Latest Odisha News

BREAKING NEWS

ସରକାରଙ୍କ ହୋଟେଲ ପ୍ରକଳ୍ପ ଦରଦ, ନେବେ ଭୁବନେଶ୍ବର ସ୍ଥିତ ଜାତୀୟ ଗବେଷଣା ପ୍ରତିଷ୍ଠାନର ଜମି

ଭୁବନେଶ୍ବର : odishabytes.comର ଖୁଲାସାର କିଛି ସପ୍ତାହ ପରେ ଆଇଏଏସ ଅଫିସର୍ସ ଆସୋସିଏସନ ଲାଗି ଏକ ସ୍କୁଲର ଖେଳ ପଡିଆର କିଛି ଅଂଶକୁ ଦେବା ନିଷ୍ପତ୍ତିରୁ ସରକାର ଓହରିଛନ୍ତି । କିନ୍ତୁ ସେପଟେ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନର ଜମିକୁ ଏକ କନଭେନସନ ଓ ହୋଟେଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ଲାଗି ଯୋଜନା ସାନି ବିବାଦ ସୃଷ୍ଟି କରିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, କାଉନସିଲ ଅଫ୍ ସାଇଣ୍ଟିଫିକ ଆଣ୍ଟ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା ସିଏସଆଇଆର ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ ମିନେରାଲସ ଆଣ୍ଡ ମାଟେରିଆଲସ ଟେକ୍ନୋଲୋଜି (ଆଇଏମଏମଟି) ଲାଗି ପ୍ରଦତ୍ତ ପ୍ରାୟ ୩୦ ଏକର ଜମିକୁ ‘ଅବ୍ୟବହୃତ’ କହି ନେଇଯିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିବା ବେଳେ ସରକାର କିପରି ଏହି ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇଏମଏମଟିର କିଛି କର୍ତ୍ତୃପକ୍ଷ ବିରୋଧ କରିଛନ୍ତି ।

ଏହି ବିଶାଳ ଜମିକୁ ଅବ୍ୟବହୃତ ବୋଲି ଦର୍ଶାଇବା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି । ଜମିରେ ଏକ ରିସର୍ଚ୍ଚ ପାର୍କ ପ୍ରତିଷ୍ଠା କରିବା ଲାଗି ଯୋଜନା ରହିଛି । ସରକାର ଏକ କନଭେନସନ ସେଣ୍ଟର ତଥା ହୋଟେଲ ଅନ୍ୟତ୍ର ପ୍ରତିଷ୍ଠା କରିପାରିବେ । ଭବିଷ୍ୟତ ଦୃଷ୍ଟିରୁ ଏହି ଜମି ଅତ୍ୟନ୍ତ ଦରକାରୀ । ଏହାସହ ଏହି ଜମିକୁ ସବୁଜିମାରେ ପରିଣତ କରାଯାଇପାରିବ ବୋଲି ସେମାନେ ମତ ଦେଇଛନ୍ତି । ପୂର୍ବରୁ ସରକାରଙ୍କ ନିଷ୍ପତ୍ତିକୁ ଉକ୍ତ ପ୍ରତିଷ୍ଠାନ ତୀବ୍ର ବିରୋଧ କରିଥିଲା ଏବଂ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲା । ଏହା ବିରୋଧରେ ହାଇକୋର୍ଟରେ ମଧ୍ୟ ଦାୟର କରିଥିଲେ ଏକ ମାମଲା । ମାତ୍ର ସବୁ କିଛିକୁ ଏଡାଇ, ସରକାର ଜମି ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜୁ ପଟ୍ଟନାୟକଙ୍କ ମାନସ ପ୍ରତିଷ୍ଠାନ କୁହାଯାଉଥିବା ଏହି ପ୍ରତିଷ୍ଠାନ ୧୯୬୦ ଦଶକରେ ପ୍ରତିଷ୍ଠା ହୋଇଥିଲା । ଏବଂ ଏହାର ନାଁ ଥିଲା ରିଜିଓନାଲ ରିସର୍ଚ୍ଚ ଲାବରେଟୋରୀ ବା ଆରଆରଏଲ । ଏଥିପାଇଁ ୨୦୦ ଏକର ଜାଗା ପ୍ରଦାନ କରାଯାଇଥିଲା । ତେବେ ବାସ୍ତବରେ ୧୯୫ ଏକର ଜାଗା ଥିଲା । ୧୯୮୭ରେ ସରକାର ପ୍ରତିଷ୍ଠାନ ସପକ୍ଷରେ ୧୪୭ ଏକର ଜାଗା ପାଇଁ ପଟ୍ଟା ଦେଇଥିଲେ । ଅବଶିଷ୍ଟ ୧୭ ଏକର ଜାଗାରେ ପ୍ଲାନେଟାରିଅମ, ରିଜିଓନାଲ ମ୍ୟୁଜିୟମ ଅଫ ନାଚୁରାଲ ହିଷ୍ଟ୍ରି ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଲାଗି ବ୍ୟବସ୍ଥିତ କରାଯାଇଥିଲା ।

