Latest Odisha News

BREAKING NEWS

ପୁରୀରେ ସାହିଯାତ ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି। ଗତକାଲି ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ରୀତିନୀତି ସହ ସମ୍ପୃକ୍ତ ଏହି ସାହିଜାତରେ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ଯାଏଁ ଚାଲିଥାଏ।

ସୂଚନା ଅନୁଯାୟୀ ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା ବେଳେ ଆଜି ଦଶମୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା ପ୍ରସ୍ତାବ ଓ ମାଟିମଣ୍ଡପ ସାହି ପକ୍ଷରୁ ନିଶାଣ ଯାତ୍ରା, ଏକାଦଶୀରେ ହରଚଣ୍ଡୀ ସାହି ପକ୍ଷରୁ ସୀତାବିବାହ, ଦ୍ୱାଦଶୀରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ପ୍ରସ୍ତାବ କରାଯିବ।

ସେହିପରି ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରି, ଚୈତ୍ର ପୂର୍ଣ୍ଣିମାରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡି, ବୈଶାଖ ମାସ ପ୍ରତିପଦା ତିଥିରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରତିଷ୍ଠା, ଦ୍ଵିତୀୟା ତିଥିରେ ରାବଣ ବଧ ଓ ବୈଶାଖ ମାସ କୃଷ୍ଣପକ୍ଷ ସପ୍ତମୀ ତିଥିରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ପାଳନ କରାଯିବ।

ଅପରପକ୍ଷେ ପ୍ରତିଦିନ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଳବ ମଠକୁ ଯିବା ପରେ ସେଠାରେ ବିଭିନ୍ନ ସାହିରୁ ବାହାରିଥିବା ଚରିତ୍ର ଗୁଡିକ ସହ ନୀତିକାନ୍ତି ସଂପନ୍ନ ହୋଇଥାଏ ବୋଲି ସୂଚନା ମିଳିଛି।

 

Comments are closed.