ଟୋକିଓ: କରୋନା ପ୍ରଭାବ ଏବଂ ଭ୍ୟାକ୍ସିନ ଆଶା ଯୋଗୁ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଜୋର ଧରିବାରେ ଲାଗିଛି । ତେବେ ଅଲିମ୍ପିକ୍ସ ସମୟରେ ଆଥଲେଟମାନଙ୍କୁ କମ୍ ସମୟ କ୍ରୀଡା ଭିଲେଜରେ ରହିବାକୁ ସୁଯୋଗ ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଘୋଷଣା କରିଛି । ଭର୍ଚୁଆଲ ନ୍ୟୁଜ କନଫେରେନ୍ସରେ ଆଇଓସି ଅଧ୍ୟକ୍ଷ ଥମାସ ବାକ୍ ଏହା କହିଛନ୍ତି । ଆଥଲେଟ ଅଲିମ୍ପିକ୍ସ ଆରମ୍ଭ ହେବାର ୫ ଦିନ ପୂର୍ବରୁ ଟୋକିଓରେ ପଂହଚିବେ । ଇଭେଂଟ ଶେଷ ହେବା ପରେ ୪୮ ଘଂଟା ମଧ୍ୟରେ ସେମାନଙ୍କୁ ସ୍ୱଦେଶ ଫେରିବାକୁ ପଡିବ ।
ସେହିପରି ଉଦଘାଟନୀ ଉତ୍ସବରେ ସମସ୍ତ ଆଥଲେଟଙ୍କୁ ପ୍ୟାରେଡ କରିବାକୁ ସୁଯୋଗ ମିଳିବ ନାହିଁ । ସପ୍ତାହକ ମଧ୍ୟରେ ଯେଉଁ ଆଥଲେଟଙ୍କ ଇଂଭେଟ ଥିବ ସେମାନେ କେବଳ ଏଥିରେ ଯୋଗ ଦେବେ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାର ଥିଲା । କରୋନା ଯୋଗୁ ଏବେ ଏହା ଆସନ୍ତା ବର୍ଷ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ୨୦୬ ଦେଶର ୧୧୦୦୦ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ଏକ ବର୍ଷ ଅଲିମ୍ପିକ ଘୁଂଚିବା ଫଳରେ ୨୦ ହଜାର କୋଟିର ଅତିରିକ୍ତ ଖର୍ଚ୍ଚ ବଢ଼ିଯାଇଛି ।
Comments are closed.