Latest Odisha News

ଦମଦାର୍ ପ୍ରଦର୍ଶନ ସହ ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ: ଭାରତୀୟ ଟେଷ୍ଟ ଟିମ୍ କ୍ରିକେଟ ଇତିହାସରେ ୧ମଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତି ପାରିବାର ଆଶା ଦୃଢିଭୂତ ହୋଇଛି । ପୂର୍ବରୁ ଭାରତ ନିଜ ମାଟିରେ ସିରିଜ୍ ଜିତିଥିଲେ ମଧ୍ୟ କେବେବି ଅଷ୍ଟ୍ରେଲିଆ ଦଳକୁ ଅଷ୍ଟ୍ରେଲିଆରେ ପରାସ୍ତ କରିପାରିନାହିଁ । ଏଥର କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ଧୂଳିସାତ୍ କରି ବିରାଟ ବାହିନୀ କଙ୍ଗାରୁ ଦଳକୁ ନିଜମାଟିରେ ଧରାଶାୟୀ କରି ଗାଭାସ୍କର-ବୋର୍ଡ଼ର୍ ଟ୍ରଫି ହାସଲ କରିବାକୁ ଦମଦାର୍ ପ୍ରଦର୍ଶନ କରି ୨-୧ରେ ସିରିଜରେ ଅଗ୍ରଣୀ ଲାଭ କରିପାରିଛି । ମେଲବୋର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୧୩୭ ରନରେ ପରାସ୍ତ କରିଛି ।


ଅଷ୍ଟ୍ରେଲିଆ ଦଳକୁ ୨ୟ ଇନିଂସରେ ୨୬୧ ରନରେ ଅଲଆଉଟ କରିଛି ଭାରତୀୟ ଶକ୍ତିଶାଳୀ ବୋଲିଂ ବିଭାଗ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କୁମିନ୍ସ ସର୍ବାଧିକ ୬୩ ରନ, ସନ୍ ମାର୍ଶ ୪୪ ରନ ଏବଂ ଟ୍ରାଭିସ୍ ହେଡ୍ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ

ଭାରତୀୟ ବୋଲର୍ ବୁମରା ଓ ରବୀନ୍ଦ୍ର ଜାଡ଼େଜା ୩ଟି କରି ୱିକେଟ ଅକ୍ତିଆର କରିଥିବା ବେଳେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ୨ଟି କରି ୱିକେଟ ହାସଲ କରିପାରିଛନ୍ତି ।

ଅନ୍ତିମ ଦିବସ ଖେଳ ଆରମ୍ଭ ପରେ ପରେ ବର୍ଷାଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଶିଘ୍ର ମଧ୍ୟାହ୍ନ ଭୋଜନ ବିରତି କରାଯିବା ପରେ ଖେଳ ପୁନର୍ବାର ଆରମ୍ଭ ହୋଇଥିଲା । ଈଶାନ୍ତ ଶର୍ମା ଏବଂ ରବୀନ୍ଦ୍ର ଜାଡ଼େଜା ସହଳ ଅବଶିଷ୍ଟ ୨ଟି ୱିକେଟ ଅକ୍ତିଆର କରି ଭାରତକୁ ଟେଷ୍ଟ ସିରିଜ ବିଜୟର ସ୍ୱାଦ ଚଖାଇଥିଲେ ।

ଏହି ମ୍ୟାଚରେ ସମୁଦାୟ ୯ଟି ୱିକେଟ ହାସଲ କରିଥିବା ଯଶପ୍ରିତ ବୁମରାଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ ଘୋଷିତ କରାଯାଇଥିଲା ।

ଆସନ୍ତା ଜାନୁଆରୀ ୩ ତାରିଖରେ ସିଡ଼ନୀଠାରେ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ଖେଳାଯିବ ।

ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷଭ ପନ୍ଥ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲୀୟ ଏକାଦଶ: ଆରୋନ ଫିଞ୍ଚ, ମାର୍କସ୍ ହ୍ୟାରିସ, ଉସମାନ୍ ଖ୍ୱାଜା, ସନ୍ ମାର୍ଶ, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ଶ, ଟିମ୍ ପେନ୍ (ଅଧିନାୟକ/ୱିକେଟ ରକ୍ଷକ), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍ ଏବଂ ଜୋସ୍ ହ୍ୟାଜେଲଉଡ୍ ।

ଭାରତୀୟ ଦଳ ୭ ଜଣ ବ୍ୟାଟ୍ସମ୍ୟାନ ଜଣେ ଅଲରାଉଣ୍ଡର ଏବଂ ୩ ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଏହି ‘ବକ୍ସିଂ ଡ଼େ’ ଟେଷ୍ଟ ମ୍ୟାଚ୍ ଖେଳୁଥିଲା ।

 

 

Leave A Reply

Your email address will not be published.