Latest Odisha News

BREAKING NEWS

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ ପ୍ରଶାସନର ଭୂମିକାକୁ ନେଇ ଉଠିଛି ଅସରନ୍ତି ପ୍ରଶ୍ନ ।

ଗତକାଲି ବ୍ୟସ୍ତବହୁଳ ଆଗ୍ରା ସହରରେ ୫୦ ବର୍ଷୀୟ ହରିଶ ପଚୌରୀ ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇଜଣ ଅଜଣା ବ୍ୟକ୍ତି ଲହୁଲୁହାଣ କରି ବାଇକରେ ଚମ୍ପଟ୍ ମାରିଥିଲେ । ଗୁରୁତର ଅବସ୍ଥାରେ ହରିଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସିସିଟିଭି ଫୁଟେଜରୁ ଜଣାପଡିଛି ହରିଶ ମୋବାଇଲରେ କଥା ହେଉଥିବାବେଳେ ଦୁଇଜଣ ବାଇକ ଆରୋହୀ ତାଙ୍କ ନିକଟରେ ଅଟକିଥିଲେ । ପ୍ରଥମେ କଥାବାର୍ତ୍ତା ଓ ପରେ ବଚସା ହେବା ପରେ ବାଇକରୁ ଓହ୍ଲାଇ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ହରିଶ ପଚୌରୀ ।

ତଦନ୍ତରେ ଜଣାପଡିଛି ଥରେ ନୁହେଁ ବରଂ ହରିଶଙ୍କୁ ତିନିତିନିଥର ହୋଇଥିଲା ଗୁଳିମାଡ । ଗୁଳିମାଡ କରିଥିବା ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲାବେଳେ ହରିଶଙ୍କ ପରିବାର ଲୋକଙ୍କ ପଚରାଉଚରା କରି ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଛି ତଦନ୍ତକାରୀ ଦଳ ।

Comments are closed.