Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ

ଭୁବନେଶ୍ୱର: ରାଜଧାନୀର ମହାରାଜା ସିନେମା ହଲରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସହିଦନଗର ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଆଚାର୍ଯ୍ୟବିହାରସ୍ଥିତ ମହାରାଜା ସିନେମା ହଲ ମଧ୍ୟରେ କେତେକ ଯୁବକ କିଛି ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ବେଳେ କପିଳେନ୍ଦ୍ର ପ୍ରଧାନ ନାମକ ଜଣେ ସାମ୍ବାଦିକ ଏହାକୁ ବିରୋଧ କରିଥିଲେ । ମାତ୍ର ଯୁବକମାନେ କପିଳେନ୍ଦ୍ରଙ୍କୁ ମିଳିତ ଭାବେ ଆକ୍ରମଣ କରିଥିବା ନେଇ ସହିଦନଗର ଥାନାରେ ସେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

ଆହତ ଅବସ୍ଥାରେ କପିଳେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଆର ପି ଶର୍ମା କହିଛନ୍ତି, ଆଇନ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ଏହି ଘଟଣାର ଦଦନ୍ତ ଭାର ଅର୍ପଣ କରାଯାଇଛି ବୋଲି ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି ।

ତେବେ ରବିବାର ସନ୍ଧ୍ୟା ସମୟରେ ସାମ୍ବାଦିକମାନଙ୍କ ଏକ ଟିମ୍ ଡ଼ିଜିପିଙ୍କୁ ସାକ୍ଷାତ କରିବା ସହିତ ଘଟଣାର ସଠିକ୍ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାମ୍ବାଦିକମାନେ ଦାବି କରିଥିଲେ ।

ପ୍ରାପ୍ତ ସୂତ୍ରରୁ ଜଣାପଡ଼ିଛି, ଏହି ଘଟଣାଟି ଶନିବାର ଦିନ ମଧ୍ୟାହ୍ନ ୧୨ଟା ୩୦ରେ ଘଟିଥିଲା ।

ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାୟ ୧୦ ରୁ ୧୨ ଜଣ ଛାତ୍ର ତାଙ୍କୁ ସିନେମା ହଲ ମଧ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ବେଳେ କପିଳେନ୍ଦ୍ର ଯୁବକମାନଙ୍କୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କପିଳେନ୍ଦ୍ରଙ୍କୁ ଯୁବକମାନେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.