Latest Odisha News

BREAKING NEWS

ବ୍ୟଙ୍ଗ : ଆତ୍ମସ୍ତୁତି -୨

ଏକବିଂଶ ଶତାବ୍ଦୀର ସଦ୍ୟତମ ପ୍ରବେଶ ସେତେବେଳେ । ମୁଁ ଥାଏ ପଣ୍ଡିଚେରୀରେ । ମୋର କିଛି କିଛି ପ୍ରବନ୍ଧ ଓ ଗଳ୍ପ ଦୈନିକ ଖବରକାଗଜରେ ବାହାରୁଥାଏ । ଯଦିଓ ମୋବାଇଲର ପ୍ରଚଳନ ଆରମ୍ଭ ହୋଇଯାଇଥାଏ କିନ୍ତୁ କଥାହେବାର ଦର ଥିଲା ପକେଟକୁ ଭାରି । ତେଣୁ ଲେଖା ତଳେ ମୋର ଯୋଗାଯୋଗ ଭାବେ ମୁଁ ରହୁଥିବା ଗେଷ୍ଟ ହାଉସର ଲ୍ୟାଣ୍ଡ ଲାଇନ ନମ୍ବର ଦେଉଥାଏ । ଏମିତି ଥରେ ମୋର ଏକ ଲେଖା ପଢି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ଲେଖକ (ସେ ନିଜ ଆଡୁ ସେମିତି ପରିଚୟ ମୋତେ ଦେଇଥିଲେ ) ଫୋନ କରିଥାନ୍ତି । ମୋ ଲେଖା ପଢି ଭଲ ଲାଗିଲା ବୋଲି କହି ଅନେକ ସମୟ ତାଙ୍କ ବିଷୟରେ ଆଲୋଚନା କରୁଥାନ୍ତି । କିପରି ସେ ତାଙ୍କ ଜୀବନକାଳ ଭିତରେ କେତେ ସମ୍ମାନ ନେବାକୁ ମନାକରିଦେଇଛନ୍ତି , ଅନେକ ଖ୍ୟାତିସମ୍ପର୍ଣ୍ଣ ଲେଖକ ତାଙ୍କୁ ସାକ୍ଷାତ କରିବାକୁ ଚାହିଁ ବିଫଳ ହୋଇଛନ୍ତି ଇତ୍ୟାଦି ଇତ୍ୟାଦି ।

ମୁଁ ସେ ସବୁ ନିରବରେ ଶୁଣୁଥାଏ । ମୋ ଭଳି ଜଣେ ଗୁଣମୁଗ୍ଧ ନିରବ ଶ୍ରୋତାପାଇ ସେ ଏତେମାତ୍ରାରେ ଉତ୍ସାହିତ ହୋଇପଡ଼ିଥାନ୍ତି ଯେ ନିୟମିତ ବ୍ୟବଧାନରେ ତାଙ୍କ ଅଫିସ ଫୋନରୁ ମୋତେ ଫୋନ କରି ଘଣ୍ଟାଏ କାଳ ତାଙ୍କ ସାପ୍ତାହିକ ଗୌରବାବହ ଘଟଣାବଳୀର ବିବରଣୀ ଶୁଣଉଥାନ୍ତି । ବେଳେ ବେଳେ ଲାଗେ ନିଜର ଆତ୍ମ ସ୍ତୁତି ଜଣେ କିପରି ଏତେ କରିବା ପରେ ମଧ୍ୟ କ୍ଳାନ୍ତ କି ବିରକ୍ତ ହୁଅନ୍ତି ନାହିଁ ! ସେ ଯେତେବେଳେ ନିଜକୁ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ସବୁଠୁ ଆଗୁଆ କବି ବୋଲି ମୋତେ ପରିଚୟ ଦେଇ ସାରିଥାନ୍ତି ସେତେବେଳେ ସୌଜନ୍ୟ ଓ ସଂଭ୍ରମ ରଖି ତାଙ୍କର ସମସ୍ତ ଗୌରବମୟ ସୃଜନାତ୍ମକ ବିବରଣୀ ନିରବରେ ଶୁଣିବାକୁ ବାଧିତ ହୁଏ । ଏହି ଅତ୍ୟାଚାରଟି ଅଳ୍ପ ବହୁତେ ଅନେକ ଲେଖକ ମୋ ଭଳି ଭୋଗୁଥିବେ , ଭୋଗିସାରିଥିବେ ବୋଲି ମୁଁ ରାଣ ଦେଇ କହିପାରେ । ପ୍ରତି ଥର ମୋତେ କୌଣସି ନା କୌଣସି ବାହାନା ଦେଖେଇ ଫୋନ ରଖିବାକୁ ପଡୁଥାଏ ।

