Latest Odisha News

ଗଳ୍ପ : କରୋନା କାହାଣୀ

ବନ୍ଦିତା ଦାଶ   

ଶୀତ ନୂଆନୂଆ ଆସିଥାଏ। ବାଡିବଗିଚାରେ ନାନା ପ୍ରକାରର ଗେଣ୍ଡୁ ଫୁଲ। ସଦ୍ୟକଟାଯାଇଥିବା ଧାନକିଆରୀ । ନାନା କିସମର ପନିପରିବାର ଥାଟରେ ବାଡି ହସୁଥାଏ।
ଉଣେଇଶିଶହ ଅଣାନବେର କଥା। ଏମ୍.ଫିଲ୍ କରୁଥାଏ ରେଭେନ୍ସାରେ । ସତ୍ୟଭାମାର ଚିଠିପାଇଲି। ବାହାଘର ଠିକ୍ ହୋଇଯାଇଚି।ମୋତେ ଓ ନୂପୁରକୁ ଯିବାପାଇଁ ନିମନ୍ତ୍ରଣ ଥିଲା ସେଥିରେ। ପିଜି ସମୟରେ ଆମେ ଏକାସହିତ ରହୁଥିଲୁ ଗୋଟିଏ ରୁମ୍ରେ। ମୁଁ ନ ଖାଇଲେ ତାଗିଦ କରିବ ସେ। ମୋ ଡବାରୁ କେହି କିଛି ନେଲେ ଲୁଚେଇପକେଇବ ସେ। ସଂକ୍ରାନ୍ତିରେ ନିଜପାଇଁ ରାନ୍ଧି ମୋତେ ଖୁଏଇବ ସେ । ବେଶି ଗପିଲେ ଧମକେଇବ ସେ । କାନ୍ଦିଲେ ହସେଇବ ସେ । ତାକୁ ସିଲି ସତିଆଭାଇ ଡାକୁଥିଲା ସେଇଥିପାଇଁ। ଆଉ ମୁଁ ଭାମଡି ଡାକିଲେ ଧୁମ୍ ଗାଳି ଖାଉଥିଲି ତାଠାରୁ। ଚାକିରି କରିବ କହୁଥିଲା । ସେ କଣ ବାହାହେଇଯିବ ଏକଥା ମୋତେ କେମିତି କେମିତି ଲାଗୁଥିଲା।

ଚିଠି ଲେଖିଲି ,ଆମେ ଦୁହେଁ ଯିବୁ କେମିତି। ସତ୍ୟଭାମା ବିନୋଦକୁ ପଠେଇଥିଲା। ନୂପୁର ଓ ମୁଁ ବାହାରିଲୁ ରଶ୍ମି ମିଶ୍ରଙ୍କ ଅନୁମତି ନେଇ । ଭୁବନେଶ୍ବର ପହଞ୍ଚି ଜାଣିଲୁ ଯେ ଟଙ୍କପାଣିକୁ ବସ୍ ନୁହେଁ, ଡଙ୍ଗାରେ ବସି ନଈ ପାରେଇ ଯିବାକୁହବ। ବହୁତ ଡର ଲାଗୁଥାଏ। ଆସିଚୁ ତ ପହଞ୍ଚିବାକୁ ପଡିବ। ଯା’ ହଉ ଭଲରେ ଭଲରେ ପହଞ୍ଚିଗଲୁ।

ସତ୍ୟଭାମା କେବଳ ନୁହେଁ, ମଉସା, ମାଉସୀ, କାକା, ଖୁଡୀ, ପିୟୁସୀନାନୀ, କୁ ନା, ପଦିନି ଇତ୍ୟାଦି ସମସ୍ତେ ଖୁବ୍ ଖୁସିରେ ଆମକୁ ଘେରିଗଲେ। ଆମକୁ ବି ବହୁତ ଭଲ ଲାଗୁଥାଏ। ଗାଁ ପରିବେଶ ମୋତେ ଆକୃଷ୍ଟ କରିଥାଏ ସଦା।

