Latest Odisha News

BREAKING NEWS

ଖୁବଶୀଘ୍ର ଫେରିବେ ଭାରତରେ ଫସି ରହିଥିବା ଅଷ୍ଟ୍ରେଲୀୟ ନାଗରିକ

ମେଲବୋର୍ଣ୍ଣ: କରୋନା ସଂକ୍ରମିତ ଭାରତରେ ଫସି ରହିଥିବା ନିଜ ନାଗରିକ ମାନଙ୍କୁ ମେ ୧୫ ପରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର ଦିନ କହିଛନ୍ତି। ପୂର୍ବରୁ ନାଗରିକ ମାନଙ୍କର ଅଷ୍ଟ୍ରେଲିଆ ଫେରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଶୁକ୍ରବାର ଦିନ ଜାତୀୟ ସୁରକ୍ଷା କମିଟିର ଏକ ବୈଠକ ପରେ ମୋରିସନ୍ କହିଛନ୍ତି ଯେ ଅଷ୍ଟ୍ରେଲୀୟ ନାଗରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଉପରେ ଲାଗିଥିବା କଟକଣା ଅବଧିକୁ ଆଉ ବୃଦ୍ଧି କରିବାର ଆବଶ୍ୟକତା ନାହିଁ।

ସୂଚନା ଅନୁଯାୟୀ, ଜଣେ ୭୩ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ସିଡନୀ ଫେଡେରାଲ କୋର୍ଟରେ ଏହି ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିବାର ଗୋଟିଏ ଦିନ ପରେ ମୋରିସନ ଏଭଳି ମନ୍ତବ୍ୟ ଦେଇଛନ୍ତି। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତ ବର୍ଷ ମାର୍ଚ୍ଚରୁ ବେଙ୍ଗାଲୁରୁରେ ଫସି ରହିଛନ୍ତି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଭାରତରୁ ନିଜ ଲୋକଙ୍କୁ ଫେରାଇ ଆଣିବା ପାଇଁ ପ୍ରଥମ ବିମାନ ପଠାଇବାକୁ ପ୍ରସ୍ତୁତ ହେଉଛୁ। ଏହି ମାସ ଶେଷ ସୁଦ୍ଧା ତିନିଟି ବିମାନ ପଠାଯିବ।

ସେ କହିଛନ୍ତି ଯେ “ଭାରତରୁ ଆସୁଥିବା ଲୋକଙ୍କ ସହ ସଂକ୍ରମଣ ମଧ୍ୟ ଆସିବାର ଆଶଙ୍କା ରହିଛି। ତେଣୁ ବିମାନରେ ଆସିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ।”

ସେ କହିଛନ୍ତି ଯେ ଭାରତରେ ଫସି ରହିଥିବା ୯,୦୦୦ ଅଷ୍ଟ୍ରେଲୀୟ ନାଗରିକଙ୍କ ମଧ୍ୟରୁ କେତେଜଣ କରୋନା ସଂକ୍ରମିତ ହୋଇଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

Comments are closed.