ଏମିତି କିଛି ଥର ଫୋନରୁ ନିଜକୁ ଜବରଦସ୍ତି ଅଲଗା କରି ସାରିଲା ପରେ ସେ ତେଣିକି ଆଗୁଆ ପଚାରିଲେ, ଆଜି କିଛି କାମରେ ବ୍ୟସ୍ତ ଥିଲ ନା ଅଧଘଣ୍ଟା ସମୟ ଅଛି କଥା ହେବାପାଇଁ ? ତାଙ୍କର ଅଧଘଣ୍ଟାଏ ଆମର ଦେଢ଼ ଘଣ୍ଟାଠୁ ଅଳ୍ପ ଟିକେ ଅଧିକା । ଏଥର ତାଙ୍କ ଫୋନ ଆସିଲେ” ମୁଁ ନାହିଁ” ବୋଲି କହିବାକୁ ଗେଷ୍ଟ ହାଉସର ପିଅନକୁ କହିଦେଲି ।

ନଭେମ୍ବର ମାସରେ ପଣ୍ଡିଚେରୀରେ ପ୍ରବଳ ଭିଡ଼ ହୁଏ । ସେ ମାସରେ ପଡେ ଶ୍ରୀମାଙ୍କ ମହାପ୍ରୟାଣ ଦିବସ ସହ ସିଦ୍ଧି ଦିବସ । ସେଦିନ ହୁଏ ସ୍ୱତନ୍ତ୍ର ଦର୍ଶନ । ସେଥିପାଇଁ ଦେଶ ବିଦେଶରୁ ଅନେକ ଭକ୍ତ କିଛି ଦିନ ଆଗରୁ ଆସି ବିଭିନ୍ନ ଗେଷ୍ଟ ହାଉସରେ ରହିନ୍ତି । ଏମିତି ଦିନେ ସକାଳୁ ମୋତେ ଫୋନ ଆସିଲା । ମୋର ପୂର୍ବବର୍ଣ୍ଣିତ ଲେଖକ ମହାଶୟ ପ୍ରାୟ ମଧ୍ୟାହ୍ନ ସମୟରେ ଫୋନ କରନ୍ତି ତେଣୁ ମୋର ଅବିଶ୍ୱାସ କରିବାର କିଛିନଥିଲା । ସକାଳୁ ଫୋନ ଆସିଛି ମାନେ ହୁଏତ ଘରୁ କିମ୍ବା ଆଉ କେଉଁ ପରିଚିତ ଲୋକ ନିଶ୍ଚେ ଫୋନ କରିଥିବ। ମୁଁ ଧାଇଁ ଧାଇଁ ଆସି ଫୋନ ଉଠେଇଲା ବେଳକୁ ଜାଣିଲି ସେଇ ମହାଶୟଙ୍କ ଫୋନ । କହିଲେ ,” ତୁମେ ପ୍ରାୟ ଦିନ ବେଳେ ବ୍ୟସ୍ତ ରହୁଛ ତେଣୁ ଆଜି ସକାଳୁ ଫୋନ କରିଦେଲି । ମୋର ଆସନ୍ତା ସତର ତାରିଖରେ ପଣ୍ଡିଚେରୀ ଯିବାର ଅଛି । ମୁଁ ମନୋଜ ବାବୁଙ୍କୁ ଅନେକଥର କଣ୍ଟାକ୍ଟ କରିବାକୁ ଚେଷ୍ଟାକରୁଛି ତାଙ୍କ ଫୋନ ନୋ ଆନ୍ସର ହେଉଛି । ତୁମେ ଟିକେ ତାଙ୍କୁ ଖବର ଦେଇ ପାରିବ କି ? ମୁଁ ଆସନ୍ତା ଅଠର ତାରିଖରେ ତାଙ୍କ ସହ ଦେଖା କରିବି । ମୋର ତାଙ୍କ ସହ ବହୁତ ନିବିଡ଼ ସମ୍ପର୍କ । ଅନେକ ଥର ଆମେ ଦୁହେଁ ଏକା ମଞ୍ଚରେ ଅତିଥି ଭାବେ ବସିଛୁ । ମୋର ଲେଖା ପଢି ମନୋଜ ବାବୁ ବହୁତ ପ୍ରଂଶସା କରନ୍ତି। ଆମେ ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ଫୋନରେ କଥା ହେଉ ।”