କାବେରୀ ଫିଲ୍ମର ଆସିବ ବର ତୋର ,ହୋଇବ ବାହାଘର ମାଇକରେ ବାଜୁଥାଏ। ଘରେ ଯେତିକି ଖୁସି ସେତିକି କଷ୍ଟ ରହିଥାଏ। ନୂଆ ସଂସାର କରିବ, ବାପଘର ସୁଖ ସରିବ, ଦାୟିତ୍ୱନେଇ ଘରର ବଡବୋହୁ ହେବ ….ଡର ଯେତିକି, ଖୁସି ସେତିକି ,ଦୁଃଖ ବି..।

ସମୟ ବିତିଲା। କୁଆଁରୀ ଜୀବନ ସରିଆସିଲା। ତିନି ସାଙ୍ଗ ଢେର ଗପିଲୁ। ମୁଁ ଯେହେତୁ ସମସ୍ତଙ୍କୁ ଚିହ୍ନିଥାଏ ସେହେତୁ ସମସ୍ତଙ୍କ ସହ ଟିକେ ଟିକେ ସମୟ ବିତଉଥାଏ। କିଏ ଜାଣେ ଆଉ ଆମର ଦେଖା ହବକି ନାହିଁ।

ରାତି ବାହାଘର ଥିଲା ରୋଷଣୀ ବାଣରେ ଗାଁ ଦାଣ୍ଡ ଉଠିଲା ପଡିଲା । ସୁନ୍ଦର ବର ସମସ୍ତଙ୍କ ମୁହଁରେ କଥାଟିଏ। ସତ୍ୟଭାମା ଫିକ୍ କରି ହସି ଦେଉଥାଏ ଏ କଥା ଶୁଣି।

ବାହାଘର , ବାହାଘର …ବାହାଘର ଶେଷ। କଉଡି ଖେଳ ହେଲା ଘରେ। ସେଇଠି ମୁଁ ଓ ନୂପୁର ନିଜ ପରିଚୟ ଦେଲୁ ସାଙ୍ଗ ଭାବରେ। କଥାରେ କଥାରେ କହିଲୁ ସତ୍ୟଭାମା ଚାକିରି କଲେ ଭଲ। ଆମେ ବି ଆଗକୁ କରିବୁ , ସେ ବି କରୁ । କିନ୍ତୁ ନା ମୁଁ , ନା ନୂପୁର କେହି ବି ଚାକିରୀ କଲୁ ନାହିଁ। ଦରଖାସ୍ତ ମଞ୍ଜୁର ହେଇଗଲା ଏଥର ସାଙ୍ଗର । ବହୁତ ଖୁସି ଲାଗିଲା। ସମ୍ପର୍କର ମଞ୍ଜିଟିଏ ପୋତିହୋଇଗଲା। ବୁଲୁଭାଇ ହୋଇଗଲେ ସେ ଆମର। ସାନ ଭଉଣୀ ଭଳି ଶ୍ରଦ୍ଧା କରୁଥିଲେ ଆମକୁ।
ପରେ ପରେ ମୋ’ ବାହାଘର ହୋଇଗଲା। ସତ୍ୟଭାମା ଓ ବୁଲୁଭାଇ କେହି ତ ଆସିପାରି ନଥିଲେ । ଶୁଭେଚ୍ଛା ଦେଇଥିଲେ।