ବଳକା ରହିଥିବା ୩୦ ଏକର ଜାଗା ୧୯୬୪ ମସିହାଠାରୁ ପ୍ରତିଷ୍ଠାନ ଅଧୀନରେ ରହିଛି । ଆପୋଲୋ ହସପିଟାଲ ଓ ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ ଏହି ଜାଗା ଉପରେ ଏବେ ପଡିଛି ସରକାରଙ୍କ ଆଖି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଇସ୍ରୋ ପ୍ରଦତ୍ତ ପାଣ୍ଠି ଦ୍ବାରା ସମ୍ପ୍ରତି ଜଳବାୟୁ ଗବେଷଣା ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଗୁରୁତ୍ବ ବହନ କରୁଥିବା କିଛି ଗବେଷଣାତ୍ମକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏକ୍ଷେତ୍ରରେ ସହଯୋଗ କରୁଛି ବ୍ରିଟେନର ୟୁନିଭର୍ସିଟି ଅଫ ମାଞ୍ଚେଷ୍ଟର । ଏପରି ସ୍ଥଳେ ସରକାର ଦାୟିତ୍ବହୀନ ଭାବେ ଏଠାରେ ଏକ କନଭେନସନ ସେଣ୍ଟର ତଥା ହୋଟେଲ ପ୍ରତିଷ୍ଠା ଲାଗି ଯୋଜନା କରୁଛନ୍ତି । ଏନେଇ ୫୦୦ ଆଇଏମଏମଟି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ବିଚାର କରିବା ଲାଗି ନିବେଦନ କରାଯାଇଛି ।

ଆଇଏମଏମଟି ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସତ୍ତ୍ବ ବସୁ ମଧ୍ୟ ଏହି ଦାବି ପତ୍ରରେ ସ୍ବାକ୍ଷର କରିଥିଲେ । ହେଲେ ସରକାରଙ୍କ ସଦ୍ୟ ନିଷ୍ପତ୍ତିକୁ ନେଇ କିଛି କହିବାକୁ ଅଗ୍ରାହ୍ୟ କରିଛନ୍ତି । ଏ ସମ୍ପର୍କରେ କେବଳ ସିଏସଆଇଆର ମୁଖ୍ୟାଳୟ ଯାହା କିଛି କହିପାରିବ ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ମତାମତ ଆଣିବାକୁ ଆମେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଯୋଗାଯୋଗ କରିଥିଲୁ । ମାତ୍ର କୌଣସି ବରିଷ୍ଠ ଅଧିକାରୀ କିଛି କହିବାକୁ ଅଗ୍ରାହ୍ୟ କରିଛନ୍ତି ।

Leave A Reply

Your email address will not be published.