୧୮୯୭ ମସିହା ନଭେମ୍ବର ମାସରେ ଯେତେବେଳେ ରେଭେନ୍ସା କଲେଜର ତତ୍କାଳୀନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ପଠାଣି ସାମନ୍ତଙ୍କ “ସିଦ୍ଧାନ୍ତ ଦର୍ପଣ” ପାଇଁ ମୁଖବନ୍ଧର ଶେଷ ପାରାଗ୍ରାଫ ଲେଖୁଛନ୍ତି, ସେତେବେଳେ ତାଙ୍କ ମନରେ ଏକ ପ୍ରଚଣ୍ଡ ବିଷାଦଭାବ ଆସୁଛି। ପଠାଣି ସାମନ୍ତ, ଯାହାଙ୍କୁ ଯୋଗେଶ ରାୟ, ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରାଚାର୍ଯ୍ୟ ପ୍ରମୁଖଙ୍କ ପରମ୍ପରାର ଶେଷ ଦାୟାଦ ଭାବରେ ଦେଖିଛନ୍ତି, ଆଜିର ଯୁଗରେ ଉପେକ୍ଷିତ ଓ ଅବହେଳିତ ହେବାର ଭାଗ୍ୟ ନେଇ ପଡିରହିବେ ବୋଲି ଏକ ପ୍ରଚ୍ଛନ୍ନ ଦୁଃଖ ତାଙ୍କୁ ବିଚଳିତ କରୁଛି। ଶେଷ କଥାଟି କହିବାକୁ ଯାଇ ସେ ଲେଖୁଛନ୍ତି- “ଆମର ମହାନ ଭାରତୀୟ ବିଜ୍ଞାନୀ ପରିଶେଷରେ ପାଇବେ କଣ? ତାଙ୍କର ସାଥି ଜ୍ୟୋତିର୍ବିଦମାନେ ତାଙ୍କୁ ନାକ ଟେକିବେ କାରଣ ସେ ଜ୍ୟୋତିଷ ଓ ଭବିଷ୍ୟବକ୍ତାମାନଙ୍କର ବୁନିଆଦି ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି। ତାଙ୍କୁ ତାଙ୍କ ଜାଗାରେ ଉତ୍ସାହିତ କରିବାକୁ କେହି ନାହାନ୍ତି, କିମ୍ବା ତାଙ୍କ ବିଜ୍ଞାନକୁ ବୁଝିବାର ଲୋକ କେହି ନାହାନ୍ତି। ଆମ ସରକାର ତାଙ୍କୁ ହୁଏତ କିଛି ଗୋଟେ ଉପାଧି ଦେବେ, ଯାହାକୁ ସେ କେବେ ଚାହିଁ ନାହାନ୍ତି। ……..ଆମେ ଆଶା କରିବା ଯେ ଯାବଜ୍ଜୀବନ ନିଜ ଲୋକଙ୍କ ଦ୍ଵାରା ଉପେକ୍ଷିତ ହୋଇଥିବା ଏହି ପ୍ରଚଣ୍ଡ ବିଜ୍ଞାନୀଙ୍କ ଉପରେ ଆମର ଦୃଷ୍ଟି ପଡିବ ଓ ତାଙ୍କର ମହାନୁଭବ ବ୍ୟକ୍ତିତ୍ବର ବାସ୍ତବ ମୂଲ୍ୟାୟନ କରିବାରେ ଆମେ ସଫଳ ହେବ”।