ଚିଠିଥିଲା ଆମ ସମ୍ପର୍କର ମାଧ୍ୟମ। କାମ ଜଞ୍ଜାଳକୁ ନେଇ ଉଭୟେ ବ୍ୟସ୍ତ ରହୁଥିଲେ ବି ଲେଖୁଥିଲୁ ଚିଠି। ସଂଖ୍ୟା କମିଲାଣି ଧିରେ ଧିରେ। ବର୍ଷକେ ଖଣ୍ଡେ।କିନ୍ତୁ ଖବର ଦୁଇସାଙ୍ଗ ଦୁହିଁଙ୍କୁ ଦେଉଥିଲୁ। ଲ୍ୟାଣ୍ଡଫୋନରେ କଥା ହୋଇ ହସୁଥିଲୁ। ବୁଲୁଭାଇ, ପିଲାମାନଙ୍କ କଥା ପକେଇ କେବେ ସତ୍ୟଭାମା ବ୍ୟସ୍ତ ହଉଥିଲା ତ କେବେ ଖୁସିରେ ଆତ୍ମହରା ହେଉଥିଲା। ମୁଁ ଭୁବନେଶ୍ବର ଗଲେ ,ସେ ଯେମିତି ହେଉ ଆସୁଥିଲା । ଦେଖା ହେଉଥିଲା। ଗପ ବିହେଉଥିଲା। ସଂସାର କଥାଠୁ ଆରମ୍ଭ ହୋଇ ପାଠ ପାଖରେ ସରୁଥିଲା। ସାହିତ୍ୟ ସହିତ ରାଜନୀତି , ଜମି , ଘର , ଠାକୁର ,ପ୍ରାର୍ଥନା ସବୁକିଛି ସାମିଲ ହଉଥିଲା। ଘର ସମ୍ଭାଳି, ଚାକିରୀ ସମ୍ଭାଳି ଭଲ ବୋହୁ, ପିଲାମାନଙ୍କ ମାଆ, ଛାତ୍ରଛାତ୍ରୀଙ୍କ ପ୍ରିୟ ମାଡାମ, ସବୁରେ ସେ ବାଜିମାରିନେଉଥିଲା ଯଦିଓ ସଂଘର୍ଷ କିଛି କମ୍ ନଥିଲା ତାର। ବୁଲୁଭାଇ ଚାକିରି ଜାଗାରେ ଦୂରରେ ରହୁଥିଲେ। କହୁଥିଲେ ରିଟାୟାରମେଣ୍ଟ ପରେ ଢେର ମଉଜ କରିବା। ସେଇଥିପାଇଁ ସେ ଫେରାଦ ହେଉଥିଲା ମୋ’ ପାଖରେ। ମୁଁ ତ ନାଚାର। କଣ ବା କରିପାରିବି ଯେ। ସେଇଯେ ଥରେ ମୋର ଦେଖାହେଇଥିଲା, ସେତିକି … ।

ସତ୍ୟଭାମା ବଡଝିଅର ବାହାଘର ହେଲା। ସାନ ଝିଅ ପଢିଲା। ପୁଅ ବି ପଢିଲା। ଥରେ ଦ୍ବିପହରେ ଆମେ ଦୁହେଁ ଯାଇ ପହଞ୍ଚିଲୁ। ମାଉସୀ , ତା ‘ ଶାଶୁ ଥିଲେ। ଘର ଦ୍ବାର ବୁଲେଇ ଦେଖେଇଲେ। କେତେ ଖୁସି ହେଲେ ସମସ୍ତେ। ବୁଲୁଭାଇ ନଥିଲେ। ଆମେ ଦୁଇସାଙ୍ଗ କଥାହେଲେ ମାଉସୀ ପଚାରନ୍ତି ମୋ କଥା। ମୋ ଶାଶୁ ବି ପଚାରନ୍ତି ତା’ କଥା।

ଆସିଲା ଏମିତି ଏକ ସମୟ। ପିଲେ ପଢାରେ ମାତିଲେ। କ୍ୟାରିୟର ଗଢିଲେ। ବୁଲୁଭାଇ ମନ୍ଦିର ତୋଳିଲେ। ସତ୍ୟଭାମା ଘର ସହ ଚାକିରି ସମ୍ଭାଳିଲା। ସବୁ ପଇସା ମନ୍ଦିର ତୋଳାରେ ଯାଉଥାଏ। ଦେହକୁ ଖାତିର ନକରି ନିର୍ବିକାରରେ କାମସବୁ କରୁଥାଆନ୍ତି ବୁଲୁଭାଇ। ପ୍ରତିଷ୍ଠା ହୋଇଗଲେ ଦିଅଁ। ମୋତେ ସବୁ ଫଟୋ ମିଳି ଯାଉଥିଲା। ସ୍ମାର୍ଟ ଫୋନର ଯୁଗ ଯେ ! ଭୁବନେଶ୍ବର ଗଲେ ଯିବି, ଦେଖିବି ନିଶ୍ଚୟ ଏଇଆ କହୁଥିଲି ବାରମ୍ବାର।

