ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଲାଗି ସୋମବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବଡ଼ବଜାର ଦେଶୀବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦୁଇ ବର୍ଷକୁ ଥରେ ମା’ଙ୍କ ଯାତ୍ରା ହୋଇଥାଏ । କୋଭିଡ୍ ଦୃଷ୍ଟିରୁ ଚଳିତଥର ମାତ୍ର ୭ ଦିନ ଲାଗି ବୁଢ଼ୀ ଠାକୁରାଣୀ ଯାତ୍ରା କରିବାକୁ ମହାନଗର ନିଗମ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି ।
ମା’ଙ୍କ ଯାତ୍ରା ଏପ୍ରିଲ୍ ୯ ତାରିଖରୁ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେବ । ସୋମବାର ରାତିରେ ମା’ଙ୍କ ମୁଖ୍ୟ ମନ୍ଦିରରୁ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ଅଣାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ କରାଯାଇଛି । ଶୁଭଖୁଣ୍ଟି ସ୍ଥାପନ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଆଦ୍ୟ ପର୍ବ ହୋଇଥିବା ବେଳେ ସହରରେ ଏହାକୁ ନେଇ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି ।
ପରମ୍ପରା ଅନୁସାରେ, ଦୁର୍ଗାପ୍ରସାଦ ଦେଶୀବେହେରା ନିଜ ବାସଭବନରେ ମା’ଙ୍କ ଦୀପ ପ୍ରଜ୍ୱଳନ କରି ସଭାସ୍ଥଳକୁ ଆଣିଥିଲେ । ପୂଜାପାଠ ଆବାହନ ପରେ ସିଦ୍ଧାନ୍ତି ବି. ବାସୁଦେବ ଶାସ୍ତ୍ରୀ ଯାତ୍ରା ତାରିଖ ଘୋଷଣା କରିଥିଲେ । ଏହାପରେ ବଂଶାନୁକ୍ରମେ ସମୟ ଧାର୍ଯ୍ୟ ହୋଇଥିଲା । ଏପ୍ରିଲ୍ ୯ ତାରିଖ ରାତି ୯ଟରୁ ୧୧ଟା ମଧ୍ୟରେ ମା’ଙ୍କୁ ଆଣିବା ଲାଗି ବାପା ଦେଶୀବେହେରା ସ୍ଥାୟୀ ମନ୍ଦିରକୁ ଯିବେ ବୋଲି ଜଣାପଡ଼ିଛି ।
Comments are closed.