ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିପାକ୍ଷିକ ସିରିଜ୍ରୁ ବିସିସିଆଇଆନୁମାନିକ ୨୦ ରୁ ୩୦ ନିୟୁତ ଡଲାର (ପ୍ରାୟ ୧୯୩ ରୁ ୨୮୫ କୋଟି ଟଙ୍କା) ଆୟ କରିବାକୁ ଯାଉଥିବା ବେଳେ, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଏଥିରୁ କୌଣସି ଭାଗ ମିଳିବ ନାହିଁ । କ୍ରିକେଟ୍ ୱେଷ୍ଟଇଣ୍ଡିଜର ସିଇଓ କ୍ରିସ୍ ଡେହରିଂ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ରାଜସ୍ୱ ବଣ୍ଟନ ନିୟମକୁ ନେଇ ଗଭୀର ନିରାଶା ବ୍ୟକ୍ତ କରିଛନ୍ତି । ଆଇସିସିର ବର୍ତ୍ତମାନର ଦ୍ୱିପାକ୍ଷିକ ନିୟମ ଅନୁଯାୟୀ, ସିରିଜ୍ ଆୟୋଜନ କରୁଥିବା ଦେଶ ହିଁ ପ୍ରସାରଣ ଅଧିକାର, ସ୍ପନ୍ସରସିପ୍ ଏବଂ ଟିକେଟ୍ ବିକ୍ରିରୁ ମିଳୁଥିବା ସମସ୍ତ ଆୟ ରଖିଥାଏ । ମ୍ୟାଚ୍ ଗୁଡ଼ିକ ଭାରତରେ ଖେଳାଯାଉଥିବାରୁ, ଏହି ବଡ଼ ରୋଜଗାରରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ଶୂନ ଟଙ୍କା ମିଳିବ ।
ସିଇଓ କ୍ରିସ୍ ଡେହରିଂ କହିଛନ୍ତି ଯେ ୧୯୯୭ ମସିହାରେ ଆଇସିସି ନେଇଥିବା ଏକ ନିଷ୍ପତ୍ତି ଯୋଗୁଁ କ୍ୟାରିବିଆନ୍ କ୍ରିକେଟ୍ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ୧୯୯୭ ପୂର୍ବରୁ ଗସ୍ତ କରୁଥିବା ଦଳକୁ ଆୟୋଜକ ଦେଶ ଗସ୍ତ ଫି ଦେଉଥିଲେ, ଯାହା ଛୋଟ କ୍ରିକେଟ୍ ବୋର୍ଡଗୁଡ଼ିକର ରୋଜଗାରର ମୁଖ୍ୟ ଜରିଆ ଥିଲା । ଏହି ନିୟମ ଯୋଗୁଁ ଭାରତ ଭଳି ବଡ଼ କ୍ରିକେଟ୍ ବଜାର ଥିବା ଦେଶଗୁଡ଼ିକ ପ୍ରଚୁର ଲାଭବାନ ହେଉଥିବା ବେଳେ ୱେଷ୍ଟଇଣ୍ଡିଜ୍ ଭଳି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବୋର୍ଡଗୁଡ଼ିକ କ୍ଷତିସହିଛନ୍ତି । ଖେଳାଳିମାନଙ୍କୁ ଉଚିତ୍ ଦରମା ଦେବାରେ ସମସ୍ୟା ହେଉଥିବାରୁ ଅନେକ ଖେଳାଳି ଜାତୀୟ ଦଳ ପରିବର୍ତ୍ତେ ଆଇପିଏଲ ଓ ଅନ୍ୟାନ୍ୟ ବିଦେଶୀ ଲିଗ୍କୁ ପ୍ରାଥମିକତା ଦେଉଛନ୍ତି ।