ସତ୍ୟଭାମାର କିଣାହେଲା ନୂଆ ଫୋନ। ଏଥର ଆଉ ବୁଲୁଭାଇ ନୁହେଁ ସେ ପୋଷ୍ଟ କଲା ଖବର। ନାତିର ଆଳତି କରିବା ଦେଖାଇଲା ସେ। ଘରର ଫୋଟ, ପିଲାମାନଙ୍କ ଫଟୋ ପଠେଇଲା ସେ। ଦୁହେଁ ଖୁସି ହେଲୁ ଢେର।

ଆସିଲା କରୋନା। ସବୁ ଅବ୍ୟବସ୍ଥିତ ହୋଇଗଲା। ମୁଁ ପଜିଟିଭ ହେବା ଶୁଣି ସତ୍ୟଭାମା ଓ ବୁଲୁଭାଇ ଶୁଭ ମନାସିଲେ ମୋର…ଆମର। ସପରିବାର ଭଲ ହୁଅ, ନିରାମୟ ରୁହ ଏ କଥା କହୁଥିଲେ। ଫୋନ ବି କରୁଥିଲେ। ଭଲ ହେବା ପରେ ମୁଁ କଥା ହେଲି। ସତର୍କ ରହିବାକୁ କହିଲି। ଭୋଗିଥିବା ଅନୁଭୂତି କହିଲି। କାନ୍ଦକାନ୍ଦ ହୋଇ ହସାହସି ହେଲୁ। ଚାଲିଲା ଜୀବନ। ଧିରେ ଧିରେ କମି ଆସୁଥିଲା ମହାମାରୀ। ସ୍ବାଭାବିକ ହେଉଥିଲା ଜୀବନ। ରେଭେନ୍ସା ହ୍ବାଟସଆପ ଗୃପରେ ଜମୁଥିଲା କଥା। ସକାଳୁ ସକାଳୁ ସତ୍ୟଭାମା ଗଣେଶ ବନ୍ଦନା, ଜଗନ୍ନାଥଙ୍କ ସ୍ତୁତି, ପ୍ରାର୍ଥନା ପଠେଇବା କଣ ବନ୍ଦହେଇଗଲା। ଏଁ ଏ କ’ଣ। ଏକଥା ଅନୁଭବ କଲାପରେ ଲେଖିଲି ତାକୁ । ଉତ୍ତର ଦେଲା ଡେରିରେ , ଯାହା ଲେଖିଥିଲା ସେଥିରୁ ବୁଝିଲି ବୁଲୁଭାଇ ପଜିଟିଭ ଅଛନ୍ତି। ପ୍ରାର୍ଥନା କଲି ତାଙ୍କ ପାଇଁ। ସମସ୍ତଙ୍କୁ ଭଲରେ ରଖ ହେ ପ୍ରଭୁ ବୋଲି କହିଲି। ତାପରେ ଟିକେ ଚୁପ୍ ରହି ଲେଖିଲି ଶୁଭମନାସ। ଜ୍ବରଥିବ , କଣ କଥା ହେବି। ଟିକେ ଯାଉ । ମନେ ପଡୁଥିଲା ମୁଁ ଭୋଗିଥିବା କଥା। ସେଇଥିପାଇଁ ଚୁପ୍ ରହିଲି ସିନା ମନ ମାନୁନଥିଲା। ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କଲି ଭଲ ହୋଇଯାଆନ୍ତୁ ସେ। ସମସ୍ତେ ଭଲରେ ଥାଆନ୍ତୁ। ବୁଇକୁ କହିଲି ଖବର। ତାପରେ ଲେଖିଲି ତୁମେ ଦୁହେଁ ଭଲରେ ଥିବ ବୋଲି ଆଶା ଓ ବିଶ୍ବାସ। ହେଲେ ଉତ୍ତର କାହିଁ ଯେ। ଧୈର୍ଯ୍ୟ ରହିଲାନି ଏଥର। ଫୋନ୍ କଲି। ଉଠେଇଲା ପୁଅ। ‘କେମିତି ଅଛିରେ ମାଆ’, ପଚାରିଲି।ସେ କହିଲା , ‘ଅଛି।’ ‘ଆଉ ତୁମେସବୁ …. ବୁଲୁଭାଇ .. । ‘ ପିଲାଟି ଏଥର କରୁଣ ସ୍ବରରେ କହିଲା, ‘ବାପାଙ୍କ କଥା ଜାଣିନାହାଁନ୍ତି କି ଆଣ୍ଟି ‘ …। ‘ନା ରେ’ , କହି ଧଡପଡ ଛାତିରେ ଭାବିଗଲି ସେ ନିଶ୍ଚୟ ଡାକ୍ତରଖାନାରେ ଅଛନ୍ତି, ସେଇଲାଗି ପିଲାଟି ବ୍ୟସ୍ତ ବିବ୍ରତ ହେଉଚି। କହିଲା ସେ, ‘ବାପା ରବିବାରରୁ ନାହାଁନ୍ତି। ‘ ମୁଁ ନିର୍ବାକ। ପାଦତଳୁ ମାଟି ଖସିଗଲାକି…। ଅଣନିଃଶ୍ବାସି ଲାଗିଲା। ବସିଥିଲା ନହଲେ ହୁଏତ ପଡିଯାଇଥାଆନ୍ତି। କଣ କହିବି ପିଲାଟିକୁ। କଣ କହିବି ସାଙ୍ଗକୁ ମୋର ।