ପଠାଣି ସାମନ୍ତ (ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ସାମନ୍ତ ହରିଚନ୍ଦନ ମହାପାତ୍ର, ଖଣ୍ଡପଡା, ୧୩,ଡିସେମ୍ବର,୧୮୩୫- ୧୧,ଜୁନ,୧୯୦୪) ଙ୍କ ପରିଚୟ ଦେବାର ଅର୍ଥ ହେଉଛି ସୂର୍ଯ୍ୟ ବିଷୟରେ କିଛି ଲେଖିବା। ସୂର୍ଯ୍ୟ ନଥିଲେ ଯେମିତି ପୃଥିବୀ ନାହିଁ, ପଠାଣି ସାମନ୍ତଙ୍କ ବ୍ୟତୀତ ଜ୍ୟୋତିର୍ବିଦ୍ୟାର ଅସ୍ତିତ୍ଵ ନାହିଁ। ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ସେ ଅନ୍ତିମ ଋଷି। ତେବେ ସାମନ୍ତଙ୍କ ଜ୍ୟୋତିଷ ଭବିଷ୍ୟ ଗଣନା ବା ଜାତକ ନିର୍ମାଣ ନୁହେଁ, ସେ ଥିଲେ ଭାରତୀୟ ପରମ୍ପରାର ଦେଶୀ ଜ୍ୟୋତିର୍ବିତ। ମହାକାଶର ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି, ଚଳନ ଏବଂ ଜଗତ ଉପରେସେମାନଙ୍କ ପ୍ରଭାବକୁ ନେଇ ଅଭ୍ରାନ୍ତ ଗାଣିତିକ ସୂତ୍ର ତିଆରି କରିବାରେ ସେ ଥିଲେ ବିଚକ୍ଷଣ ବୈଜ୍ଞାନିକ।
ପଠାଣି ସାମନ୍ତଙ୍କ ମାଧ୍ୟମ ଥିଲା ଦେଶୀ, ହେଲେ ତାଙ୍କର ସିଦ୍ଧାନ୍ତ ଥିଲା ତର୍କ ଆଧାରିତ। ବାଉଁଶ ନଳୀରେ ଦୂରତମ ତାରକାର ସ୍ଥିତି ପରଖିବାର ବୈଜ୍ଞାନିକ କୌଶଳ ହେଉ ବା ଘରେ ବସି ଦୂର ପାହାଡର ଉଚ୍ଚତା ମାପିବାର ଜ୍ଞାନ, ସବୁଥିରେ ସେ ଥିଲେ ଧୁରନ୍ଧର। ମାତ୍ର ୩୪ ବର୍ଷ ବୟସରେ ସେ ୨୫୦୦ ଶ୍ଳୋକ ବିଶିଷ୍ଟ “ସିଦ୍ଧାନ୍ତ ଦର୍ପଣ” ରଚନା ସମାପ୍ତ କରିଥିଲେ। ପ୍ରାଚୀନ ସଂସ୍କୃତ ଭାଷାରେ ମହାକାଶ ବିଜ୍ଞାନର ସର୍ବାଧୁନିକ ସିଦ୍ଧାନ୍ତକୁ କହିପାରିଥିବା ଏହି ଜ୍ୟୋତିର୍ବିଦଙ୍କୁ ତାଙ୍କ ସମୟର ସର୍ବଶ୍ରେଷ୍ଠ ଗଣିତଜ୍ଞ ବୋଲି ବହୁ ପଣ୍ଡିତ ସ୍ଵୀକାର କରିଛନ୍ତି। ଖଣ୍ଡପଡା ରେ ରହି ବିଜ୍ଞାନ ସିଦ୍ଧାନ୍ତକୁ ନେଇ ଏତେ ବଡ ଗ୍ରନ୍ଥ ରଚନା କରିଥିବା ପଠାଣି ସାମନ୍ତଙ୍କ ପ୍ରତିଭାକୁ ଆଦର କଲାଭଳି ପରିସ୍ଥିତି ସେତେବେଳେ ହୁଏତ ଓଡିଶାରେ ନଥିଲା। ତେବେ ସେ ସ୍ଥିତି ଯେ ଆଜି ବଦଳିଛି, ତା ବି କହିହେବନାଇଁ!!