ମୁଁ ତାଙ୍କ କଥା ଶୁଣି ବ୍ୟସ୍ତ ହୋଇଗଲି । ଏପରି ଫୋନ ଉଠେଇବାର ସୌଜନ୍ୟହୀନତା ସାର୍ କେବେ କରିବାର ଜାଣିନି । ତାଙ୍କ ଲ୍ୟାଣ୍ଡ ଲାଇନକୁ ଫୋନ କଲେ ଉତ୍ତର ନିଶ୍ଚେ ମିଳେ । କଣ ହେଇଛି କି ? ଲ୍ୟାଣ୍ଡ ଲାଇନ ଫୋନ ଖରାପ ଅଛି କି ? ସେହିଦିନ ସନ୍ଧ୍ୟା ପୂର୍ବରୁ ମୁଁ ସାରଙ୍କ ଘରକୁ ଗଲି । ଦେଖିଲାବେଳକୁ ସାର୍ ଆଉ କାହା ସହ ଫୋନରେ କଥା ହେଉଥାନ୍ତି । ଓଡ଼ିଶାର ସେଇ ଖ୍ୟାତନାମା କବିଙ୍କ ପଣ୍ଡିଚେରୀ ଆଗମନ ଖବର ସାରଙ୍କୁ ଜଣେଇଲି । ସାର୍ କହିଲେ, ତାଙ୍କ ନାଁ କଣ ? ମୁଁ ସେହି ମହାଶୟଙ୍କ ବିଷୟରେ ଯଥାସଂକ୍ଷିପ୍ତରେ ଜଣେଇଲା ପରେ ସାର୍ ଟିକେ ଚିନ୍ତା କଲା ପରି ରହି କହିଲେ, ମୋର କାହିଁ ସେମିତି କେହି ଲେଖକ ମନେ ପଡ଼ୁନାହାଁନ୍ତି ।ହଉ ସେ ଆସନ୍ତୁ । କିନ୍ତୁ ଦର୍ଶନ ଡେ ପାଇଁ ମୁଁ ବ୍ୟସ୍ତ ଅଛି । ଆସିବା ପୂର୍ବରୁ ମୋତେ ଫୋନ କରି ଆସିବାକୁ କହିବ ।” ” ହଉ ” କହି ମୁଁ ସେଠାରୁ ଫେରିଲି । ବାଟଯାକ ଭାବୁଥିଲି ଯେଉଁ ଲୋକ ମୋତେ ସାରଙ୍କ ଏତେ ପରିଚିତ ଓ ନିବିଡ଼ ବନ୍ଧୁ ବୋଲି ମୋ ସାମ୍ନାରେ ଗପୁଥାନ୍ତି ସେ ଲୋକ ମିଛ କହିଲେ ନା ସାରଙ୍କ ସ୍ମୃତିଶକ୍ତିରେ ଭ୍ରମ ହେଲାଣି। ହୋଇଥାଇପାରେ କିଛି ଲୋକଙ୍କୁ ଆମେ ନାଁରୁ ହଠାତ ଜାଣି ନପାରିଲେ ବି ସାମ୍ନାରେ ଭେଟ ହେଲେ ଚିହ୍ନି ପାରୁ ।

ନଭେମ୍ବର ମାସରେ ସେ ଲେଖକ ମହୋଦୟ ଆସିଲେ । ମୋତେ ତାଙ୍କୁ ବସ୍ ଷ୍ଟାଣ୍ଡରୁ ଆଣି ଗେଷ୍ଟ ହାଉସରେ ଛାଡିବା ପାଇଁ ଆଗରୁ ଅନୁରୋଧ କରିଥାନ୍ତି । ସେହି ଅନୁସାରେ ମୁଁ ବସ୍ ଷ୍ଟାଣ୍ଡରେ ତାଙ୍କୁ ଅପେକ୍ଷା କରିଥାଏ । ମୁଁ ମନୋଜ ଦାସଙ୍କ ଠାରୁ ସମ୍ମତି ନେଇ ତାଙ୍କୁ କେଉଁ ସମୟରେ ଗଲେ ଦେଖା ହୋଇପାରିବ ଜଣେଇ ଦେଲି । ତାଙ୍କ ସୁବିଧା ପାଇଁ ମୁଁ ଆସି ତାଙ୍କୁ ତାଙ୍କ ଗେଷ୍ଟ ହାଉସରୁ ନେଇ ସାକ୍ଷାତ କରେଇ ପୁଣି ଆଣି ଗେଷ୍ଟ ହାଉସରେ ଛାଡ଼ିଦେବି ବୋଲି କହିଲି । ମହାଶୟ ମୋର ଏ ପ୍ରସ୍ତାବ ଶୁଣି ହଠାତ ମୁହଁକୁ ଆମ୍ବିଳା କରି କହିଲେ ” ନା ନା ତୁମେ କାହିଁକି କଷ୍ଟ କରିବ ? ମୁଁ ନିଜେ ଚାଲିଯିବି । ତୁମେ ତୁମ କାମ କର । ମୋର ସେ ଅତ୍ୟନ୍ତ ପରମ ବନ୍ଧୁ । ତାଙ୍କ ପାଖକୁ ମୁଁ ନିଜେ ଚାଲିଯିବି ।ମୁଁ ମୋ ସ୍ଵଭାବ ସୁଲଭ “ହଉ “କହି ସେଦିନ ସେଠାରୁ ଚାଲି ଆସିଲି ।

