କ କବିତାର ସ୍ଵଭାବ, ଲାସ୍ୟ ଓ ଛନ୍ଦମୟତାର ଯେଉଁ କୁହୁକ, “କୃଷକ ସଙ୍ଗୀତ”ରେ ତାହା ନାହିଁ। ତେବେ “କୃଷକ ସଙ୍ଗୀତ”ରେ ଗୋଟେ ଅଦ୍ଭୁତ ସରଳତା ଅଛି। ଯଦିଓ କୃଷକମାନଙ୍କୁ ନୀତିବାନ କରିବା ଉଦ୍ଦେଶ୍ୟରେ ଏହି ସବୁ କବିତା ରଚିତ ହୋଇଛି ବୋଲି ଗଙ୍ଗାଧର କହିଛନ୍ତି, ତଥାପି ନୈତିକତା ର କୃତ୍ରିମ ଉପଦେଶ କବିତାରେ ନାହିଁ। “କୃଷକ ସଙ୍ଗୀତ”ର ଉଦ୍ଦେଶ୍ୟ ସ୍ପଷ୍ଟ କରିବାକୁ ଯାଇ ଗଙ୍ଗାଧର ଲେଖିଛନ୍ତି- “ ଏ ଦେଶର କୃଷକମାନେ ହଳ ଚାଳନ ସମୟରେ ଗୀତ ଗାଇ ନିଜେ ଆମୋଦ ଲାଭକରି ବଳଦମାନଙ୍କୁ ଉତ୍ତେଜିତ କରିଥାନ୍ତି। ସେସବୁ ଗୀତର ଅଧିକାଂଶ ଅସଭ୍ୟତା-ବ୍ୟଞ୍ଜକ ଓ ଅଶ୍ଳୀଳତାରେ ପୂର୍ଣ୍ଣ ଥାଏ। କୃଷକମାନଙ୍କୁ ଉପରକୁ ନ ଉଠାଇଲେ ସମାଜ ଉନ୍ନତ ହୋଇପାରିବ ନାହିଁ ବୋଲି ବହୁଦର୍ଶୀ ବିଦ୍ଵାନମାନେ କହିଥାନ୍ତି। ସେମାନଙ୍କୁ ସରଳ ସୁଗମ ମାର୍ଗରେ ଉପରକୁ ଉଠାଇବା ନିମନ୍ତେ ତାଙ୍କ ନିଜ ଗୀତରେ ତାଙ୍କୁ ଉତ୍ସାହିତ କରିବା ଗୋଟିଏ ସହଜ ଉପାୟ, ଯଦ୍ଦ୍ବାରା ସେମାନେ ଗୀତ ଗାଇ ହିତ ଓ ଆମୋଦ ଲାଭ କରିପାରିବେ ଏବଂ ସେମାନଙ୍କର ଅସଭ୍ୟତା କଳଙ୍କ ଦୂର ହେବ।“ (କୃଷକ ସଙ୍ଗୀତର ଭୂମିକା – ୦୪/୦୯/୧୯୨୧)

ଗଙ୍ଗାଧରଙ୍କ କବିତାର ଉଦ୍ଦେଶ୍ୟ ନୈତିକତା ଓ “ଅସଭ୍ୟତା କଳଙ୍କ ଦୂର” କରିବାର ଏକ ମାଧ୍ୟମ। ତେବେ କବିତା ଭିତରେ ଏହି ଉଦ୍ଦେଶ୍ୟ ଆରୋପିତ ହୋଇନାହିଁ। କବିତା ନିଜ ଭାବରେ ଗତି କରିଛି ଓ କୃଷିର ଗୌରବ ଗାନ କରିଛି। “ଜାତି ଯାଏ ଯେଉଁ ଦେଶେ ଧଇଲେ ଲଙ୍ଗଳ” ବୋଲି କହି ଗଙ୍ଗାଧର ମେହେର ବ୍ରାହ୍ମଣବାଦୀ ମାନସିକତା ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତିପ୍ରଥମଥର ଲାଗି ଓଡିଆ କବିତାରେ ଚାଷ ଓ ଚାଷୀଙ୍କ ପାଇଁ ନିବେଦିତ ଏକ କବିତା ବହି ଆମେ “କୃଷକ ସଙ୍ଗୀତ”ରେ ପଢିଲୁ।

“କୃଷକ ସଙ୍ଗୀତ” ପ୍ରକାଶ ପାଇବାର ୧୮ ବର୍ଷ ପରେ କୁନ୍ତଳା କୁମାରୀ ସାବତଙ୍କର ଦୀର୍ଘ କବିତା “ଗଡଜାତ କୃଷକ” ପ୍ରକାଶିତ ହୁଏ। ୧୮ ପୃଷ୍ଠାର ଏହି କବିତାଟି ଓଡିଶାରେ କୃଷକ ଜୀବନକୁ ନେଇ ରଚିତ ସବୁଠୁ ଶ୍ରେଷ୍ଠ ଓ ପ୍ରଭାବଶାଳୀ କବିତା। ଢେଙ୍କାନାଳ ଗଡଜାତରେ ଗୋକୁଳି ନାମକ ଜଣେ ଦରିଦ୍ର କୃଷକ ପ୍ରତି ରାଜାଙ୍କର ଶୋଷଣ, ଶାସନ ବ୍ୟବସ୍ଥାର ଅତ୍ୟାଚାର ଓ କୃଷକ ଜୀବନର କଷଣକୁ ଅତ୍ୟନ୍ତ ମାର୍ମିକ ଭାବରେ କୁନ୍ତଳା କୁମାରୀ ପ୍ରକାଶ କରିଛନ୍ତି। ଏ କବିତା ଆଖିରେ ଲୁହ ଓ ଅନ୍ତରରେ ବିଦ୍ରୋହ ସଂଚାର କରିବାକୁ ବାଧ୍ୟ। ଓଡିଆ କବିତାରେ ଏହି ସ୍ତରର କବିତା ବହୁତ କମ ମିଳିବ। ଅଥଚ, ଏ କବିତାକୁ ନେଇ ସେମିତି ବିଶେଷ ଚର୍ଚ୍ଚା ଓ ଆଲୋଚନା ଆମେ କରିନୁ। ସେଇଟା ଆମର ଦୁର୍ଭାଗ୍ୟ।

ଗୋକୁଳି ନାଏକଙ୍କର ଜୀବନ କାହାଣୀ କୁ ଜୀବନ୍ତ କବିତା କରିବାରେ କୁନ୍ତଳା କୁମାରୀଙ୍କର ଅବଦାନକୁ ଓଡିଆ ଜାତି ଏତେ ଶୀଘ୍ର କେମିତି ପାଶୋରି ଦେଲା କେଜାଣି!!                     

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

            

Comments are closed.