Latest Odisha News

BREAKING NEWS

ପାଲା ଗାୟକ ମାଳିକା-ସମ୍ରାଟ ଆଚାର୍ଯ୍ୟ ଅମରେଶ୍ୱର ଦାସ

ଭୁବନେଶ୍ୱର: ପାଲା ଆକାଶକୁ ଅନେକ ଗାୟକ ଆସିଛନ୍ତି, ଅନେକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ବାହୁଡି ଯାଇଛନ୍ତି । ହେଲେ ବେଳେବେଳେ ଏମିତି କିଛି ଗାୟକ ଆସିଛନ୍ତି ଯେଉଁମାନଙ୍କର ନଶ୍ୱର ଶରୀର ବିଲୀନ ହୋଇଯାଇଥିଲେ ମଧ୍ୟ ସେମାନେ ଅମର ପାଲଟି ଯାଇଛନ୍ତି । ପାଲା ଜଗତରେ ଏମିତି ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ, ଅମର ପାଲା ଗାୟକ ହେଉଛନ୍ତି ଅମରେଶ୍ୱର ଦାସ ବା ଘରେଘରେ ପରିଚିତ ଅମର ଦାସ । ତାଙ୍କ ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ । ଯେଉଁ ମଂଚରେ ଲୋକ ହେଉନଥାନ୍ତି, ଯଦି ସେଠାକୁ ଅମର ଦାସ ଆସିଛନ୍ତି ବୋଲି ପ୍ରଚାର ହୋଇଯାଏ ଆପେ ଆପେ ଆଖପାଖ ଗାଁରୁ ଶହଶହ ପାଲା ଦର୍ଶକଙ୍କ ଭିଡ ଜମିଯାଏ । ଏମିତି ଜଣେ ଗାୟକ ଥିଲେ ଅମର ଦାସ । ତାଙ୍କ ଠାରୁ ମାଳିକା କେଇପଦ ଶୁଣିବା ପାଇଁ ଲୋକେ ସଂଧ୍ୟା ହେବା ପୂର୍ବରୁ ମଞ୍ଚ ନିକଟରେ ଗହଳ ଲଗାଇଥାନ୍ତି । ଯୁବକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଅମର ଦାସଙ୍କ ପାଖରୁ କିଛି ନୀତିଶିକ୍ଷା ଶୁଣିବା ପାଇଁ ।
୧୯୫୦ ମସିହା ଜୁଲାଇ ୧୩ ତାରିଖରେ ଯାଜପୁର ଜିଲ୍ଲା ଛତିଆରେ ରାଜକିଶୋର ଦାସ ଏବଂ ବିମଳି ଦେବୀଙ୍କ କୋଳମଣ୍ଡନ କରିଥିଲେ ଅମର ଦାସା  ପିଲାଟି ଦିନରୁ ତାଙ୍କର କଳା, ସାହିତ୍ୟ, ସଂସ୍କୃତି ପ୍ରତି ଥିଲା ଢେର ଆଗ୍ରହ । ବିଶେଷକରି ପାଲା ପ୍ରତି ଛୋଟ ବେଳରୁ ଥିଲା ଆଗ୍ରହ । ମାଟ୍ରିକ ପାସ୍ କରିବା ପରେ ସେ ପାଲା ଜଗତରେ ପ୍ରବେଶ କରିଥିଲେ । ଛତିଆର ଆରାଧ୍ୟ ଦେବତା ଅନନ୍ତ ଗୋପାଳ ଏବଂ ମା ଶାରଳାଙ୍କ ଆଶୀର୍ବାଦରୁ ଅମର ଦାସ ପାଲା ଜଗତରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ । ବିଶେଷ କରି ମାଳିକା ଏବଂ ପଞ୍ଚସଖା ସାହିତ୍ୟରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ସେ ଜନମାନସରେ ମାଳିକା ସମ୍ରାଟ୍ ଭାବେ ପରିଚିତ ଥିଲେ ।
ସତୁରୀ ଦଶକରେ ଯେତେବେଳେ ଅମର ଦାସ ପାଲା ଗାଉଥିଲେ, ସେତେବେଳେ ଅନେକ ଯୁବ ଗାୟକ ତଥା ବରିଷ୍ଠ ଗାୟକ ମାନେ ମଧ୍ୟ ତାଙ୍କ ସହ ବାଦୀ ପାଲା ଗାଇବାକୁ ଭୟ କରୁଥିଲେ । ଅମର ଦାସ ଥିଲେ ଜଣେ ପ୍ରତ୍ୟୁତ୍ପନ୍ନ ମତି ଗାୟକ । ସେଭଳି ଯୋଗଜନ୍ମା ଗାୟକ ବିରଳା ଅମର ଦାସ ପାଲାରେ ପ୍ରଥମେ ମାଳିକାକୁ ପ୍ରବେଶ କରାଇଥିଲେ । ଏହା ମାଧ୍ୟମରେ ସେ ସମାଜରୁ କୁସଂସ୍କାର ଦୂର କରିବାକୁ ପ୍ରୟାସ କରୁଥିଲେ । ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗରେ ନେବା ସହ ସମାଜକୁ ସଂସ୍କାର ଧର୍ମୀ କରିବା ପାଇଁ ସେ ପାଲା ମାଧ୍ୟମରେ ଶତ ଚେଷ୍ଟା କରୁଥିଲେ ।