ନିର୍ଦ୍ଧାରିତ ସମୟ ଅନୁସାରେ ମହାଶୟ ମନୋଜ ସାର୍ ଙ୍କ ଘରେ ପହଞ୍ଚନ୍ତି । ସେହିଦିନ ମୁଁ ବି ଅନ୍ୟ ଏକ କାରଣ ପାଇଁ ସେଠାରେ ଉପସ୍ଥିତ ଥାଏ । ସାର୍ ଙ୍କ ପଢ଼ା ଘରେ ମୁଁ ଥାଏ । ଉଭୟଙ୍କ କଥାବାର୍ତ୍ତା ମୋତେ ଶୁଭୁଥାଏ । ପ୍ରଥମେ ନିଜର ପରିଚୟ ଦେବା ପରେ ଲେଖକ ମହାଶୟ କେମିତି ସାର୍ ଙ୍କୁ ଦେଖା କରିବାକୁ ବ୍ୟାକୁଳ ଥିଲେ ସେ ବିଷୟରେ କୁହନ୍ତି । ତାପରେ ସେ ଲେଖିଥିବା କିଛି ବହି ସାର୍ ଙ୍କୁ ଉପହାର ଦିଅନ୍ତି । ସେ ସାରଙ୍କ ସବୁ ବହି ପଢ଼ିଛନ୍ତି ଓ କଥା ଛଳରେ ମଝିରେ ମଝିରେ କିଛି କିଛି ସାର୍ ଙ୍କ ବହିରୁ ଉଦ୍ଧୃତ ମଧ୍ୟ କରୁଥାନ୍ତି । ଲେଖକ ମହାଶୟଙ୍କ ରେଳଗାଡ଼ିଆ କଥାରେ ଅଳ୍ପ ହସ ଏବଂ ଅଳ୍ପ କଥା ଯୋଡି ମନୋଜ ସାର ପ୍ରାୟତଃ ନିରବ ଥାଆନ୍ତି । ସେ କହୁଥିବା ଅନେକ କଥା ଯେ ଅତି ସାଧାରଣ ଓ ତାଙ୍କର ସାର୍ ଙ୍କ ସାହିତ୍ୟ ଉପରେ ଏମିତି ବିଶେଷ କିଛି ଜ୍ଞାନ ଥିବା ଭଳି ମୋର ମନେ ହେଉ ନଥାଏ । ସେ ଭଦ୍ରବ୍ୟକ୍ତି ଯେ ପ୍ରଥମ ଥର ପାଇଁ ସାର୍ ଙ୍କୁ ଭେଟୁଛନ୍ତି ଏହା ମୋତେ ଅଛପା ରହିଲା ନାହିଁ । ସାର୍ ଙ୍କୁ କିଛି ପଚାରିବା ପାଇଁ ମୁଁ ବୈଠକକୁ ଆସିବା ମାତ୍ରେ ସେ ମହାଶୟ ମୋତେ ସେଠାରେ ଦେଖି ବଡ଼ ଅପ୍ରସ୍ତୁତ ହୋଇଗଲେ । ମୋତେ ଦେଖି ସେ ଯିବାପାଇଁ ଉଠିଲେ ଓ ଏକମୁହାଁ ହୋଇ ସେଠାରୁ ଫେରି ଆସିଲେ । ଅଳ୍ପ ସମୟ ମଧ୍ୟରେ ସେଠାରୁ ଫେରିଲି । ତାଙ୍କ ଆଡୁ ସେଦିନଠାରୁ ମୋ’ ପାଖକୁ କେବେ ଆଉ ଲ୍ୟାଣ୍ଡଳାଇନରେ ଫୋନ ଆସିନି । ମୁଁ ଯାହା ମୋର କେଉଁଠି ଲେଖା ବାହାରିଛି ଜଣେଇବାକୁ ଥରେ ଅଧେ ମୋ ଆଡୁ ଫୋନ କରିଦିଏ ।

ବନମାଳୀ ଭବନ
ଖାନ ନଗର , କଟକ

Leave A Reply

Your email address will not be published.