ଆଜି ଶୁକ୍ରବାର। ଗତକାଲି ଲେଖିଥିଲି ତୁମେ ଦୁହେଁ ଭଲରେ ଥିବ ବୋଲି ଆଶା ଓ ବିଶ୍ବାସ ରଖିଛି। ଅଥଚ ଜଣେ ରବିବାରରୁ ଫେରାର।
ଜୀବନରେ ଯେତେ ବାଧା ଆସିଲେ ବି ପାଖରେ ରହିଥିବାର ପ୍ରତିଶ୍ରୁତି ପାଶୋରି ଗଲେ କି ବୁଲୁଭାଇ। ଏକାଏକା ଏମିତି କିଛି ନକହି ଚୁପଚାପ୍ ଚାଲିଗଲେ ଯେ। କେତେ କାମ ଅଧାଅଧି ହୋଇପଡିଛି ଯେ।ସାରିବ କିଏ ସେ ?

ଆଖିପିଛୁଳାକେ ମଇଦାନ ସଫା। କାଲି ଭଳି ଲାଗୁଚି ସବୁ। ଏତେ ଶିଘ୍ର ଏମିତି ହେଲା କାହିଁକି ଯେ। ମନ୍ଦିର ,ଦିଅଁ, ମାଉସୀ , ସତ୍ୟଭାମା, ପିଲାଏ ସମସ୍ତେ ଝୁରିହେଉଚନ୍ତି। ସାଇପଡିଶା ଖୋଜିହେଉଚନ୍ତି। ଗଛପତ୍ର, ଆକାଶ ପବନ , ଚନ୍ଦ୍ର, ସୂର୍ଯ୍ୟ ସବୁତ ଯିଏଯାହା ଜାଗାରେ ଠିକ୍ ଅଛନ୍ତି। କାହା ଆତିଥେୟତା ଏତେ ଘାରିଲାଯେ ଆଖିପିଛୁଳାକେ ବଦଳିଗଲା ଦୁନିଆ। କରାଳ କରୋନାର ପ୍ରଭାବରେ ଅଧା ରହିଗଲା ଆମର କାହାଣୀ ।

କାଂଶବାହାଲ 

Comments are closed.