ଅମର ଦାସ ଥିଲେ ଜଣେ ନିରଳସ ଏବଂ ସ୍ନେହୀ ଗାୟକ । ତାଙ୍କ ପରିସ୍ନେହ ମମତା ଆଉ କୌଣସି ଗାୟକଙ୍କ ଠାରୁ ମିଳିନଥାଏ ବୋଲି ଅନେକ ବରିଷ୍ଠ ଓ ଯୁବ ଗାୟକ ମାନେ ସ୍ୱୀକାର କରନ୍ତି । ସେରାତିରେ ପ୍ରତିପକ୍ଷ ଗାୟକଙ୍କୁ ଯେତେ ସମାଲୋଚନା କରିଥାନ୍ତୁ ନା କାହିଁକି ପରଦିନ ସକାଳେ ବସାଘରେ ପହଞ୍ଚିଯାଇ ଆପଣାର କରିନିଅନ୍ତି ।

ଜଣେ ଅତ୍ୟନ୍ତ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ ଅମର ଦାସ । ଏହା ସହ ସରଳ, ନମ୍ର, ଭଦ୍ର ଏବଂ ଆଶୁକବି ଥିଲେ । ପାଲା ଜଗତରେ ଏଭଳି ଚତୁର ଗାୟକ ବିରଳ । ଶ୍ରୋତା ହୁଅନ୍ତୁ କିମ୍ବା ପ୍ରତି ପକ୍ଷ ଗାୟକ ସେସମସ୍ତଙ୍କୁ ତାଙ୍କ ବାକ୍ ଚାତୁରିରେ ଅଭିଭୁତ କରି ଦେଉଥିଲେ । ପୂର୍ବ ଗାୟକ ଯେତେ ସୁନ୍ଦର ଭାବେ ପାଲା ପରିବେଷଣ କରିଥାନ୍ତୁ, ସେ ଆସିବା ପରେ ଏଭଳି ଢଙ୍ଗରେ ସମାଲୋଚନା କରନ୍ତି ଯେ, ଶ୍ରୋତା ବିଭୋର ହୋଇଯାନ୍ତି । ଏପରିକି ପ୍ରତି ପକ୍ଷ ଗାୟକ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଅମର ଦାସ କଣ ସମାଲୋଚନା କରିବାକୁ ଶୁଣିବା ପାଇଁ ।

ଏବେକାର ପାଲା ଗାୟକମାନଙ୍କୁ ନେଇ ଚିନ୍ତିତ ଥିଲେ ଅମର ଦାସ । ଶେଷ ପର୍ଯ୍ୟନ୍ତ ତାଙ୍କର ଚିନ୍ତା ଓ ଚେତନାରେ କେବଳ ପାଲା ଆଉ ପାଲା ହିଁ ରହିଥିଲା । କିଭଳି ପାଲା ଆହୁରି ଆଗକୁ ଯିବ ଦେଶ ଓ ବିଦେଶରେ ପରିଚିତ ହେବ ସେଥିପାଇଁ ସେ ଉଦ୍ୟମ ଜାରି ରଖିଥିଲେ । ପାଲାରୁ କୁସଂସ୍କାର ଦୂର କରିବା ସହ ପାଳା କଳାକାରମାନେ କିଭଳି ଆଦର୍ଶ ମଣିଷ ହୋଇପାରିବେ ସେଥିପାଇଁ ମଧ୍ୟ ସେ ପ୍ରୟାସ ଚଳାଇଥିଲେ । ସେ କହୁଥିଲେ ପାଲା ଗାୟକମାନେ ପ୍ରଥମେ ଭଲ ମଣିଷଟିଏ ହୁଅନ୍ତୁ, ନିଜେ ଆଦର୍ଶ ହୋଇ ଅନ୍ୟମାନଙ୍କୁ ଉପଦେଶ ଦେଲେହିଁ ତାର ପ୍ରଭାବ ପଡିବ ।

୨୦୧୮ ଏପ୍ରିଲ ୧୪ ପଣାସଂକ୍ରାନ୍ତି ଦିନଭୁବନେଶ୍ୱର ଉପକଣ୍ଠ ଭଗବାନପୁର ଗ୍ରାମରୁ ପାଲା ଗାଇ ଭୋର ୩ଟାରୁ ଅଟୋରେ ଘରକୁ ଫେରୁଥିବା ବେଳେ ଜଗତପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ଅମର ଦାସ । ସେ ୭ଦିନ କୋମାରେ ରହିବା ପରେ ଏପ୍ରିଲ ୨୨ ତାରିଖରେ  ଶେଷ ନିଶ୍ୱାସ ତ୍ୟାଗ କଲେ । ଅମର ଦାସଙ୍କ ପରଲୋକ ସହ ପାଲା ଆକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହୋଇଗଲା । ଆଜି ଏହି ବିରଳ ପ୍ରତିଭା ସ୍ୱଦେହରେ ନାହାଁନ୍ତି ସତ ହେଲେ ତାଙ୍କ ପାଲା ଅମର ହୋଇ ରହିଯାଇଛି ଲକ୍ଷଲକ୍ଷ ପାଲା ଶ୍ରୋତାଙ୍କ ହୃଦୟରେ ।

Leave A Reply

Your email address will not be published.