ଶଙ୍କୁ, ସୂର୍ଯ୍ୟଘଡି, ଗୋଳଯନ୍ତ୍ର, ମାନଯନ୍ତ୍ର, ଧନୁଯନ୍ତ୍ର ଇତ୍ୟାଦି ଦେଶୀ ମାଧ୍ୟମ ବ୍ୟବହାର କରି ମହାକାଶର ଜଟିଳ ସିଦ୍ଧାନ୍ତକୁ ସେ ଲିପିବଦ୍ଧ କରୁଥିଲେ। ଓଡିଶାର କବି ଓ ପଣ୍ଡିତମାନେ ପଠାଣି ସାମନ୍ତଙ୍କ ପ୍ରତିଭାର ଜୟ ଜୟକାର କରିଛନ୍ତି, ହେଲେ ତାଙ୍କ ବିଦ୍ୟାର ଆଦର କରିବା ଓ ତାଙ୍କୁ ପ୍ରୋତ୍ସାହିତ କରିବାର କୌଣସି ବ୍ୟବସ୍ଥା ସେତେବେଳେ ହୋଇନାହିଁ। କବିବର ରାଧାନାଥ ରାୟ ତାଙ୍କର “ଦରବାର” କାବ୍ୟରେ ପଠାଣି ସାମନ୍ତଙ୍କୁ ଉତ୍କଳର ମହାନାୟକ ବୋଲି କହିଛନ୍ତି। ହେଲେ କବିଙ୍କ ନିଜ ଭାଷାରେ “ସଲୀଳ ନ ସିଞ୍ଚି ଶୁଷ୍କ ଦଣ୍ଡବତ” ଅର୍ଥାତ ପାଣିଟୋପେ ନ ଦେଇ ଜୁହାର କରି ବିଦା କରିଦେବାର ଅପରମ୍ପରା ଆମର ରହିଛି।
କୁହାଯାଏ,ସାମନ୍ତ ମହୋଦୟ ୧୪ ବର୍ଷ ବୟସରୁ ସିଦ୍ଧାନ୍ତ ଦର୍ପଣ ଲେଖିବା ଆରମ୍ଭ କରିଥିଲେ ଓ ଏହା ତାଙ୍କୁ ୩୪ ବର୍ଷ ହେବ ବେଳକୁ ସମାପ୍ତ ହୋଇଥିଲା। ୧୮୬୯ରୁ ଲେଖା ହୋଇଥିବା ଏହି ଗ୍ରନ୍ଥ ୧୮୯୯ରେ ପ୍ରଥମେ ପ୍ରକାଶ ପାଇଲା। ଅର୍ଥାତ ବହିଟି ଲୋକ ଲୋଚନକୁ ଆସିଲା ଆସିଲା ୩୦ ବର୍ଷର ଅପେକ୍ଷା ପରେ। କଲିକତା ବିଶ୍ବବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ମହେଶ ଚନ୍ଦ୍ର ନ୍ୟାୟରତ୍ନ ଏବଂ କଟକ କଲେଜର ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କ ଉଦ୍ୟମ କ୍ରମେ ଏ ଗ୍ରନ୍ଥ ପ୍ରକାଶିତ ହେଲା। ସାମନ୍ତଙ୍କ ପ୍ରତିଭାକୁ ଅନ୍ୟ ଦେଶବାସୀ ଆଦର କରିଥିବା ବେଳେ ଓଡିଶାରେ ତାଙ୍କୁ ସେତେବେଶୀ ପ୍ରୋତ୍ସାହନ ମିଳିନଥିଲା। ଏ ପ୍ରସଙ୍ଗରେ କବିବର ରାଧାନାଥ ରାୟ ଓଡିଶାର ଗଡଜାତ ରାଜାମାନଙ୍କୁ ପରୋଷରେ ସମାଲୋଚନା କରିଥିଲେ।
ତେବେ ପଠାଣି ସାମନ୍ତଙ୍କ ମୃତ୍ୟୁର ୧୧୬ ପରେ ମଧ୍ୟ ତାଙ୍କ ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ଓ ସମ୍ମାନ ଆମେ କରି ପାରିନୁ।
Comments are closed.